ବର୍ଷା ପାଇଁ ୧୧ ଜିଲ୍ଲାରେ ଶିକ୍ଷାନୁଷ୍ଠାନ ଓ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ

ଭୁବନେଶ୍ୱର, ୨୩/୯: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଏବେ ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇଛି। ଫଳରେ ପବନ ସହ ବିଜୁଳି, ଘଡ଼ଘଡ଼ି ଆଶଙ୍କା ରହିଛି । ଗଭୀର ଅବପାତ ପ୍ରଭାବ ଯୋଗୁଁ ରାଜ୍ୟରେ ବର୍ଷା ଜାରି ରହିଛି , ଫଳରେ ସରକାରୀ ଛୁଟି ବାତିଲ ହୋଇଥିବା ବେଳେ, ଆଜି ୧୧ ଜିଲ୍ଲାରେ ଶିକ୍ଷାନୁଷ୍ଠାନ ଓ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ଘୋଷଣା କରାଯାଇଛି । ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ ରାଜ୍ୟର ଉପକୂଳ ତଥା ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି । ସମ୍ଭାବ୍ୟ ବନ୍ୟା, ଜଳବନ୍ଦୀ ଓ ଭୂସ୍ଖଳନ ଆଶଙ୍କାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷାମୂଳକ ପଦକ୍ଷେପ ସ୍ୱରୂପ ବିଭିନ୍ନ ଜିଲ୍ଲାରେ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି ।

ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, ନୟାଗଡ଼, ପୁରୀ, କଳାହାଣ୍ଡି, ବଲାଙ୍ଗୀର, ଜଗତସିଂହପୁର ଓ କଳାହାଣ୍ଡିରେ ଆଜି ସମସ୍ତ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ ରହିବ ।

ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟକୁ ରେଡ୍ ଆଲର୍ଟ ଜାରି ହୋଇଛି। ଏହି ଜିଲ୍ଲାଗୁଡ଼ିକରେ ଅତି ପ୍ରବଳ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ଏବଂ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ଆଶଙ୍କା ରହିଛି। ପୁରୀ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଓ ମାଲକାନଗିରିକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଅନ୍ୟପଟେ, ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ରହିଛି।

Leave a Reply

Your email address will not be published. Required fields are marked *