POSCO ଓ JSW ମୁଖ୍ୟଙ୍କ ସହ ଓଡ଼ିଶା ସରକାରଙ୍କ ଆଲୋଚନା ; ଓଡ଼ିଶାରେ ନିବେଶ ଓ ନିଯୁକ୍ତି ସମ୍ଭାବନା ନେଇ ଆଶା ବଢ଼ିଲା

ମୁମ୍ବାଇ,୨୪/୧୦ : ଓଡ଼ିଶାକୁ ଏକ ପ୍ରମୁଖ ଶିଳ୍ପ ଓ ପୁଞ୍ଜିନିବେଶ କେନ୍ଦ୍ର ଭାବେ ଗଢ଼ି ତୋଳିବା ଲକ୍ଷ୍ୟରେ ମୁମ୍ବାଇ ଗସ୍ତର ତୃତୀୟ ଦିନରେ POSCO ଓ JSW ଗ୍ରୁପ୍‌ର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କରିଛନ୍ତି ଓଡ଼ିଶା ସରକାରଙ୍କ ପ୍ରତିନିଧିମଣ୍ଡଳୀ । ଏହି ବୈଠକରେ POSCO Indiaର ମୁଖ୍ୟ S. L. Chun, ମୁମ୍ବାଇ କାର୍ଯ୍ୟାଳୟର ପରିଚାଳନା ନିର୍ଦ୍ଦେଶକ Jacy Kim ଏବଂ JSW ଗ୍ରୁପ୍‌ର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ଯୋଗ ଦେଇଥିଲେ । ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ହୋଇଥିବା ଏହି ଆଲୋଚନାରେ ଓଡ଼ିଶାରେ ଶିଳ୍ପ ବିକାଶ, ପୁଞ୍ଜିନିବେଶ ଏବଂ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟିର ସମ୍ଭାବନା ନେଇ ସକାରାତ୍ମକ ଆଶା ସୃଷ୍ଟି ହୋଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, “ଓଡ଼ିଶା ଶିଳ୍ପାୟନ ଓ ପୁଞ୍ଜିନିବେଶ ପାଇଁ ଏକ ଅନୁକୂଳ ଗନ୍ତବ୍ୟସ୍ଥଳ। ଆମ ସରକାର ନିବେଶକମାନଙ୍କୁ ଆବଶ୍ୟକ ସହଯୋଗ, ସୁବିଧା ଓ ଅନୁକୂଳ ପରିବେଶ ଯୋଗାଇଦେବାକୁ ପ୍ରତିବଦ୍ଧ। ଆମର ଲକ୍ଷ୍ୟ ହେଉଛି ରାଜ୍ୟରେ ଅଧିକ ପୁଞ୍ଜିନିବେଶ ଆଣିବା, ଯୁବପିଢ଼ିଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏବଂ ଓଡ଼ିଶାର ଅର୍ଥନୈତିକ ବିକାଶକୁ ଆହୁରି ଗତିଶୀଳ କରିବା।”

POSCO ଓ JSW ପରି ପ୍ରମୁଖ ଶିଳ୍ପଗୋଷ୍ଠୀ ସହ ଏହି ଆଲୋଚନା ରାଜ୍ୟର ଶିଳ୍ପ ସମ୍ଭାବନାକୁ ଆଗକୁ ନେବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ଆଲୋଚନାରୁ ଓଡ଼ିଶା ପାଇଁ ସକାରାତ୍ମକ ଫଳାଫଳ ମିଳିବା ନେଇ ଆଶା ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *