ଛାତ୍ର ସଂସଦ ନିର୍ବାଚନ : ଆଜି ନାମାଙ୍କନ, ୧୫ରେ ଭୋଟ୍

ଭୁବନେଶ୍ୱର/ନୂଆଦିଲ୍ଲୀ, ୯/୧୦: ରାଜ୍ୟର କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ଫେରୁଛି ଛାତ୍ର ରାଜନୀତି । ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ପୁଣି ଫେରିଛି ଛାତ୍ର ରାଜନୀତି | ଆଜିଠୁ ଆରମ୍ଭ ହୋଇଯାଇଛି ନିର୍ବାଚନର ପ୍ରମୁଖ ପ୍ରକ୍ରିୟା । ଏଥିପାଇଁ କ୍ୟାମ୍ପସଗୁଡ଼ିକରେ ନିର୍ବାଚନୀ ମାହୋଲ ସୃଷ୍ଟି ହୋଇଛି । ସକାଳ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ବିଭିନ୍ନ ପଦବୀ ପାଇଁ ନାମାଙ୍କନପତ୍ର ଦାଖଲ କରିପାରିବେ । ୨୦୧୭ ପରେ ୮ ବର୍ଷ ପରେ ଓଡ଼ିଶାରେ ପୁଣି ଛାତ୍ର ସଂସଦ ନିର୍ବାଚନ। ଆଜି ଅକ୍ଟୋବର ୯ ହେଉଛି ନାମାଙ୍କନ ଦିବସ।

ଏହାପରେ ଅପରାହ୍ଣ ୨ଟାରୁ ୪ଟା ପର୍ଯ୍ୟନ୍ତ ନାମାଙ୍କନପତ୍ର ଯାଞ୍ଚ କରାଯିବ। ସନ୍ଧ୍ୟା ୫ଟାରେ ବୈଧ ପ୍ରାର୍ଥୀଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ । ଆସନ୍ତା ଅକ୍ଟୋବର ୧୫ ତାରିଖରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ । ୨୦୧୭ ପରଠାରୁ ରାଜ୍ୟରେ ନିୟମିତ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଥିଲା । କ୍ୟାମ୍ପସରେ ହିଂସା, ଗଣ୍ଡଗୋଳ ଓ ଶିକ୍ଷାର ବାତାବରଣ ପ୍ରଭାବିତ ହେବା ଭଳି କାରଣକୁ ନେଇ ପୂର୍ବରୁ ନିର୍ବାଚନ ଉପରେ ରୋକ୍ ଲଗାଯାଇଥିଲା । ଏବେ ପୁଣି ନିର୍ବାଚନ ଫେରୁଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି। ନିର୍ବାଚନକୁ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ପରିଚାଳନା କରିବା ଏବେ କଲେଜ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପାଇଁ ବଡ଼ ଆହ୍ୱାନ ।

ନାମାଙ୍କନ ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ, ସେଥିପାଇଁ ସୁରକ୍ଷା ବ୍ୟବସ୍ଥା ଓ କ୍ୟାମ୍ପସରେ ଶୃଙ୍ଖଳା ରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି । ଆବଶ୍ୟକସ୍ଥଳେ ପୋଲିସ ସହାୟତା ନିଆଯିବ । ନିର୍ବାଚନ ସମୟରେ ପ୍ରାର୍ଥୀମାନଙ୍କୁ ନିର୍ଦ୍ଧାରିତ ନିୟମ ମାନିବାକୁ ପଡ଼ିବ । ଲିଙ୍ଗଡୋ କମିଟିର ସୁପାରିସ ଅନୁଯାୟୀ, ନିର୍ବାଚନୀ ଖର୍ଚ୍ଚ, ପ୍ରଚାର, ପ୍ରାର୍ଥୀଙ୍କ ଯୋଗ୍ୟତା ଓ ଶୃଙ୍ଖଳା ସମ୍ପର୍କିତ ନିୟମ ରହିଛି। କ୍ୟାମ୍ପସରେ ହିଂସା, ଧମକଚମକ ଓ ବାହାର ଲୋକଙ୍କ ହସ୍ତକ୍ଷେପକୁ ରୋକିବା ଉପରେ ମଧ୍ୟ ଗୁରୁତ୍ୱ ରହିବ ।

ଆଜି ଅକ୍ଟୋବର ୯ ସକାଳ ୧୦ଟା-୧ଟା: ନାମାଙ୍କନ ଦାଖଲ
ଆଜି ୨ଟା-୪ଟା: ନାମାଙ୍କନ ଯାଞ୍ଚ, ସନ୍ଧ୍ୟା ୫ଟାରେ ବୈଧ ତାଲିକା
ଅକ୍ଟୋବର ୧୦ ସକାଳ ୧୦-୧ଟା: ପ୍ରତ୍ୟାହାର, ୩ଟାରେ ଫାଇନାଲ ଲିଷ୍ଟ
ଅକ୍ଟୋବର ୧୪: Why I Stand For ବୈଠକ
ଅକ୍ଟୋବର ୧୫ ସକାଳ ୮-୨ଟା: ଭୋଟ୍ ଓ ଗଣତି
ଅକ୍ଟୋବର ୧୬ ସକାଳ ୧୧ଟା: ଶପଥ ଗ୍ରହଣ
ନିୟମ:୭୫% ଉପସ୍ଥାନ ବାଧ୍ୟତାମୂଳକ, ବୟସ ୧୭-୨୨, କୌଣସି ବ୍ୟାକ୍ ନଥିବ
ଖର୍ଚ୍ଚ ସୀମା ୫୦୦୦ ଟଙ୍କା, ହାତ ଲେଖା ପୋଷ୍ଟର କେବଳ ନିର୍ଦ୍ଧାରିତ ସ୍ଥାନରେ
ରାଜନୈତିକ ଦଳର ସିଧା ହସ୍ତକ୍ଷେପ ମନା, ଅଣ-ଛାତ୍ର ପ୍ରବେଶ ମନା

Leave a Reply

Your email address will not be published. Required fields are marked *