ରାଜ୍ୟରେ ପ୍ରବଳ ବର୍ଷା ସହ ବଜ୍ରପାତ ଆଶଙ୍କା

ଭୁବନେଶ୍ୱର, ୨୪/୮ : ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ ଉତ୍ତର ଉପକୂଳ ଓଡ଼ିଶା ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ଲଘୁଚାପ କ୍ଷେତ୍ର ବର୍ତ୍ତମାନ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଉତ୍ତର ଓଡ଼ିଶା ସଂଲଗ୍ନ ଅଞ୍ଚଳ ଉପରେ ଅବସ୍ଥିତ ରହିଛି। ଏହା ଆଗାମୀ ୨୪ ଘଣ୍ଟାରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏହାସହ ଏହି ଜିଲ୍ଲାଗୁଡ଼ିକରେ ବଜ୍ରପାତ ସହ ଘଡ଼ଘଡ଼ି ଓ ଘଣ୍ଟା ପ୍ରତି ୪୦-୫୦ କି.ମି. ବେଗରେ ଝଟକା ପବନ ବହିବାର ସମ୍ଭାବନା ରହିଛି।

ଏଥିସହ ବାଲେଶ୍ୱର, ଦେବଗଡ଼, ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ ଓ ନୟାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ରାଜ୍ୟରେ ଲଘୁଚାପଜନିତ ବର୍ଷା ଓ ବନ୍ୟା ପରିସ୍ଥିତି ଉପରେ ରାଜ୍ୟ ସରକାର ନିରନ୍ତର ନଜର ରଖିଛନ୍ତି। ସମଗ୍ର ପରିସ୍ଥିତିକୁ ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର (SEOC) ପକ୍ଷରୁ ୨୪ ଘଣ୍ଟା ନିରୀକ୍ଷଣ କରାଯାଉଛି ।

Leave a Reply

Your email address will not be published. Required fields are marked *