ଭୁବନେଶ୍ବର,୬/୧୧ : ଓଲିଉଡ଼ର ଜଣାଶୁଣା ଚେହେରା ଦେବାଶିଷ ସାହୁ ଓରଫ ଦେବ୍ । ସବୁବେଳେ ଭିନ୍ନ ଚରିତ୍ରକୁ ନେଇ ଏକ୍ସପେରିମେଣ୍ଟ କରିଥାନ୍ତି । କେହି କେହି ତାଙ୍କୁ ଓଡ଼ିଶାର ନାନା ପାଟେକର ବୋଲି ଅଭିହିତ କରିଥାନ୍ତି । ରୋକଠୋକ୍ କୁହନ୍ତି ବୋଲି ସେ ସମସ୍ତଙ୍କ ରୋଷର ଶିକାର ହୁଅନ୍ତି । ବହୁ ଓଡ଼ିଆ ସିନେମାରେ ନଜର ଆସିଛନ୍ତି । ବିଗତ ଦିନରେ ତାଙ୍କର ଡ୍ରିମ୍ ପ୍ରୋଜେକ୍ଟ ‘ଟି’ ଲୋକପ୍ରିୟତାର ଶୀର୍ଷ ସାଉଣ୍ଟିଥିଲା । ଦମଦାର୍ ଅଭିନୟ ସାଙ୍ଗକୁ ଲୁକକୁ ନେଇ ଏକ୍ସପେରିମେଣ୍ଟ କରିଥିଲେ । ଯାହା ଓଡ଼ିଆ ଦର୍ଶକଙ୍କ ମନ ଜିଣିଥିଲା । ଘରେ ଘରେ ନିଜର ଏକ ଛାପ ଛାଡ଼ିଥିଲେ । ତାଙ୍କର ଯାଦୁଗରୀ ଅଭିନୟରେ ସେ ସମସ୍ତଙ୍କୁ ବାନ୍ଧି ରଖିପାରିଥିଲେ ।

ଓଡ଼ିଆ ସିନେମା ‘ଦେବକନ୍ୟା’ ଚଳିତ ମାସ ରିଲିଜ ହେବାକୁ ଯାଉଛି । ଏହାର ଟ୍ରେଲର ଏବେ ସାମ୍ନାକୁ ଆସିଛି । ଟ୍ରେଲର ଆସିବା ପରେ ଦେବଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତାଙ୍କର ଫ୍ୟାନ୍ସଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ପ୍ରିୟ ଷ୍ଟାରଙ୍କୁ ପୁଣି ବଡ଼ ପରଦାରେ ଦେଖିବାକୁ ଉତ୍ସାହିତ ହୋଇପଡ଼ିଛନ୍ତି ତାଙ୍କର ଫ୍ୟାନ୍ସମାନେ । ଟ୍ରେଲରରୁ ଯାହା ଜଣାପଡ଼ୁଛି ସେ ଜଣେ ଖଳ ପ୍ରକୃତିର ଲୋକ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି । ମାତ୍ର ଅଫିସିଆଲ କିଛି ଘୋଷଣା ହୋଇନାହିଁ । ଟ୍ରେଲରରେ ଦମଦାର୍ ଭୂମିକାରେ ନଜର ଆସୁଛନ୍ତି ।

ଦେବଙ୍କ ଭଳି ଜଣେ ନିଖୁଣ କଳାକାର ଆଜି ଓଡ଼ିଶାରେ ଯେତେମାତ୍ରାରେ କାମ କରିବା କଥା ସେତିକି କାମ କରୁନାହାନ୍ତି । କାରଣ ସେ ଟିକେ ଚୁଜି ଅର୍ଥାତ୍ ପ୍ରୋଜେକ୍ଟକୁ ବାଛି ବିଚାରି କରନ୍ତି । ଭଲ କାମ ନ ହେଲେ ସେ ଦୂରେଇ ରୁହନ୍ତି ଯେଉଁଥିପାଇଁ ସେ ଅନ୍ୟାମାନଙ୍କଠାରୁ ସ୍ବତନ୍ତ୍ର । ଖାଲି ଟି ନୁହେଁ ପୂର୍ବରୁ ବହୁ ସିନେମା ହେଉ କିମ୍ବା ସିରିଏଲରେ ମଧ୍ୟ ନିଜ ଅଭିନୟର ଛାପ ଛାଡ଼ିଛନ୍ତି ଦେବ୍ । ଯେଉଁଥି ପାଇଁ ଓଡ଼ିଶାବାସୀଙ୍କ ମନରେ ଘର କରି ରହିଛନ୍ତି ।













Leave a Reply