ଭୁବନେଶ୍ୱର,୨୪/୧୦ : ସମୃଦ୍ଧ ଓଡ଼ିଶା ଗଢ଼ିବା ସ୍ୱପ୍ନ ସାକାର କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଇ ଚାଲିଛନ୍ତି । ରାଜ୍ୟରେ ଡବଲ୍ ଇଂଜିନ ସରକାର ଗଠନ ହେବା ପରେ ପ୍ରଗତିକୁ ଗତିଶୀଳ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଜୀ ଆସନ୍ତାକାଲି ୯ମ ଥର ପାଇଁ ଓଡିଶା ଗସ୍ତରେ ଆସୁଛନ୍ତି । ଏହି ଅବସରରେ ସେ ଖୋର୍ଦ୍ଧାଠାରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆର୍ବିଆଇ) ଡାଟା ସେଂଟର ଓ ଟ୍ରେନିଂ ସେଂଟର ଉଦ୍ଘାଟନ କରିବେ । ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ । ଏହା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ କହିଛନ୍ତି ।
ଶ୍ରୀ ସାମଲ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ପ୍ରତ୍ୟେକଟି ଓଡ଼ିଶା ଗସ୍ତ ରାଜ୍ୟର ବିକାଶ ପାଇଁ ନୂଆ ଉପହାର ନେଇ ଆସିଥାଏ । ନିର୍ବାଚନ ପୂର୍ବରୁ ସମ୍ବଲପୁର ଓ ଚଣ୍ଡିଖୋଲରେ ଯେଉଁସବୁ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ ହୋଇଥିଲା, ସେଗୁଡ଼ିକ କ୍ରିୟାନ୍ୱୟନ ହୋଇଛି । ପ୍ରଧାନମନ୍ତ୍ରୀ କେବଳ ଘୋଷଣା କରନ୍ତି ନାହିଁ, ବରଂ ତାହାକୁ ବାସ୍ତବତାରେ ପରିଣତ କରି ଲୋକଙ୍କ ସେବାରେ ଉତ୍ସର୍ଗ କରନ୍ତି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଓଡ଼ିଶାକୁ ବିଶାଳ ପୁଞ୍ଜିନିବେଶ ଆଣିଛି ଡବଲଇଞ୍ଜିନ ସରକାର । ସେମିକଣ୍ଡକ୍ଟର, ଡାଟା ସେଂଟର, ଆଇଟି, ଖଣିଜଭିତିକ ଶିଳ୍ପ, ପେଟ୍ରୋକେମିକାଲ୍ସ, ଶକ୍ତି, କୃଷି ତଥା ପର୍ଯ୍ୟଟନ କ୍ଷେତ୍ରରେ ବିଜେପି ସରକାର ଦୃଢ଼ ପଦକ୍ଷେପ ନେଇ ରାଜ୍ୟର ଅର୍ଥନୀତିକୁ ନୂତନ ଗତି ଦେଇଛି । ଆଗାମୀ ଦିନରେ ଓଡ଼ିଶା ପୂର୍ବ ଭାରତର ପ୍ରଗତିର ମୁଖଶାଳା ହେବାକୁ ଯାଉଛି ।
ପ୍ରଧାନମନ୍ତ୍ରୀଭାବେ ଦାୟିତ୍ୱ ନେବା ପରେ ମୋଦିଜୀ ଓଡ଼ିଶାର ସର୍ବାଙ୍ଗୀନ ଓ ସାମୂହିକ ବିକାଶକୁ ଗୁରୁତ୍ୱ ଦେଇଆସୁଛନ୍ତି । ଓଡ଼ିଶାକୁ ଦେଶର ୧ ନମ୍ବର ରାଜ୍ୟ ତଥା ‘ସମୃଦ୍ଧ ଓଡ଼ିଶା’ ଭାବେ ଗଢ଼ିତୋଳିବା ପାଇଁ ଯାହାସବୁ ଆବଶ୍ୟକ ସେନେଇ ସେ ପଦକ୍ଷେପ ନେବେ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ରାଜ୍ୟରେ ପ୍ରଚୁର ପରିମାଣର ପ୍ରାକୃତିକ ସମ୍ପଦ, ଖଣିଖାଦାନ, ଜଳ ସମ୍ପଦ, ଜଙ୍ଗଲ ସମ୍ପଦ, ଚିଲିକା ଏବଂ ବିସ୍ତୀର୍ଣ୍ଣ ବେଳାଭୂମି ରହିଛି । ଏହି ପ୍ରାଚୁର୍ଯ୍ୟକୁ ଠିକ୍ ଭାବେ ବିନିଯୋଗ କରି ଓଡ଼ିଶାକୁ ବିକାଶର ଶୀର୍ଷରେ ପହଁଚାଇବା ପାଇଁ ମୋଦି ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି । ଆସନ୍ତା କାଲି ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କୁ ବ୍ୟାପକ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ପାଇଁ କାର୍ଯ୍ୟକର୍ତା ଏବଂ ଓଡ଼ିଶାବାସୀ ଉତ୍ସାହିତ ଅଛନ୍ତି ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ।













Leave a Reply