ଆନ୍ଦୋଳନ ପୂର୍ବରୁ ୟୁଟ୍ୟୁବର ଧ୍ରୁବ ରାଠୀଙ୍କ ସହ ୧୦୦୦ରୁ ଅଧିକ ଅଟକ

ଭୁବନେଶ୍ୱର/ନୂଆଦିଲ୍ଲୀ, ୧୦/୧୦: କକ୍‌ରୋଚ୍ ଜନତା ପାର୍ଟି ଏବଂ ଅଲ୍‌ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଆସୋସିଏସନ୍‌ ପକ୍ଷରୁ ଦିଲ୍ଲୀର ଜନ୍ତର ମନ୍ତରରେ ଇସ୍ତଫା ନେଇ ବିରୋଧ ପ୍ରଦର୍ଶନ ହେବ । ତେବେ ତାପୂର୍ବରୁ ରାଜଧାନୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ୧୦୦୦ରୁ ଅଧିକ ଲୋକଙ୍କୁ ଅଟକ ରଖାଯାଇଥିବା ନେଇ ରିପୋର୍ଟ ମିଳିଛି। ଅନ୍ୟପଟେ, ୟୁଟ୍ୟୁବର ଧ୍ରୁବ ରାଠୀଙ୍କୁ ଗୁରୁଗ୍ରାମ ପୁଲିସ ଗିରଫ କରିଥିବା ନେଇ ନେଇ ମଧ୍ୟ ରିପୋର୍ଟ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ପ୍ରଦର୍ଶନରେ ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରାଯିବାର କାର୍ଯ୍ୟକ୍ରମ ଥିବା ବେଳେ, ପୋଲିସ ପକ୍ଷରୁ ଆକ୍ସନ ନିଆଯାଇଛି ।

ଦି ଇଣ୍ଡିଆନ୍ ଏକ୍ସପ୍ରେସ୍‌ର ରିପୋର୍ଟ ଅନୁଯାୟୀ, ଶନିବାର ରାତି ୧୨ଟା ୩୦ ସୁଦ୍ଧା ଅଟକ ରଖାଯାଇଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୨୫୦ ଜଣ ଦିଲ୍ଲୀର ଦକ୍ଷିଣ-ପୂର୍ବ ଜିଲ୍ଲାର ଥିଲେ। ଏଥିରେ ଶାହିନବାଗ୍ ଅଞ୍ଚଳର ଲୋକଙ୍କ ସଂଖ୍ୟା ଅଧିକ ଥିବା ଜଣେ ପୁଲିସ ସୂତ୍ରରୁ ଜଣାପଡ଼ିଛି। ୨୦୨୦ରେ ନାଗରିକତା ସଂଶୋଧନ ଆଇନ (CAA) ବିରୋଧୀ ଆନ୍ଦୋଳନ ସମୟରେ ଶାହିନବାଗ୍ ଏକ ପ୍ରମୁଖ କେନ୍ଦ୍ର ଥିଲା।

ସେହିପରି ଶାହଦରା ଓ ପୂର୍ବ ଦିଲ୍ଲୀ ଜିଲ୍ଲାରୁ ୧୦୦ରୁ ଅଧିକ ଲୋକଙ୍କୁ ଅଟକ ରଖାଯାଇଥିବା ଅନ୍ୟ ଜଣେ ପୁଲିସ ଅଧିକାରୀ କହିଛନ୍ତି। ପୁଲିସ ଅଧିକାରୀଙ୍କ ଅନୁସାରେ, ଏହି ଅଟକଗୁଡ଼ିକୁ ପ୍ରତିଷେଧମୂଳକ ପଦକ୍ଷେପ ବୋଲି କୁହାଯାଇଛି। ପୂର୍ବରୁ ଲୋକଙ୍କୁ ଏକାଠି କରିବା ଏବଂ ଆଇନଶୃଙ୍ଖଳା ସମସ୍ୟା ସୃଷ୍ଟି ହେବାର ଆଶଙ୍କା ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ଏପରି ପଦକ୍ଷେପ ନିଆଯାଇଥିବା ପୁଲିସ ପକ୍ଷରୁ କୁହାଯାଇଛି। ଅଟକ ବ୍ୟକ୍ତିଙ୍କୁ ନିର୍ଦ୍ଧାରିତ ଅସ୍ଥାୟୀ ଅଟକ କେନ୍ଦ୍ରକୁ ନିଆଯିବାର ଯୋଜନା ରହିଛି।

ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଦିଲ୍ଲୀର ବିଭିନ୍ନ ଅଞ୍ଚଳ ଏବଂ ସୀମାବର୍ତ୍ତୀ ସ୍ଥାନରେ ପୁଲିସ ଓ ଅର୍ଦ୍ଧସାମରିକ ବଳ ମୁତୟନ କରାଯାଇଛି।

 

Leave a Reply

Your email address will not be published. Required fields are marked *