ମଧ୍ୟପ୍ରଦେଶର ଆଗର-ମାଲୱା ଦୁର୍ଘଟଣା ଘଟଣା: ମୃତକଙ୍କ ପରିବାରକୁ ୨ଲକ୍ଷ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର, ୧୯/୯: ମଧ୍ୟପ୍ରଦେଶର ଆଗର-ମାଲୱାରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ଏହି ଦୁର୍ଘଟଣା କୁ ନେଇ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଥିବା ବେଳେ ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି । ଏକ୍ସ ପୋଷ୍ଟରେ ସେ କହିଛନ୍ତି ଯେ, ଆଗର-ମାଲୱାରେ ଘଟିଥିବା ଦୁର୍ଘଟଣା ଅତ୍ୟନ୍ତ ଯନ୍ତ୍ରଣାଦାୟକ। ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାରଗୁଡ଼ିକ ପ୍ରତି ସେ ସମବେଦନା ଜଣାଇଛନ୍ତି।ଏଥିସହିତ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଅନୁସାରେ, ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରର ନିକଟତମ ସଦସ୍ୟଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ଫଣ୍ଡ (PMNRF)ରୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଦିଆଯିବ।

ସେହିପରି ଦୁର୍ଘଟଣାରେ ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ମିଳିବ।ସୂଚନାଥାଉକି, ନଲଖେଡ଼ା ଅଞ୍ଚଳର ମା’ ବଗଳାମୁଖୀ ମନ୍ଦିର ନିକଟରେ ବର୍ଷାଜଳରେ ଭରିଥିବା ନାଳରେ ଏକ କାର୍ ଭାସିଯିବାରୁ ୮ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଓ ୨ ଜଣ ମହିଳା ରହିଛନ୍ତି। ସୂଚନା ଅନୁସାରେ, ଭୁବନେଶ୍ବରର ଜୟଦେବ ବିହାର ସ୍ଥିତ ବନମାଳୀ ବେହେରାଙ୍କ ପରିବାର ମଧ୍ୟପ୍ରଦେଶର ମା’ ବଗଳାମୁଖୀ ମନ୍ଦିର ଦର୍ଶନ ପାଇଁ ଯାଇଥିଲେ। ଦର୍ଶନ ସାରି ଫେରୁଥିବା ବେଳେ ବର୍ଷାଜଳରେ ଭରିରହିଥିବା ନାଳରେ କାରଟି ଦୁର୍ଘଟଣାଗସ୍ତ ହୋଇ ପ୍ରଖର ସ୍ରୋତରେ ଭାସିଯାଇଥିଲା। ଦୁର୍ଘଟଣାରେ ବନମାଳୀଙ୍କ ପରିବାରର ୭ ଜଣଙ୍କ ସହ ଟ୍ୟାକ୍ସି ଚାଳକଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି।

ମୃତକ ୮ ଜଣ ଭୁବନେଶ୍ୱର ଜୟଦେବ ବିହାର ଅଞ୍ଚଳର – ଜଣେ ପ୍ରସିଦ୍ଧ ଢାବା ମାଲିକ ଓ ତାଙ୍କ ପରିବାର। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଶୋକ ଜଣାଇ ଶବ ସମ୍ମାନର ସହ ଓଡ଼ିଶା ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *