ନୂଆଦିଲ୍ଲୀ, ୧୪/୯: ପାକିସ୍ତାନର ପୁଣି ଲୋକ ଦେଖାଣିଆ । ପ୍ରଥମେ ଆତଙ୍କବାଦୀଙ୍କୁ ପ୍ରଶ୍ରୟ ପରେ ଖୋଜିବା । ପାକିସ୍ତାନର ଫେଡେରାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସି (FIA)ର ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀଙ୍କ ‘ରେଡ୍ ବୁକ୍’ରେ ମସୁଦ ଅଜହରଙ୍କୁ ଖୋଜିବା ପାଇଁ ୭୦ ଲକ୍ଷ ପାକିସ୍ତାନୀ ଟଙ୍କାର ପୁରସ୍କାର ଘୋଷଣା କରିଛି। ଯେତେବେଳେ ଅକ୍ଟୋବରରେ ପ୍ୟାରିସ୍ସ୍ଥିତ ଫାଇନାନ୍ସିଆଲ୍ ଆକ୍ସନ୍ ଟାସ୍କ ଫୋର୍ସ (FATF)ର ବୈଠକ ହେବାକୁ ଯାଉଛି। ପାକିସ୍ତାନ ପୂର୍ବରୁ ମଧ୍ୟ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଥିବା ଦେଖାଇବା ପାଇଁ ଏଭଳି ପଦକ୍ଷେପ ନେଇଥିବା ଅଭିଯୋଗ ରହିଛି।
୨୦୨୧ରେ ମଧ୍ୟ ଘୋଷଣା ହୋଇଥିଲା ପୁରସ୍କାର: ପାକିସ୍ତାନର ଦାବି ଅନୁସାରେ, ମସୁଦ ଅଜହର ପାକିସ୍ତାନରୁ ନିଖୋଜ ହୋଇ ଆଫଗାନିସ୍ତାନରେ ଲୁଚିଥିବା କୁହାଯାଉଛି। ତେବେ ଭାରତୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକର ଟେକ୍ନିକାଲ୍ ବିଶ୍ଳେଷଣ ଅନୁଯାୟୀ, ଗତ କିଛି ମାସ ଧରି ମସୁଦ ଅଜହର ପାକିସ୍ତାନର ସିନ୍ଧ ପ୍ରଦେଶର ନବାବଶାହ ସହରରେ ଲୁଚିଥିବା ସୂଚନା ମିଳିଥିବା ଦାବି କରାଯାଉଛି।
୨୦୨୧ରେ FIA ପକ୍ଷରୁ ମସୁଦ ଅଜହର ଉପରେ ୫୦ ଲକ୍ଷ ପାକିସ୍ତାନୀ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ପ୍ରାୟ ୫ ବର୍ଷ ପରେ ଏହି ରାଶିକୁ ଆଉ ୨୦ ଲକ୍ଷ ବଢ଼ାଇ ୭୦ ଲକ୍ଷ କରାଯାଇଥିବା ଦାବି ହେଉଛି।
FIA ତାଲିକାରେ ୨୬/୧୧ ସହ ଜଡ଼ିତ ୧୯ ଆତଙ୍କବାଦୀ: FIAର ନୂଆ ଅପଡେଟ୍ ହୋଇଥିବା ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ସହ ଜଡ଼ିତ ୧୯ ଜଣଙ୍କ ନାମ ମଧ୍ୟ ରହିଛି। ଏମାନଙ୍କ ମଧ୍ୟରୁ ୧୭ ଜଣଙ୍କ ଫଟୋ ଏବଂ ୨୬/୧୧ ଆକ୍ରମଣରେ ସେମାନଙ୍କ ଭୂମିକା ସମ୍ପର୍କରେ ତଥ୍ୟ ଦିଆଯାଇଥିବା କୁହାଯାଉଛି।
ତେବେ ଦୁଇ ଜଣଙ୍କ ଫଟୋ, ଲଶ୍କର-ଏ-ତୋଏବା ସହ ସମ୍ପର୍କ ଏବଂ ୨୬/୧୧ ଆକ୍ରମଣରେ ସେମାନଙ୍କ ଭୂମିକା ସମ୍ପର୍କିତ ବିବରଣୀ ହଟାଇ କେବଳ ନାମ ରଖାଯାଇଥିବା ଦାବି ହୋଇଛି।
ତୁରବତର ମହମ୍ମଦ ଖାନଙ୍କ ନାମ ମଧ୍ୟ ତାଲିକାରେ ରହିଛି। ୨୬/୧୧ ଆକ୍ରମଣକାରୀଙ୍କୁ ମୁମ୍ବାଇ ପହଞ୍ଚାଇବା ପାଇଁ ‘ଅଲ୍-ହୁସୈନୀ’ ବୋଟ୍ ଯୋଗାଇଥିବା ଅଭିଯୋଗ ତାଙ୍କ ବିରୋଧରେ ରହିଛି। କିନ୍ତୁ ନୂଆ ତାଲିକାରେ ତାଙ୍କ ଫଟୋ, ଲଶ୍କର ସହ ସମ୍ପର୍କ ଏବଂ ଭୂମିକା ସମ୍ପର୍କିତ ବିବରଣୀ ହଟାଯାଇଥିବା କୁହାଯାଉଛି। ସେହିପରି ବହାୱଲନଗରର ଲଶ୍କର-ଏ-ତୋଏବା ଆତଙ୍କବାଦୀ ଅବ୍ଦୁଲ ରହମାନଙ୍କ ଫଟୋ ଏବଂ ଲଶ୍କର ସହ ସମ୍ପର୍କ ସମ୍ପର୍କିତ ତଥ୍ୟ ମଧ୍ୟ ହଟାଯାଇଥିବା ଦାବି ହେଉଛି।












Leave a Reply