ଶୁଭେନ୍ଦୁ ସରକାରଙ୍କ ବଡ଼ ପଦକ୍ଷେପ

କୋଲକତା,୨୫/୮: ପଶ୍ଚିମବଙ୍ଗରେ ନାଗରିକତା ସଂଶୋଧନ ଆଇନ (CAA) ଅଧୀନରେ ଦାଖଲ ହୋଇଥିବା ନାଗରିକତା ଆବେଦନର ପ୍ରକ୍ରିୟା ତ୍ୱରାନ୍ୱିତ କରାଯିବା ନେଇ ବଡ଼ ସୂଚନା ମିଳିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ସିଏଏ ଅନୁଯାୟୀ ଦାଖଲ ହୋଇଥିବା ନାଗରିକତା ଆବେଦନର ଶୁଣାଣି ଖୁବ୍ ଶୀଘ୍ର ସମାପ୍ତ ହେବ।  ପ୍ରମାଣପତ୍ର ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ। CAA ଅନୁଯାୟୀ ୨.୩୦ ଲକ୍ଷ ଲୋକ ନାଗରିକତା ପାଇଁ ଆବେଦନ କରିଥିଲେ, ଯେଉଁଥିରୁ ୨୩ ହଜାରଙ୍କୁ ପ୍ରମାଣପତ୍ର ଜାରି କରାଯାଇଛି।

ବାଂଲାଦେଶରେ ଧାର୍ମିକ ନିର୍ଯାତନା ପରେ ଭାରତକୁ ଆସିଥିବା ଯୋଗ୍ୟ ହିନ୍ଦୁ ଶରଣାର୍ଥୀଙ୍କୁ ନାଗରିକତା ପ୍ରମାଣପତ୍ର ଦେବା ପ୍ରକ୍ରିୟା ଶୀଘ୍ର ଶେଷ କରାଯିବ ବୋଲି କୁହାଯାଇଛି। ବିଶେଷ କରି ମତୁଆ ସମ୍ପ୍ରଦାୟର ଆବେଦନକାରୀଙ୍କ ଦୀର୍ଘଦିନର ଅପେକ୍ଷା ଶେଷ ହେବାର ଆଶା ରହିଛି।ଏହି ମାସ ଆରମ୍ଭରେ କୋଲକାତାର ନ୍ୟୁ ଟାଉନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉତ୍ତର ୨୪ ପରଗଣା ଜିଲ୍ଲାର ମତୁଆ ସମ୍ପ୍ରଦାୟର ପ୍ରାୟ ୩୦୦ ଜଣଙ୍କୁ ଭାରତୀୟ ନାଗରିକତା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

ଉପଲବ୍ଧ ତଥ୍ୟ ଅନୁସାରେ, ଏପର୍ଯ୍ୟନ୍ତ ୨୩,୯୫୬ଟି ନାଗରିକତା ପ୍ରମାଣପତ୍ର ଜାରି ହୋଇସାରିଛି। ଏଥିମଧ୍ୟରୁ ନଦିଆ ଜିଲ୍ଲାରେ ସର୍ବାଧିକ ୧୦,୧୯୧ ଜଣ ପ୍ରମାଣପତ୍ର ପାଇଥିବାବେଳେ, ଉତ୍ତର ୨୪ ପରଗଣାରେ ୮,୯୩୦ ଜଣ ନାଗରିକତା ସାର୍ଟିଫିକେଟ୍ ପାଇଛନ୍ତି। CAA ଅନୁସାରେ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରୁ ଧାର୍ମିକ ନିର୍ଯାତନା କାରଣରୁ ୩୧ ଡିସେମ୍ବର ୨୦୧୪ ପୂର୍ବରୁ ଭାରତକୁ ଆସିଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଓ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଯୋଗ୍ୟ ଶରଣାର୍ଥୀଙ୍କୁ ଭାରତୀୟ ନାଗରିକତା ଦେବାର ବ୍ୟବସ୍ଥା ରହିଛି।

Leave a Reply

Your email address will not be published. Required fields are marked *