ଦେଶର ସବୁଠାରୁ ବଡ଼ ଜିଓ ଆଇପିଓ ପ୍ରଥମ ଦିନରେ ହିଁ ୩.୧୬ଗୁଣ ସବସ୍କ୍ରାଇବ୍

ମୁମ୍ବାଇ,୨୧/୧୦ : ଦେଶର ସର୍ବବୃହତ୍ ୩୦,୨୧୩ କୋଟି ଟଙ୍କାର ଜିଓ ଆଇପିଓ ପ୍ରଥମ ଦିନରେ ହିଁ ୩.୧୬ ଗୁଣ ସବସ୍କ୍ରିପସନ୍ ହାସଲ କରିଛି। ବୁଧବାର ଜିଓ ପ୍ଲାଟଫର୍ମସର ଆଇପିଓକୁ ନେଇ ନିବେଶକଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଦେଖାଦେଇଛି। ପ୍ରାୟ ୩୦.୫ ଲକ୍ଷ ଆବେଦନ ମିଳିଥିବାବେଳେ, ଆଙ୍କର୍ ନିବେଶକଙ୍କୁ ବାଦ୍ ଦେଲେ ସାଧାରଣ ନିବେଶକଙ୍କ ପକ୍ଷରୁ ପ୍ରାୟ ୬୯,୭୪୫ କୋଟି ଟଙ୍କାର ବିଡ୍ ମିଳିଛି। ବୃହତ୍ ସଂସ୍ଥାଗତ ନିବେଶକ (କ୍ୟୁଆଇବି) ବର୍ଗରେ ୯.୪୨ ଗୁଣ ସବସ୍କ୍ରିପସନ୍ ହୋଇଛି। କର୍ମଚାରୀ ଓ ରିଲାଏନ୍ସ ସେୟାରଧାରକଙ୍କ ପାଇଁ ସଂରକ୍ଷିତ କୋଟା ମଧ୍ୟ ସମ୍ପୂର୍ଣ୍ଣ ଭାବେ ପୂରଣ ହୋଇଛି । ଏଯାବତ୍ ଜିଓ ଆଇପିଓ ପାଇଁ ମୋଟ ପ୍ରାୟ ୩.୨୦ ଲକ୍ଷ କୋଟି ଟଙ୍କାର ବିଡ୍ ମିଳିସାରିଛି । ଏଥିରେ ଆଙ୍କର୍ ନିବେଶକଙ୍କ ପକ୍ଷରୁ ପ୍ରାୟ ୨.୫୦ଲକ୍ଷ କୋଟି ଟଙ୍କା ଏବଂ ଅଣ-ଆଙ୍କର୍ ନିବେଶକଙ୍କ ପକ୍ଷରୁ ପ୍ରାୟ ୭୦,୦୦୦ କୋଟି ଟଙ୍କାର ବିଡ୍ ସାମିଲ ରହିଛି ।

ଜିଓ ଆଇପିଓରେ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ କୋଟା ୧.୩୬ ଗୁଣ ଏବଂ ସେୟାରଧାରକଙ୍କ କୋଟା ୧.୪୬ ଗୁଣ ସବସ୍କ୍ରାଇବ୍ ହୋଇଛି। କର୍ମଚାରୀଙ୍କ ପାଇଁ ୫୦୦ କୋଟି ଟଙ୍କା ଏବଂ ଯୋଗ୍ୟ ରିଲାଏନ୍ସ ସେୟାରଧାରକଙ୍କ ପାଇଁ ୨,୫୦୦ କୋଟି ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ସେୟାର ସଂରକ୍ଷିତ ରଖାଯାଇଛି। ଅଣ-ସଂସ୍ଥାଗତ ନିବେଶକ (ଏନଆଇଆଇ) ବର୍ଗରେ ୧.୬୮ ଗୁଣ ଏବଂ ଖୁଚୁରା ବା ରିଟେଲ ନିବେଶକ ବର୍ଗରେ ୭୩ ପ୍ରତିଶତ ସବସ୍କ୍ରିପ୍ସନ୍ ହୋଇଛି। ରିଟେଲ ବର୍ଗରେ ପ୍ରଥମ ଦିନରେ ହିଁ ପ୍ରାୟ ୬,୯୦୮ କୋଟି ଟଙ୍କାର ବିଡ୍ ମିଳିବା ମଧ୍ୟ ଏକ ରେକର୍ଡ। ଭାରତୀୟ ଆଇପିଓ ଇତିହାସରେ ପ୍ରଥମ ଦିନରେ ରିଟେଲ ନିବେଶକ ବର୍ଗରେ ଏହା ଏଯାବତ୍ ସର୍ବାଧିକ ବିଡ୍ ରାଶି।

୨୦୨୬ର ଅନ୍ୟ ବଡ଼ ଆଇପିଓଗୁଡ଼ିକ ସହ ତୁଳନା କଲେ, ଜିଓର ଆରମ୍ଭ ବେଶ୍ ଦ୍ରୁତ ରହିଛି। ଚଳିତ ବର୍ଷ ଜିଓ ବ୍ୟତୀତ ତିନିଟି ବଡ଼ ଆଇପିଓ ମଧ୍ୟରୁ ଏନଏସଇରେ ପ୍ରଥମ ଦିନରେ ୪୨ ପ୍ରତିଶତ, ଏସବିଆଇ ଫଣ୍ଡସ ମ୍ୟାନେଜମେଣ୍ଟରେ ୬୮ ପ୍ରତିଶତ ଏବଂ ମଣିପାଲ ହେଲଥରେ ମାତ୍ର ୧୫ ପ୍ରତିଶତ ସବସ୍କ୍ରିପ୍ସନ୍ ମିଳିଥିଲା। ଏହି ଆଇପିଓଗୁଡ଼ିକ ମଧ୍ୟରୁ କୌଣସିଟି ମଧ୍ୟ ପ୍ରଥମ ଦିନରେ ସମ୍ପୂର୍ଣ୍ଣ ସବସ୍କ୍ରାଇବ୍ ହୋଇପାରି ନଥିଲା । ଏହାର ଓଲଟା ଭାବରେ ଜିଓ ଆଇପିଓ ପ୍ରଥମ ଦିନରେ ହିଁ ୩୧୬ ପ୍ରତିଶତ ସବସ୍କ୍ରିପ୍ସନ୍ ହାସଲ କରିଛି। ଜିଓର ପ୍ରଥମ ଦିନର ସବସ୍କ୍ରିପ୍ସନ୍ ହ୍ୟୁଣ୍ଡାଇ ମୋଟର ଇଣ୍ଡିଆର ସମ୍ପୂର୍ଣ୍ଣ ବିଡିଂ ଅବଧିର ସବସ୍କ୍ରିପ୍ସନକୁ ମଧ୍ୟ ପଛରେ ପକାଇଛି । ଜିଓ ପୂର୍ବରୁ ଦେଶର ସର୍ବବୃହତ୍ ଆଇପିଓର ରେକର୍ଡ ହ୍ୟୁଣ୍ଡାଇ ଇଣ୍ଡିଆ ନାମରେ ଥିଲା। ଅକ୍ଟୋବର ୨୦୨୪ରେ ଆସିଥିବା ହ୍ୟୁଣ୍ଡାଇ ଇଣ୍ଡିଆ ଆଇପିଓକୁ ପ୍ରଥମ ଦିନରେ ମାତ୍ର ୧୮ ପ୍ରତିଶତ ସବସ୍କ୍ରିପ୍ସନ୍ ମିଳିଥିଲା। ସମ୍ପୂର୍ଣ୍ଣ ବିଡିଂ ଅବଧିରେ ମଧ୍ୟ ଏହା ମାତ୍ର ୨.୩୭ଗୁଣ ସବସ୍କ୍ରାଇବ୍ ହୋଇଥିଲା।

ଉଲ୍ଲେଖନୀୟ ଯେ, ଜିଓ ଆଇପିଓରେ ନିବେଶ ପାଇଁ ଆହୁରି ଦୁଇ ଦିନ ବାକି ଅଛି। ଏହି ଆଇପିଓ ଅକ୍ଟୋବର ୨୩ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ। ତେଣୁ ନିବେଶକଙ୍କ ପାଖରେ ଏଥିରେ ଆବେଦନ କରିବା ପାଇଁ ଆହୁରି ସମୟ ରହିଛି।

Leave a Reply

Your email address will not be published. Required fields are marked *