ଆଜିର ସମୟରେ ଦରବୃଦ୍ଧି ଏକ ସାଧାରଣ ଆଲୋଚନାର ବିଷୟ ନୁହେଁ, ବରଂ ପ୍ରତ୍ୟେକ ପରିବାରର ଦୈନନ୍ଦିନ ଚିନ୍ତାର କାରଣ ହୋଇପଡ଼ିଛି। ବିଶେଷକରି ରୋଷେଇ ଘରର ଖର୍ଚ୍ଚ ଯେପରି ଦିନକୁ ଦିନ ବଢିଚାଲିଛି , ମଧ୍ୟବିତ୍ତ ଓ ନିମ୍ନମଧ୍ୟବିତ୍ତ ପରିବାର ପାଇଁ ଘର ଚଲାଇବା ଏକ ବଡ଼ ସମସ୍ୟାରେ ପରିଣତ ହୋଇଛି। ଗ୍ୟାସ୍ ସିଲିଣ୍ଡର ଠାରୁ ଆରମ୍ଭ କରି ଡାଲି, ତେଲ, ପିଆଜ, ଟମାଟୋ ଓ ସବୁଜ ପରିବା ଯାଏଁ ସବୁଠି ଦରବୃଦ୍ଧିର ପ୍ରଭାବ ସ୍ପଷ୍ଟ ଭାବେ ଦେଖାଯାଉଛି। କିଛି ବର୍ଷ ଆଗରୁ ଯେଉଁ ସାମଗ୍ରୀ ସହଜରେ କିଣିହେଉଥିଲା, ଏବେ ସେଗୁଡ଼ିକ କିଣିବା ପୂର୍ବରୁ ଲୋକମାନେ ଦୁଇଥର ଭାବୁଛନ୍ତି। ଦେଶର ଖୁଚୁରା ଦରବୃଦ୍ଧି ହାର ଅନେକ ସମୟରେ ୫ ରୁ ୬ ପ୍ରତିଶତ ମଧ୍ୟରେ ରହୁଥିବାବେଳେ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ତାହାଠାରୁ ଅଧିକ ହୋଇଥାଏ। ଆଳୁ,ପିଆଜ, ଟମାଟୋ ଭଳି ନିତ୍ୟବ୍ୟବହାରୀ ସାମଗ୍ରୀ, ସୋରିଷ ତେଲ, ଖାଦ୍ୟ ତେଲ,ଡାଲିର ଦର ବୃଦ୍ଧି ମଧ୍ୟ ସାଧାରଣ ଲୋକଙ୍କ ରୋଷେଇ ଘରର ବଜେଟକୁ ଅସ୍ଥିର କରିଦେଇଛି।
ପୂର୍ବେ ଏକ ପରିବାରର ମାସିକ ଆୟ ଅନୁଯାୟୀ ଖର୍ଚ୍ଚର ଯୋଜନା କରିପାରୁଥିଲା। କିନ୍ତୁ ଆଜି ପ୍ରତିଦିନ ବଦଳୁଥିବା ବଜାର ଦର ଯୋଗୁଁ ସେହି ଯୋଜନା ଅସ୍ଥିର ହୋଇପଡ଼ୁଛି। ପନିପରିବା, ଡାଲି, ଖାଇବା ତେଲ, ଦୁଗ୍ଧଜାତ ଦ୍ରବ୍ୟ, ମସଲା ଏବଂ ରନ୍ଧନ ଗ୍ୟାସ ଭଳି ନିତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ମଧ୍ୟବିତ୍ତ ଓ ନିମ୍ନବିତ୍ତ ପରିବାରମାନଙ୍କ ପାଇଁ ବଡ଼ ଚିନ୍ତାର କାରଣ ହୋଇଛି। ଅନେକ ପରିବାର ଆଜି ପୌଷ୍ଟିକ ଖାଦ୍ୟର ପରିମାଣ କମାଇ ଖର୍ଚ୍ଚ ନିୟନ୍ତ୍ରଣ କରିବାକୁ ବାଧ୍ୟ ହେଉଛନ୍ତି।
ଏହି ଦରବୃଦ୍ଧି ପଛରେ ଅନେକ କାରଣ ଯେମିତିକି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ସହ କେତେକ ବ୍ୟବସାୟୀଙ୍କ କଳାବଜାରୀ ଏକ ମୁଖ୍ୟ କାରଣ। ଏହାର ସବୁଠାରୁ ଅଧିକ ପ୍ରଭାବ ପଡ଼ୁଛି ଗୃହିଣୀମାନଙ୍କ ଉପରେ। ସୀମିତ ଆୟରେ ଘର ଚଳାଇବାକୁ ସେମାନେ ଏବେ ବାଧ୍ୟ ହେଉଛନ୍ତି। ଆଗରୁ ଯେଉଁଠି ଗୋଟିଏ ପରିବାର ସପ୍ତାହରେ ଅନେକ ପ୍ରକାର ସବୁଜ ପରିବା କିଣୁଥିଲେ, ଏବେ ସେଠି କମ୍ ପରିମାଣରେ ଏବଂ ଅତି ଆବଶ୍ୟକୀୟ ହେଲେ କିଣୁଛନ୍ତି। ପରିଣାମ ପୁଷ୍ଟିକର ଖାଦ୍ୟ ଠାରୁ ଅନେକ ପରିବାର ଶସ୍ତା ଖାଦ୍ୟକୁ ପସନ୍ଦ କରୁଛନ୍ତି। ଏହାର ଦୀର୍ଘମିଆଦି ପ୍ରଭାବ ଶିଶୁ ଓ ବୃଦ୍ଧଙ୍କ ସ୍ୱାସ୍ଥ୍ୟ ଉପରେ ପଡ଼ିପାରେ। ଏକ ସର୍ବେକ୍ଷଣ ଅନୁଯାୟୀ, ସହରାଞ୍ଚଳର ଅଧିକାଂଶ ପରିବାର ତାଙ୍କ ମାସିକ ଆୟର ୪୦ ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ଖାଦ୍ୟ ସାମଗ୍ରୀ କିଣିବାରେ ବ୍ୟୟ କରୁଛନ୍ତି। ଗ୍ରାମାଞ୍ଚଳରେ ମଧ୍ୟ ପରିସ୍ଥିତି ଅଲଗା ନୁହେଁ। ଆୟ ବଢ଼ୁଥିଲେ ମଧ୍ୟ ଖର୍ଚ୍ଚ ତାଠାରୁ ବେଶି ଗତିରେ ବଢ଼ୁଥିବାରୁ ସଞ୍ଚୟ କରିବା କଷ୍ଟକର ହୋଇଯାଉଛି।
ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଲିଟର ପ୍ରତି ୩ ଟଙ୍କା ବୃଦ୍ଧିର ପ୍ରଭାବ କେବଳ ଯାନବାହନରେ ସୀମିତ ନୁହେଁ, ଏହା ପରିବହନ ଖର୍ଚ୍ଚ ମଧ୍ୟ ବଢ଼େଇ ଦେଉଛି l ଏହା ଦ୍ୱାରା ଫଳ, ପନିପରିବା କ୍ଷୀର, ଡାଲି, ଚାଉଳ ଭଳି ରୋଷେଇ ଘରେ ନିତି ବ୍ୟବହାର ହେଉଥିବା ସାମଗ୍ରୀର ଦର ବଢିଯାଉଛି l କଥା ହେଉଛି ଭାରତର ଅର୍ଥବ୍ୟବସ୍ଥା ପ୍ରାୟତଃ ପେଟ୍ରୋଲ ଏବଂ ଡିଜେଲ ଦର ଉପରେ ନିର୍ଭରଶୀଳ l ପରିବା ଏବଂ ନିତ୍ୟ ବ୍ୟବହାର୍ଯ୍ୟ ଖାଇବା ଜିନିଷ ନେବାଆଣିବା କରୁଥିବା ଯାନବାହନ ଠାରୁ ଆରମ୍ଭ କରି ଅନଲାଇନ ମଗାଯାଉଥିବା ରୋଷେଇ ସାମଗ୍ରୀ ପର୍ଯ୍ୟନ୍ତ ସବୁକିଛି ପରିବହନ ଉପରେ ନିର୍ଭର କରେ l ମାତ୍ର କିଛି ଟଙ୍କାର ମୂଲ୍ୟ ବୃଦ୍ଧି ପ୍ରତ୍ୟକ୍ଷ ଭାବରେ ରାତାରାତି ପ୍ରଭାବିତ କରିପାରେ ନାହିଁ, କିନ୍ତୁ ସମୟ ସହିତ ଲଗାତାର ଭାବରେ ପରିବହନ ଖର୍ଚ୍ଚ ବୃଦ୍ଧି ଯୋଗୁଁ ଏହା ରୋଷେଇ ଘର ଖର୍ଚ୍ଚକୁ ପ୍ରଭାବିତ କରେ l
ସର୍ବ ଭାରତୀୟ ଯାନବାହନ ଏବଂ ଦ୍ରବ୍ୟ ପରିବହନ ସଂସ୍ଥାର ଅଧ୍ୟକ୍ଷ ରାଜେନ୍ଦ୍ର କପୁର କୁହନ୍ତି, ପ୍ରଥମରୁ ହିଁ ପରିବହନ ବ୍ୟବସାୟୀ ଟୋଲ ଟ୍ୟାକ୍ସ, ମହଙ୍ଗା ଯାନ୍ତ୍ରିକ ଉପକରଣ, ବୀମା ରାଶି, ଫିଟନେସ ପରମିଟ ଏବଂ ଅନ୍ୟାନ୍ୟ ଟ୍ୟାକ୍ସ ସମ୍ବନ୍ଧୀୟ ଖର୍ଚ୍ଚର ଚାପରେ କାମ କରୁଛନ୍ତି l ଏଭଳି ସମୟରେ ପେଟ୍ରୋଲ ଡିଜେଲ ଦରବୃଦ୍ଧିର ପ୍ରଭାବ ପ୍ରତ୍ୟେକ କ୍ଷେତ୍ରରେ ବୋଝ ଭଳି ମନେହେବ l ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ, ପେକେଜଡ଼ ଖାଦ୍ୟ, ଗ୍ୟାସ ସିଲିଣ୍ଡରର ଦରବୃଦ୍ଧି ରୋଷେଇ ଘରର ଖର୍ଚ୍ଚକୁ କେଇଗୁଣା ବଢ଼େଇଦିଏ l ଅନ୍ୟ ରାଜ୍ୟରୁ ଆମଦାନୀ କରାଯାଉଥିବା ଖାଦ୍ୟ ସାମଗ୍ରୀ ସ୍ଥାନୀୟ ଦୋକାନୀ ଏବଂ ବଣ୍ଟନକାରୀଙ୍କ ଖର୍ଚ୍ଚ ବଢ଼ାଏ l ଚାଷକାମ କରୁଥିବା କୃଷକମାନେ ମଧ୍ୟ ତେଲ ଦରବୃଦ୍ଧି ଯୋଗୁଁ ଟ୍ରାକ୍ଟର, ଜଳସେଚନ, ଫସଲ ଅମଳରେ ଅଧିକ ଖର୍ଚ୍ଚାନ୍ତ ହୁଅନ୍ତି, ଯାହାର ପ୍ରଭାବ ପରିବା ଦରକୁ ପ୍ରଭାବିତ କରେ l
ତେବେ ଏହାର ସମାଧାନ କ’ଣ ? ସରକାରଙ୍କ ପକ୍ଷରୁ ଆବଶ୍ୟକୀୟ ସାମଗ୍ରୀର ଦର ନିୟନ୍ତ୍ରଣ, କଳାବଜାରୀ ରୋକିବା ଓ କୃଷକଙ୍କୁ ଉଚିତ ସହାୟତା ଦେବା ଅତ୍ୟାବଶ୍ୟକ। ସେହିପରି ଲୋକମାନଙ୍କୁ ମଧ୍ୟ ଅପଚୟ ରୋକିବା ଓ ସଞ୍ଚୟମୂଳକ ଜୀବନଶୈଳୀ ଆପଣେଇନେବା ଆବଶ୍ୟକ। ଘରୋଇ ବଗିଚା, ସ୍ଥାନୀୟ ଉତ୍ପାଦନ ଓ ଋତୁଆନୁଯାୟୀ ପରିବା ବ୍ୟବହାର କରି କିଛି ମାତ୍ରାରେ ଖର୍ଚ୍ଚ କମାଇହେବ। ରୋଷେଇ ଘର କେବଳ ଖାଦ୍ୟ ରନ୍ଧନର ସ୍ଥାନ ନୁହେଁ; ଏହା ଗୋଟିଏ ପରିବାରର ଆର୍ଥିକ ଓ ସାମାଜିକ ସ୍ଥିତିର ଆଇନା। ଯେତେବେଳେ ରୋଷେଇ ଘରେ ଦରବୃଦ୍ଧିର ମାଡ଼ ପଡ଼େ, ସେତେବେଳେ ତାହାର ପ୍ରଭାବ ସମଗ୍ର ପରିବାର ଉପରେ ପଡ଼ିଥାଏ। ତେଣୁ ଏହାକୁ ନିୟନ୍ତ୍ରଣ କେବଳ ଆର୍ଥିକ ନୁହେଁ, ସାମାଜିକ ସ୍ଥିରତା ପାଇଁ ମଧ୍ୟ ଅତ୍ୟନ୍ତ ଆବଶ୍ୟକ l
ଉପଭୋକ୍ତା କେବଳ ଜଣେ କ୍ରେତା ନୁହେଁ; ସେ ଦେଶର ଅର୍ଥନୀତିର ଏକ ମୂଳ ଚାଳିକା ଶକ୍ତି। ତାଙ୍କ କ୍ରୟ କ୍ଷମତା ହ୍ରାସ ପାଇଲେ ବଜାରର ଗତିଶୀଳତା ମଧ୍ୟ ପ୍ରଭାବିତ ହୁଏ। ତେଣୁ ଦରବୃଦ୍ଧି ନିୟନ୍ତ୍ରଣ କେବଳ ଆର୍ଥିକ ପରିଚାଳନାର ପ୍ରଶ୍ନ ନୁହେଁ, ବରଂ ସାମାଜିକ ନ୍ୟାୟ ଓ ମାନବିକ ସମ୍ବେଦନଶୀଳତାର ମଧ୍ୟ ଏକ ଅପରିହାର୍ଯ୍ୟ ଆବଶ୍ୟକତା। ଅସହାୟ ଉପଭୋକ୍ତାଙ୍କ ମୁହଁରେ ପୁଣି ଥରେ ସନ୍ତୋଷର ହସ ଫେରାଇ ଆଣିବା ପାଇଁ ସରକାର, ବ୍ୟବସାୟୀ ଏବଂ ସମାଜ ସମସ୍ତଙ୍କର ସମନ୍ୱିତ ପ୍ରୟାସ ଆଜିର ସମୟର ଆହ୍ୱାନ l
ଶ୍ରୁତକୀର୍ତ୍ତି ତ୍ରିପାଠୀ
ଫୋନ – 6370516478
ବିବେକାନନ୍ଦ ମାର୍ଗ, ଭୁବନେଶ୍ୱର













Leave a Reply