ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା

ଭୁବନେଶ୍ୱର, ୧୭/୧୦ : ଦକ୍ଷିଣ ତାମିଲନାଡ଼ୁ ଉପକୂଳ ଏବଂ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶ ଓ ଆଖପାଖ ଅଞ୍ଚଳରେ ସକ୍ରିୟ ଥିବା ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟରୁ ଏକ ଟ୍ରଫ୍‌ ଲାଇନ୍‌ ଓଡ଼ିଶା ଉପକୂଳବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ପର୍ଯ୍ୟନ୍ତ ବିସ୍ତୃତ ରହିଛି।

ଫଳରେ ଆସନ୍ତା ୨୫ ତାରିଖ ବେଳକୁ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶାର ଉପକୂଳ ଅଞ୍ଚଳରେ ବର୍ଷା ହେବ। ବିଶେଷକରି ୨୨ରୁ ୨୮ ତାରିଖ ମଧ୍ୟରେ ଦେଶର ପୂର୍ବ ଉପକୂଳର ବିସ୍ତୃତ ଅଞ୍ଚଳରେ ଭଲ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେବେ ୧୫ ରୁ ୨୧ ମଧ୍ୟରେ ଓଡ଼ିଶାରେ ବଡ଼ ବର୍ଷା ନେଇ କୌଣସି ସୂଚନା ନ ଥିବା କୁହାଯାଇଛି। ଆଗାମୀ ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ଘଡ଼ଘଡ଼ି ବିଜୁଳି ସହିତ ଝଡ଼ବର୍ଷା ହେବା ନେଇ ସୂଚନା ଦିଆଯାଇଛି। ଏନେଇ ଶନିବାର ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଏବଂ ଗଞ୍ଜାମ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଅନ୍ୟପକ୍ଷରେ ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ଦିନ କିମ୍ବା ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନ ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *