ଭୁବନେଶ୍ୱର/ଅଯୋଧ୍ୟା, ୨୪/୯: ଅଯୋଧ୍ୟା ରାମ ମନ୍ଦିର ଦାନ ଚୋରି ମାମଲାରେ SIT ବଡ ପଦକ୍ଷେପ ଗ୍ରହଣ କରିଛି | ଆଣ୍ଟି-କରପସନ କୋର୍ଟରେ ୭୦୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ ହୋଇଛି | ପ୍ରଥମ ଗିରଫର ୯୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ ହୋଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଅବିନାଶ ଶୁକ୍ଳା, ମନୀଷ ଯାଦବ, ଲବକୁଶ ମିଶ୍ର, ଅନୁକଳ୍ପ ମିଶ୍ର, ରାମଶଙ୍କର ମିଶ୍ର, ରାମଶଙ୍କର ଯାଦବ ଓରଫ ଟିନୁ, କରୁଣେଶ ପାଣ୍ଡେ, ସୁଭାଷ ଶ୍ରୀବାସ୍ତବ |
CCTVରୁ ଗଣତି ରୁମରେ ଟଙ୍କା ଲୁଚାଇବାର ୧୦୫ଟି ଘଟଣା ଧରାପଡିଥିଲା | ପରେ ଅଭିଯୁକ୍ତମାନଙ୍କ ବିରୋଧରେ ବିଶ୍ୱାସଭଙ୍ଗ ଏବଂ ଦୁର୍ନୀତି ନିବାରଣ ଆଇନ ଅନୁସାରେ ମାମଲା ରୁଜୁ କରାଯାଇଛି। ଜୁନ୍ ମାସରେ ଏହି ମାମଲା ରୁଜୁ ହୋଇଥିଲା। ଏସଆଇଟିର ପ୍ରାଥମିକ ତଦନ୍ତରେ ମନ୍ଦିରକୁ ମିଳୁଥିବା ଦାନ ଅର୍ଥରେ ଅନିୟମିତତା ଏବଂ ଅର୍ଥ ହେରଫେର ହୋଇଥିବା ସନ୍ଦେହ ପ୍ରକାଶ ପାଇଥିଲା।
ତଦନ୍ତ ସମୟରେ ଅଭିଯୁକ୍ତମାନଙ୍କଠାରୁ ମୋଟ ୭୯ ଲକ୍ଷ ୮୫ ହଜାର ଟଙ୍କା ନଗଦ ଜବତ ହୋଇଥିବା ଏସଆଇଟି ପକ୍ଷରୁ କୁହାଯାଇଛି। କେବଳ ସୁଭାଷ ଶ୍ରୀବାସ୍ତବଙ୍କଠାରୁ କୌଣସି ଟଙ୍କା ମିଳିନଥିଲା। ପ୍ରାୟ ୭୦ ହଜାର ପୃଷ୍ଠାର ଚାର୍ଜସିଟ୍ରେ ୧୦୦ରୁ ଅଧିକ କେସ୍ ଡାଏରୀ, ପ୍ରାୟ ୧୯୦ ଜଣ ସାକ୍ଷୀଙ୍କ ବୟାନ, ବ୍ୟାଙ୍କ ରେକର୍ଡ, ସମ୍ପତ୍ତି ସମ୍ପର୍କିତ ତଥ୍ୟ, ଟଙ୍କାର ଟ୍ରେଲ୍ ଏବଂ ଫୋରେନସିକ୍ ଅଡିଟ୍ ରିପୋର୍ଟ ସାମିଲ ରହିଛି।
ଦାନବାକ୍ସ ଏବଂ ଦାନ କାଉଣ୍ଟରରୁ ଟଙ୍କା ସଂଗ୍ରହଠାରୁ ଆରମ୍ଭ କରି ବ୍ୟାଙ୍କରେ ଜମା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଟଙ୍କାର ଗତିବିଧି ଯାଞ୍ଚ କରାଯାଇଛି। ଗଣତି ସମୟରେ ନଗଦ ଟଙ୍କା ହେରଫେରର ପ୍ରମାଣ ମିଳିଥିବା ବେଳେ ବ୍ୟାଙ୍କକୁ ଟଙ୍କା ନେବା ସମୟରେ ହେରଫେର ହୋଇଥିବାର କୌଣସି ପ୍ରମାଣ ମିଳିନଥିବା ତଦନ୍ତକାରୀମାନେ କହିଛନ୍ତି। ଏହାସହ ମନ୍ଦିର ଟ୍ରଷ୍ଟର ସଫ୍ଟୱେରରେ ରେକର୍ଡ ହୋଇଥିବା ୮୦୩ଟି ମୂଲ୍ୟବାନ ଦାନ ସାମଗ୍ରୀକୁ ଏସାଇଟି ଯାଞ୍ଚ କରିଛି। ଏଥିରେ କୌଣସି ଅସଙ୍ଗତି ମିଳିନଥିବା କୁହାଯାଇଛି।
ରସିଦ ନଥିବା ଆଉ ୮୬ଟି ମୂଲ୍ୟବାନ ସାମଗ୍ରୀକୁ ମଧ୍ୟ ଭୌତିକ ଭାବେ ଯାଞ୍ଚ କରାଯାଇଛି। ସେହିପରି ୨୦୦ କିଲୋଗ୍ରାମ ରୁପା ଇଟା, ୩୮.୨୮୮ କିଲୋଗ୍ରାମ ରୁପା, ରୁପା ହାର, ଚରଣ ପାଦୁକା ଏବଂ ରାମଚରିତମାନସର ଏକ ପୁସ୍ତକ ସମେତ ବିଭିନ୍ନ ରୁପା ଦାନର ମଧ୍ୟ ଯାଞ୍ଚ କରାଯାଇଛି। ଏଥିସହ ୯୪୪.୪୧୧ କିଲୋଗ୍ରାମ ରୁପାକୁ ତରଳାଇବା ପାଇଁ ସିକ୍ୟୁରିଟି ପ୍ରିଣ୍ଟିଂ ଆଣ୍ଡ ମିଣ୍ଟିଂ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍କୁ ପଠାଯାଇଥିବା ଘଟଣାର ମଧ୍ୟ ଯାଞ୍ଚ ହୋଇଛି। ଏସଆଇଟି ଅଭିଯୁକ୍ତମାନଙ୍କ ବ୍ୟାଙ୍କ ଖାତା, ଜମା ଓ ଉଠାଣ, ସମ୍ପତ୍ତି, ଗାଡ଼ି, ଗହଣା ଏବଂ ନିର୍ମାଣ କାର୍ଯ୍ୟରେ ହୋଇଥିବା ଖର୍ଚ୍ଚକୁ ମଧ୍ୟ ଯାଞ୍ଚ କରିଛି।












Leave a Reply