କେନ୍ଦ୍ର କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ୭ଟି ରେଳ ପ୍ରକଳ୍ପକୁ ମଞ୍ଜୁରୀ

ନୁଆଦିଲ୍ଲୀ,୯/୯: ବୁଧବାର ଅନୁଷ୍ଠିତ ହୋଇଛି କେନ୍ଦ୍ର କ୍ୟାବିନେଟ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ବାଜିଛି । ଦେଶର ରେଳ ଭିତ୍ତିଭୂମି ଆହୁରି ସୁଦୃଢ଼ ହେବ । ଏନେଇ ୭ଟି ରେଳ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି ସରକାର।

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି , କୋଲକାତା-ଦିଲ୍ଲୀ, ଚେନ୍ନାଇ-କୋଲକାତା, ଦିଲ୍ଲୀ-ମୁମ୍ବାଇ, ମୁମ୍ବାଇ-ଚେନ୍ନାଇ ଏବଂ ବିଲାସପୁର-କଟନୀ ରେଳ ଲାଇନ୍‌କୁ ଫୋର୍‌-ଲେନ କରିବା ପାଇଁ ଅନୁମୋଦନ ମିଳିଛି।ସେହିପରି ମୁମ୍ବାଇ-ହାୱଡ଼ା ହାଇ ଡେନ୍ସିଟି ନେଟୱର୍କ ରୁଟ୍‌ରେ ଖଡ଼ଗପୁରରୁ ଝାରସୁଗୁଡ଼ା ପର୍ଯ୍ୟନ୍ତ ୪ର୍ଥ ରେଳ ଲାଇନ ନିର୍ମାଣକୁ ମଧ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛି। ଏହି ପ୍ରକଳ୍ପର ଲମ୍ବ ପ୍ରାୟ ୩୬୭ କିଲୋମିଟର ହୋଇଥିବା ବେଳେ ଏଥିପାଇଁ ୬,୫୨୮ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ଆରକୋଣମରୁ ରେଣିଗୁଣ୍ଟା ପର୍ଯ୍ୟନ୍ତ ୩ୟ ଓ ୪ର୍ଥ ରେଳ ଲାଇନ ନିର୍ମାଣକୁ ମଧ୍ୟ ଅନୁମୋଦନ ମିଳିଛି। ଏହି ରେଳ ପ୍ରକଳ୍ପର ଲମ୍ବ ୭୭ କିଲୋମିଟର ହେବ ଏବଂ ଏଥିପାଇଁ ୧,୯୩୬ କୋଟି ଟଙ୍କା ଖର୍ଚ୍ଚ କରାଯିବ।

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଆଜିର କ୍ୟାବିନେଟ ବୈଠକରେ ରେଳୱେର ଆଧୁନିକୀକରଣ ସହ ଜଡ଼ିତ କିଛି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଉପରେ ଆଲୋଚନା ହୋଇଛି। ଏହି ପ୍ରକଳ୍ପଗୁଡ଼ିକ ଉପରେ ଗତ ୧୨ ବର୍ଷ ଧରି କାମ ଚାଲିଆସୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତୀୟ ରେଳୱେର ସମ୍ପୂର୍ଣ୍ଣ ରୂପାନ୍ତରଣ ଓ ଆଧୁନିକୀକରଣ ଦିଗରେ ଏହି ପ୍ରକଳ୍ପଗୁଡ଼ିକ ଗୁରୁତ୍ୱ ବହନ କରୁଛି।

ସେ କହିଛନ୍ତି ଯେ, ୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ ଏବଂ ଚାରି-ଟ୍ରାକ ବିଶିଷ୍ଟ କରିବା କାମ ଚାଲିଛି। ଏଥିସହ ଆହୁରି ଅନେକ କରିଡୋରରେ ମଧ୍ୟ କାମ ହେଉଛି, ଯେଉଁ ରୁଟ୍‌ଗୁଡ଼ିକରେ ଭବିଷ୍ୟତରେ ଭାରୀ ଟ୍ରାଫିକ ହେବାର ଆଶା ରହିଛି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଦିଲ୍ଲୀରୁ ମୁମ୍ବାଇ, ମୁମ୍ବାଇରୁ ଚେନ୍ନାଇ, ଚେନ୍ନାଇରୁ କୋଲକାତା ଏବଂ କୋଲକାତାରୁ ଦିଲ୍ଲୀ ହୋଇ ପୁଣି ମୁମ୍ବାଇ ପର୍ଯ୍ୟନ୍ତ ରୁଟ୍‌କୁ ମିଶାଇ ‘ଗୋଲ୍ଡେନ କ୍ୱାଡ୍ରିଲାଟେରାଲ’ ଗଠିତ ହୋଇଛି। ଏହା ସହ ଏହାର ଦୁଇଟି ଡାଏଗୋନାଲ ରୁଟ୍‌ ରହିଛି ଦିଲ୍ଲୀରୁ ଚେନ୍ନାଇ ଏବଂ ମୁମ୍ବାଇରୁ କୋଲକାତା। ଏହା ବ୍ୟତୀତ ଦିଲ୍ଲୀରୁ ଗୁଆହାଟୀ ପର୍ଯ୍ୟନ୍ତ ରୁଟ୍‌ ମଧ୍ୟ ରହିଛି।

ଏହିପରି ମୋଟ ୭ଟି ହାଇ-ଡେନ୍ସିଟି କରିଡୋରକୁ ଫୋର୍‌-ଲେନ କରାଯାଉଛି। ସମସ୍ତ ପ୍ରକଳ୍ପରେ ପର୍ଯ୍ୟାୟକ୍ରମେ କାମ ଚାଲିଛି। ପ୍ରାୟ ୪,୦୦୦ କିଲୋମିଟର ରେଳପଥ ପାଇଁ ବର୍ତ୍ତମାନ ଡିପିଆର୍‌ (ବିସ୍ତୃତ ପ୍ରକଳ୍ପ ରିପୋର୍ଟ) ପ୍ରସ୍ତୁତ କରାଯାଉଛି।

Leave a Reply

Your email address will not be published. Required fields are marked *