ଏହା ଛାତ୍ର ଆନ୍ଦୋଳନ ନୁହେଁ, ବରଂ ଦେଶରେ ଅରାଜକତା ସୃଷ୍ଟି କରିବାର ଆନ୍ଦୋଳନ : ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର, ୨୩/୭ : ଗତ କିଛି ଦିନ ହେବ ଦେଶରେ ଲଗାତାର ଭାବେ ଅରାଜକତା ସୃଷ୍ଟି କରାଯିବାର ପ୍ରୟାସ କରାଯାଉଛି । ଦୁର୍ଭାଗ୍ୟଜନକ ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣା ପ୍ରଘଟ ହେବା ପରେ କେନ୍ଦ୍ର ସରକାର ତୁରନ୍ତ ପରୀକ୍ଷାକୁ ବାତିଲ କରି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ । ଅଭିଯୁକ୍ତଙ୍କୁ ଗିରଫ କରାଗଲା । ଛାତ୍ରଛାତ୍ରୀଙ୍କ ମନରେ କୌଣସି ନୈରାଶ୍ୟଜନକ ସ୍ଥିତି ସୃଷ୍ଟି ନହେଉ, ତେଣୁ ତୁରନ୍ତ ପରୀକ୍ଷା କରାଯିବାର ନିଷ୍ପତ୍ତି ନେଇ ସଫଳତାର ସହ ଶେଷ କରିଲେ । ଆମ ରାଜ୍ୟରେ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରୀକ୍ଷା ସଫଳତାର ସହ ସମାପ୍ତ ହେଲା । ଫଳାଫଳ ପ୍ରକାଶ ପାଇଲା ଏବଂ ଛାତ୍ରଛାତ୍ରୀଙ୍କ ମନରେ ଆନନ୍ଦ ପ୍ରକାଶ ପାଇଲା । ଆଉ କିଛି ଦିନ ଭିତରେ ଆଡମିସନ ପ୍ରକ୍ରିୟା ସମାପ୍ତ ହେବାକୁ ଯାଉଛି । ଏଭଳି ସମୟରେ ଆନ୍ଦୋଳନ କରିବାର କୈାଣସି ପ୍ରୟୋଜନ ନାହିଁ । କେବଳ ଦେଶରେ ଅରାଜକତା ସୃଷ୍ଟି କରିବା ପାଇଁ ଆନ୍ଦୋଳନ କରାଯାଉଛି ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଆନ୍ଦୋଳନର ନେତୃତ୍ୱ ନେଉଥିବା ଶ୍ରୀ ଅଭିଜିତ ଦୀପକେ ହେଉଛନ୍ତି ଆପ୍ ଦଳର ଜଣେ ସକ୍ରିୟ ସଦସ୍ୟ । ଲୋକଙ୍କ ଦ୍ୱାରା ପ୍ରତ୍ୟାକ୍ଷାତ ହେବା ପରେ ଆମ୍ ଆଦମୀ ପାର୍ଟୀ ସହ ବାମପନ୍ଥୀ ରାଜନୈତିକ ଦଳଗୁଡିକ ମିଳିମିଶି କଂଗ୍ରେସ ଦଳ ସହ ଅରାଜକତା କରୁଛନ୍ତି । ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ଆଳ କରି ଆନ୍ଦୋଳନକାରୀମାନେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କୁ ଗାଳି ଦେବା, ଦେଶ ବିରୋଧୀ ସ୍ଲୋଗାନ ଦେବା, ଆତଙ୍କବାଦକୁ ସମର୍ଥନ କରି ସ୍ଲୋଗାନ ଦେଇ ଛାତ୍ରଛାତ୍ରୀଙ୍କ ନାମରେ ଖରାପ ପରଂପରା ସୃଷ୍ଟି କରୁଛନ୍ତି । ହଠାତ୍ କରି ଦେଶରେ ଜେଏନୟୁୁର ଟୁକୁଡେ ଟୁକୁଡେ ଗ୍ୟାଙ୍ଗ ଓ ଦେଶ ବିଭାଜନକାରୀ ଶକ୍ତିମାନେ ପ୍ରଚଣ୍ଡ ଭାବରେ ସକ୍ରିୟ ହୋଇଯାଇଛନ୍ତି । ଶ୍ରୀ ରାହୁଲ ଗାନ୍ଧୀ ଛାତ୍ରଛାତ୍ରୀଙ୍କୁ ବ୍ୟବହାର କରି ଡ୍ରାମାବାଜୀ ଆରମ୍ଭ କରିଦେଇ ନିଜ ରାଜନୈତିକ ପାମ୍ପଡ ସେକୁଛନ୍ତି । ବାଂଲାଦେଶର ଉଗ୍ରବାଦୀ ଦଳ ସହ କାନାଡାରେ କାର୍ଯ୍ୟ କରୁଥିବା ବିଭିନ୍ନ ଉଗ୍ରବାଦୀ ଦଳଗୁଡିକ ଏବଂ ଭାରତବର୍ଷକୁ ଖଣ୍ଡବିଖଣ୍ଡିତ ଷଡଯନ୍ତ୍ର କରୁଥିବା ଦେଶମାନେ ସାମିଲ ଅଛନ୍ତି । ଏହା ଛାତ୍ର ଆନ୍ଦୋଳନ ନୁହେଁ, ବରଂ ଦେଶରେ ଅରାଜକତା ସୃଷ୍ଟି କରିବାର ଆନ୍ଦୋଳନ । ତେଣୁ ଏଭଳି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଆନ୍ଦୋଳନରେ ବିଭ୍ରାନ୍ତ ନହେବାକୁ ଦେଶର ତଥା ଓଡିଶାର ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରିବା ସହ ନିଜ ନିଜ କ୍ୟାରିଅର ଗଢିବାରେ ଧ୍ୟାନ ଦିଅନ୍ତୁ ଏବଂ ବିକଶିତ ଭାରତ, ସମୃଦ୍ଧ ଓଡିଶା ଗଠନରେ ସାମିଲ ହେବା ପାଇଁ ଶ୍ରୀ ହରିଚନ୍ଦନ ପରାମର୍ଶ ଦେଇଛନ୍ତି ।

ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ପାଇଁ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ସେ ଏହାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ନିଷ୍ପତି ନେଉଛନ୍ତି । ଦେଶର ଯୁବବର୍ଗଙ୍କ ସ୍ୱାର୍ଥ ଏବଂ ସେମାନଙ୍କ ଭବିଷ୍ୟତ ଆମର ସର୍ବୋଚ୍ଚ ପ୍ରାଥମିକତା ବୋଲି କହିବା ସହିତ ଯୁବକମାନଙ୍କ ଭବିଷ୍ୟତ ସହ ଖେଳୁଥିବା କୌଣସି ବି ବ୍ୟକ୍ତିଙ୍କୁ ଛଡାଯିବନାହିଁ ବୋଲି ସ୍ପଷ୍ଟୋକ୍ତି ପ୍ରକାଶ କରିଛନ୍ତି । ପ୍ରଶ୍ନପତ୍ର ଲିକ୍ ସମସ୍ତ ମାମଲାରେ ଦୋଷୀମାନଙ୍କୁ ଯଥାଶୀଘ୍ର କଠୋର ଦଣ୍ଡଦେବା ପାଇଁ ଏବଂ ମାମଲାର ତ୍ୱରିତ ନିଷ୍ପତି ପାଇଁ ଫାଷ୍ଟ ଟ୍ରାକ୍ କୋର୍ଟ ଗଠନର ନିଷ୍ପତ୍ତି ନେଇଛନ୍ତି । ଛାତ୍ରୀଛାତ୍ରଙ୍କ ସ୍ୱାର୍ଥକୁ ସୁରକ୍ଷିତ କରିବା ପାଇଁ ସରକାରଙ୍କ ଦ୍ୱାରା ନିଆଯାଉଥିବା ଶୃଙ୍ଖଳିତ ନିଷ୍ପତିର ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

ଏହା ରାଜନୀତିର ସମୟ ନୁହେଁ, ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନର ସମୟ । କିନ୍ତୁ, ସଂସଦରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ନେତା ଶ୍ରୀ ରାହୁଲ ଗାନ୍ଧୀଙ୍କ ଲକ୍ଷ୍ୟ  ନିଟ୍ ଉପରେ ଆଲୋଚନା କରିବା ନୁହେଁ ବରଂ ଅରାଜକତା ସୃଷ୍ଟି କରିବା । ଛାତ୍ରଛାତ୍ରୀ ଏବଂ ସେମାନଙ୍କ ସମସ୍ୟାର ରାଜନୀତିକରଣ ହେବା ଉଚିତ୍ ତ୍ନୁହେଁ । ଆମେ ସଂସଦରେ ନିଟ୍ ଉପରେ ଚର୍ଚ୍ଚା ଚାହୁଁଛୁ । ଛାତ୍ରଛାତ୍ରୀମାନେ ମଧ୍ୟ ଏହାହିଁ ଚାହୁଁଛନ୍ତି । ଯେଉଁ ନିୟମ ଅଧୀନରେ ଚର୍ଚ୍ଚା କରିବାକୁ ଚାହୁଁଛନ୍ତି, ଯେତେ ସମୟ ପର୍ଯ୍ୟନ୍ତ ଚର୍ଚ୍ଚା କରିବାକୁ ଚାହୁଁଛନ୍ତି, ଆସନ୍ତୁ ସଂସଦରେ ନିଟ୍ ଏବଂ ଏହା ସହ ଜଡ଼ିତ ପ୍ରତ୍ୟେକ ବିଷୟ ଉପରେ ଆଲୋଚନା କରନ୍ତୁ; କିନ୍ତୁ ରାହୁଲ ଗାନ୍ଧୀ ଆଲୋଚନାରୁ ଦୂରେଇ ଯାଉଛନ୍ତି । ରାହୁଲଗାନ୍ଧୀ, ଆଲୋଚନାରୁ କାହିଁକି ଦୂରେଇ ଯାଉଛନ୍ତି ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି ।

ସରକାର ଚାହୁଁଛନ୍ତି ଯେ ଶାସକ ଓ ବିରୋଧୀ ଦଳ ମିଶି ସଂସଦରେ ନିଟ୍ ଏବଂ ଏହାସହ ଜଡ଼ିତ ପ୍ରତ୍ୟେକ ବିଷୟ  ଉପରେ ଆଲୋଚନା କରନ୍ତୁ ଏବଂ ପେପର ଲିକ୍ ସମସ୍ୟାର ସମାଧାନ ବାହାର କରନ୍ତୁ । କିନ୍ତୁ ରାହୁଲ ଗାନ୍ଧୀ, କଂଗ୍ରେସ ଏବଂ ଇଣ୍ଡି ମହାମେଂଟର ଦଳଗୁଡ଼ିକ ସଂସଦକୁ ବନ୍ଧକ ରଖିବାକୁ ଚାହୁଁଛନ୍ତି, ଗୃହର କାର୍ଯ୍ୟକାରିତାକୁ ବାଧାପ୍ରାପ୍ତ କରିବାକୁ ଚାହୁଁଛନ୍ତି । ନିଟ୍  ପେପର ଲିକ୍ ସମ୍ପର୍କରେ ଯଦି ଆପଣଙ୍କ ପାଖରେ କୌଣସି ପରାମର୍ଶ ଅଛି, ତେବେ ଗୃହରେ(ସଂସଦ) ଆଲୋଚନା କରନ୍ତୁ । କିନ୍ତୁ ରାହୁଲ ଗାନ୍ଧୀଙ୍କ ଲକ୍ଷ୍ୟ କେବଳ ଯୁବକମାନଙ୍କୁ ବିଭ୍ରାନ୍ତ କରିବା । ଏତେ ଗମ୍ଭୀର ବିଷୟ ଉପରେ ରାଜନୀତି କରନ୍ତୁ ନାହିଁ । ଜନସାଧାରଣଙ୍କ ଦ୍ୱାରା ବାରମ୍ବାର ପ୍ରତ୍ୟାକ୍ଷିତ ହୋଇଥିବା କଂଗ୍ରେସ ଏବଂ ତାଙ୍କ ସହଯୋଗୀ କମ୍ପାନୀ ସାଧାରଣରେ ଭ୍ରମ ସୃଷ୍ଟି କରି ରାଜନୈତିକ ଫାଇଦା ହାସଲ କରିବାକୁ ଚାହୁଁଛନ୍ତି । ଆମେ ଛାତ୍ରଛାତ୍ରୀମାନଙ୍କୁ ବଦ୍‌ନାମ ହେବାକୁ ଦେବୁ ନାହିଁ ବୋଲି ଶ୍ରୀ ହରିଚନ୍ଦନ ସ୍ପଷ୍ଟ ଭାବେ କହିଛନ୍ତି ।

ପେପର ଲିକ୍ ସମସ୍ୟା ଓ କଂଗ୍ରେସ ସରକାର ସମୟରେ ପାଖାପାଖି ୬୯ ଥର ପେପର ଲିକ୍ ହୋଇଥିଲା । କିନ୍ତୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନେତୃତ୍ୱ ବିଜେପି ସରକାର ସରକାର, ଯିଏ ପରୀକ୍ଷାକ ୁଲିକ୍‌-ପ୍ରୁଫ୍‌/(ସୁରକ୍ଷିତ) କରିବା ପାଇଁ କଠୋର ଆଇନଗତ ଏବଂ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରିଛନ୍ତି । ଡଜନ ଡଜନ ଗିରଫଦାରୀ ହୋଇଛି ଏବଂ ବିଗତ ଗୋଟିଏ ମାସ ମଧ୍ୟରେ ତିନୋଟି ଲିକ୍‌-ପ୍ରୁଫ୍ ପରୀକ୍ଷା ସଫଳତାର ସହ ଆୟୋଜିତ ହୋଇସାରିଛି । ଅନ୍ୟ ପଟେ ୟୁପିଏ ସରକାର ସମୟରେ ଶିକ୍ଷା ବଜେଟ କେବଳ ୮,୨୨୫ କୋଟି ଟଙ୍କା ରଖିଥିଲେ, ଆଜି ଏହା ମୋଦି ସରକାରରେ ୧.୩୯ ଲକ୍ଷ କୋଟି ଟଙ୍କାକୁ ପହଂଚିଛି । ଏମ୍ସ ହେଉ, ଆଇଟି ହେଉ, କଲେଜ ହେଉ କିମ୍ବା ସିଟ୍ ସଂଖ୍ୟା ହେଉ କଂଗ୍ରେସ ସରକାରଙ୍କ ତୁଳନାରେ ସବୁଥିରେ ବ୍ୟାପକ ବୃଦ୍ଧି ଘଟିଛି । ସ୍ୱଚ୍ଛତାର ସହ ଓଡିଶାରେ ଗତ ଦୁଇ ବର୍ଷରେ ପଚାଶ ହଜାରରୁ ଅଧିକ ସରକାରୀ ନିଯୁକ୍ତି ପ୍ରଦାନ କରାଯାଇଛି । ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପାୟନ ଆଦି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିଛି । କେଜିରୁ ପିଜି ସଂପୂର୍ଣ୍ଣ ମାଗଣା ଶିକ୍ଷା ପ୍ରଣୟନ କରାଯାଇଛି । କିନ୍ତୁ ଆମେ ଏହି ତୁଳନା ମଧ୍ୟରେ ପଡ଼ିବାକୁ ଚାହୁଁନାହୁଁ, ଆମେ ସମସ୍ୟାର ସ୍ଥାୟୀ ସମାଧାନ ଚାହୁଁଛୁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

ଅପର ପକ୍ଷରେ ଗତ ପନ୍ଦର ବର୍ଷ ଧରି ଏକୁଟିଆ ଶାସନ କରୁଥିବା ବିଜୁ ଜନତା ଦଳର ଦୁଇଟି ଭିନ୍ନ ଭିନ୍ନ ଚିତ୍ର ସାମ୍ନାକୁ ଆସିଛି । ପ୍ରଶ୍ନପତ୍ର ପ୍ରଘଟକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ବକ୍ତବ୍ୟ ହେଉଛି, “ସୈା ଚୁହା ଖାକେ, ବିଲ୍ଲୀ ହଜକୋ ଚଲି” ସଦୃଶ । ୨୦୧୫ ମସିହାରେ କନଷ୍ଟେବଲ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌; ୨୦୧୬, ୨୦୧୯, ୨୦୨୨ ମସିହାରେ ଓଟିଇଟି ପ୍ରଶ୍ନପତ୍ର ଲିକ୍‌; ୨୦୧୮ ଓ ୨୦୧୯ ମସିହାରେ ମ୍ୟାଟ୍ରିକ ପ୍ରଶ୍ନପତ୍ର ଲିକ୍‌; ୨୦୨୩ ମସିହାରେ ଏଏସଓ ପ୍ରଶ୍ନପତ୍ର ଲିକ୍ ଘଟଣାରେ ନବୀନ ବାବୁ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । ନୈତିକତା ହରାଇଥିବା ନବୀନ ବାବୁ ଏପରିି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ କୈାଣସି ପ୍ରଶ୍ନ ପଚାରିବା ଅତ୍ୟନ୍ତ ହାତ୍ସ୍ୟାସ୍ପଦ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାପତି ବିଷ୍ଣୁ ଦାଶ, ରାଜ୍ୟ ସାଧାରଣ ସଂପାଦକ ଶାରଦା ପ୍ରସାଦ ଶତପଥୀ, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ ଓ ରାଜେନ୍ଦ୍ର ପଣ୍ଡା ଏବଂ ରାଜ୍ୟ ଗଣମାଧ୍ୟମ ସଂଯୋଜକ   ସୁଜିତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *