ବୟସର ଆଇନାରେ…..

ସଞ୍ଜ ନଇଁ ନଇଁ ଆସୁଥାଏ। ସାରାଦିନ ଖରାଝାଞ୍ଜିର ଗଞ୍ଜଣା ସାଙ୍ଗକୁ, ନାତି ନାତୁଣୀଙ୍କର ଅଳି ଅଝଟର ଦାଉକୁ ସହିସହି ଯେମିତି ସନାତନ ମଉସା ଥକି ପଡ଼ନ୍ତି। ସେଥିରେ ବି ମଜା ଥାଏ, ତଥାପି ବେଳବେଳେ ମଣିଷ ଟିକେ ଶାନ୍ତି ଖୋଜେ। ଖାଲି ସେତିକି ନୁହେଁ, ସୂର୍ଯ୍ୟ ଦେବତା ମଧ୍ୟ ସାରା ଦିନର କାମକୁ ସାରି ଦେଇ ପଶ୍ଚିମ ଆକାଶେ ବିଶ୍ରାମ ନେବା ପାଇଁ ଧିରେ ଧିରେ ଢଳି ପଡ଼ନ୍ତି। ସବୁଦିନ ସେହି ସମୟରେ ସନାତନ ମଉସା ଚାଲି ଯାଆନ୍ତି ନଈ ବନ୍ଧକୁ ସୂର୍ଯ୍ୟଙ୍କ ସହ ବାର୍ତ୍ତାଳାପ କରିବାକୁ। ଆଉ ନୁହେଁ ତ କଣ, ଯେତେବେଳେ ଦେଖ, ସେହି ପଶ୍ଚିମ ଆକାଶକୁ ଚାହିଁ ଏକାକୀ କଣ ସବୁ ଭାବନ୍ତି କେଜାଣି? ଦେଖିଲେ ମନେହୁଏ, ଇଏ ଯେପରି ବୟସର ବିଷାଦତା।

ଦୁଇ ବର୍ଷ ତଳେ ମାଉସୀଙ୍କର ଦେହାନ୍ତ ହୋଇ ଯାଇଥିଲା। ପୁଅ ବୋହୁ ଦୁଇଜଣ ପାଖ ପ୍ରାଇମେରୀ ସ୍କୁଲରେ ଶିକ୍ଷକ ଥିଲେ। ଝିଅ ମଧ୍ୟ ଶାଶୁ ଘର ଚାଲି ଯାଇଥିଲା। ସକାଳୁ ଯାହା ରୋଷେଇ ହୁଏ, ନିଜେ ଖାଇବା ସହ ନାତିନାତୁଣୀଙ୍କୁ ଖୁଆଇ ଦେଇ ଘରକୁ ଜଗି ରହିଥାନ୍ତି।ମାଉସୀ ଚାଲିଯିବା ଏବଂ ମଉସାଙ୍କର ଅବସର ନେବା ପରେ, ସତେ ଯେମିତି ପକ୍ଷୀମାନେ ଆକାଶରେ ଉଡୁ ଥାଆନ୍ତି ଏବଂ ହଠାତ୍ ଉଭାନ୍ ହୋଇଯାଆନ୍ତି, ସେମିତି କ୍ରମେ କ୍ରମେ ସବୁ ବନ୍ଧୁ ପରିଜନ ଓ ସାଙ୍ଗସାଥୀଙ୍କ ଠାରୁ ମଉସା ଅନେକ ଦୂରରେ। ତାଙ୍କର ଦେଖିଥିବା ସ୍ବପ୍ନ ଗଙ୍ଗଶିଉଳି ଫୁଲ ପରି ରାତିରେ ଫୁଟି ସକାଳକୁ ଝଡି ପଡ଼େ। ସେହି ନଦୀବନ୍ଧ ଉପରେ ବସି ମନେପକାନ୍ତି ଅତୀତରେ ଘଟିଥିବା ଦୁଃଖ, ଶୋକ, ସ୍ନେହ, ଶ୍ରଦ୍ଧାର ମୁହୁର୍ତଗୁଡ଼ିକୁ ଆଜି ଯିଏ ମନ ଆଇନାରେ ଛବି ପାଲଟି ଯାଇଛି। କେତେ ଖରା, ବର୍ଷା ଓ ଶୀତର ପ୍ରକୋପକୁ ସହି ମଣିଷ ପହଂଚିଥାଏ କୈଶୋର, ଯୌବନ ଠାରୁ ପ୍ରୌଢ଼ତ୍ୱ ପର୍ଯ୍ୟନ୍ତ। ହେଲେ ଏହି ପରିଣତ ବୟସ ହେଉଛି ବୁଢ଼ା ହୋଇ ଯାଇଥିବା ଗଛଟିଏ ପରି। ସମସ୍ତଙ୍କ ପାଇଁ ଅଖୋଜା ଅଲୋଡ଼ା ହୋଇଗଲେ ମଧ୍ୟ ପାରିବାରିକତାର ଅଖଣ୍ଡତାକୁ ବଜାୟ ରଖିବା ପାଇଁ ଏବଂ ବଂଶ ବୃକ୍ଷର ଡାଳ ପତ୍ରକୁ ଉର୍ବର କରିବା ପାଇଁ ସଂସାର ବନ୍ଧନରେ ବାନ୍ଧି ହୋଇ ରହିବାକୁ ପଡ଼ିଥାଏ। ପରିବାର ଠାରୁ ଦୂରରେ ରହି କିଛି ମହତ୍ କାର୍ଯ୍ୟ କରିବା ଏବଂ ଧାର୍ମିକ ଭାବନାରେ ନିମଜ୍ଜିତ ହେବାକୁ ମନସ୍ଥ କଲେ ମଧ୍ୟ ମନର ଆଇନାଟି ସର୍ବଦା ଦେଖାଇଦିଏ, ପରିଣତ ବୟସ ହେଲେ ମଧ୍ୟ ତୁମକୁ ସମୁଦ୍ର ପରି ଗଭୀର, ଆକାଶ ପରି ବ୍ୟାପକ ଏବଂ ମାଟି ପରି ସହିବାକୁ ପଡିବ କାରଣ ତୁମେ ହେଉଛ ନିଜେ ଗଢ଼ି ତୋଳିଥିବା ମନ୍ଦିରର ଚୁଡ଼ା। ତେଣୁ ତୁମର ଦୂରତ୍ୱ କାହାର ବାଧା ଉପୁଜାଇ ପାରେ।

ପୁଣି ଥରେ ସନାତନ ମଉସା ଫେରି ଆସନ୍ତି ଘରକୁ ସବୁ ଭାବନାକୁ ପଛରେ ଛାଡ଼ିଦେଇ ନୀତି ଦିନିଆ ଜୀବନ ଶୈଳୀକୁ।

ସଂଯୁକ୍ତା ଦାଶ

ଭୁବନେଶ୍ବର

Leave a Reply

Your email address will not be published. Required fields are marked *