ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲା: ମୁଖ୍ୟ ଅଭିଯୁକ୍ତ ଘରେ ଚଢ଼ାଉ

ଭୁବନେଶ୍ୱର/ନୂଆଦିଲ୍ଲୀ, ୯/୧୦: ପୋଲିସ ଏସଆଇ ନିଯୁକ୍ତି କେଳେଙ୍କାରୀରେ କ୍ରାଇମବ୍ରାଞ୍ଚର ବଡ଼ ଚଢ଼ାଉ। ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି ଓ ତାର ସହଯୋଗୀ ମୁନା ମହାନ୍ତିର ଘରେ ରେଡ୍ କରାଯାଇଛି।ଏହି ମାମଲାରେ ଏଯାବତ୍ ୧୧୯ ଜଣ ଗିରଫ – ୧୧୪ ଜଣ ପରୀକ୍ଷାର୍ଥୀ, ୫ ଜଣ ଦଲାଲ ରହିଛନ୍ତି |ବିଭିନ୍ନ ଠିକଣାରେ ରେଡ୍ ଚାଲିଥିବାବେଳେ ସୁରକ୍ଷା ପାଇଁ ସିଆର୍ପିଏଫ୍ ମୁତୟନ ହୋଇଛନ୍ତି।

ସୂଚନା ଅନୁଯାୟୀ, ପୁଲିସ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ସିବିଆଇ ତଦନ୍ତ କରି ଏକାଧିକ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି। କୋଟି କୋଟି ଟଙ୍କାର ଆର୍ଥିକ କାରବାର ସାମ୍ନାକୁ ଆସିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ମୁନା ମହାନ୍ତି, ଶଙ୍କର ପୃଷ୍ଟି ଓ ସୁରେଶ ନାୟକଙ୍କ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଉଛି। ଏହି ଚଢ଼ାଉରେ କେଉଁ କେଉଁ ତଥ୍ୟ ହାତକୁ ଆସୁଛି, ତାହା ଉପରେ ନଜର ରହିଛି।

ସିବିଆଇ ରିପୋର୍ଟ ଅନୁସାରେ ମାର୍ଚ୍ଚ ୨୦୨୫ରୁ ହିଁ ଷଡଯନ୍ତ୍ର ଆରମ୍ଭ ହୋଇଥିଲା। ପିଲାଙ୍କୁ ଭୁବନେଶ୍ୱରର ଚନ୍ଦ୍ରିକା ରିସୋର୍ଟ, ଦିଘା, ପରେ ସୁନ୍ଦରବନର ରିସୋର୍ଟରେ ରଖି ପ୍ରଶ୍ନପତ୍ର ଦେବାର ପ୍ଲାନ ଥିଲା। ଦିଘାରେ ୧୧୦ ଜଣଙ୍କ ପାଇଁ ହୋଟେଲ ବୁକ୍, ୧୮ ଲକ୍ଷ ଅଗ୍ରୀମ ଦିଆଯାଇଥିଲା।ଗତକାଲି ବାଣିକ କୋଚିଂ ସେଣ୍ଟରରେ ୩ ଘଣ୍ଟା ରେଡ୍ ପରେ ଆଜି ୩ ଅଧିକାରୀ HR, ଆକାଉଣ୍ଟସ୍ ଓ ମାର୍କେଟିଂ ମ୍ୟାନେଜର କ୍ରାଇମବ୍ରାଞ୍ଚରେ ହାଜର ହୋଇଛନ୍ତି।ବ୍ରହ୍ମପୁର କୋର୍ଟ ୧୧୯ ଜଣଙ୍କ ଜାମିନ ଖାରଜ କରିଛନ୍ତି। ସିବିଆଇ ବିହାରରୁ ଅମିତ ଭାରତୀଙ୍କୁ ଗିରଫ କରିଛି।

ଏସଆଇ ନିଯୁକ୍ତି ପାଇଁ ଆଶାୟୀ ପରୀକ୍ଷାର୍ଥୀଙ୍କଠାରୁ କୋଟି କୋଟି ଟଙ୍କା ଆଦାୟ ହୋଇଥିବା ଅଭିଯୋଗ ହୋଇଥିଲା । ଏହି କଳାଧନର କାରବାର, ବ୍ୟାଙ୍କ ଜମା, ସମ୍ପତ୍ତି କ୍ରୟ-ବିକ୍ରୟ ଏବଂ ଟ୍ରାଞ୍ଜାକସନ ରେକର୍ଡର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ ଇଡି PMLA ଅଧୀନରେ ଆର୍ଥିକ ଦିଗକୁ ତନ୍ନ ତନ୍ନ କରି ଯାଞ୍ଚ କରୁଛି। ପୂର୍ବରୁ ରାଜ୍ୟ କ୍ରାଇମବ୍ରାଞ୍ଚ ଏବଂ ପରବର୍ତ୍ତୀ ସମୟରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI) ଯେଉଁସବୁ ଠିକଣାରେ ଚଢ଼ାଉ କରିଥିଲେ, ସେହି ସ୍ଥାନଗୁଡ଼ିକ ଉପରେ ଏବେ ଇଡି ପୁନର୍ବାର ଯାଞ୍ଚ କରୁଛି । ସେଠାରୁ ଆର୍ଥିକ ନେଣଦେଣ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଦଲିଲ ଓ ଡିଜିଟାଲ ତଥ୍ୟ ଜବତ କରିବାକୁ ପ୍ରୟାସ କରାଯାଉଛି ।

ଏହି କେଳେଙ୍କାରୀର ମୁଖ୍ୟ ସୂତ୍ରଧର ତଥା ସହଯୋଗୀମାନଙ୍କ ଆୟ ବହିର୍ଭୂତ ସମ୍ପତ୍ତି, ବ୍ୟାଙ୍କ ଖାତା ଏବଂ ଦଲାଲ ମାଧ୍ୟମରେ ହୋଇଥିବା ପାଣ୍ଠି ସ୍ଥାନାନ୍ତରଣ ସମ୍ପର୍କରେ ଇଡି ଅଧିକାରୀମାନେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପଚରାଉଚୁରା କରୁଛନ୍ତି । ​ଏହି ନିଯୁକ୍ତି ଦୁର୍ନୀତିରେ ଆର୍ଥିକ କାରବାରର ଚେର କେତେ ଦୂର ପର୍ଯ୍ୟନ୍ତ ଲମ୍ବିଛି ଏବଂ ଏଥିରେ କେଉଁ ବଡ଼ ବ୍ୟକ୍ତିବିଶେଷଙ୍କ ସମ୍ପୃକ୍ତି ରହିଛି, ତାହା ଉପରୁ ପରଦା ହଟାଇବା ପାଇଁ ଇଡି ପକ୍ଷରୁ ଛାନଭିନ୍ ଜାରି ରହିଛି ।

Leave a Reply

Your email address will not be published. Required fields are marked *