ଭୁବନେଶ୍ୱର, ୧୦/୯ : ଓଡ଼ିଶା ରାଜ୍ୟ ସମବାୟ ୟୁନିଅନ୍ର ୨୦୨୬-୨୭ ବର୍ଷର ୫୬ତମ ବାର୍ଷିକ ସାଧାରଣ ସଭା ଆଜି ବୁଧବାର ସମବାୟ ଭବନ ପରିସରରେ ଶାନ୍ତି, ଶୃଙ୍ଖଳା, ସୌହାର୍ଦ୍ଦ୍ୟ ଓ ସମବାୟ ଭାବନାର ପରିବେଶରେ ସଫଳତାର ସହିତ ସମ୍ପନ୍ନ ହୋଇଛି। ୟୁନିଅନ୍ର ସଭାପତି ପ୍ରଭାସିନୀ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାଧାରଣ ସଭାରେ ପରିଚାଳନା ପରିଷଦର ସଦସ୍ୟ, ବିଭିନ୍ନ ସମବାୟ ଅନୁଷ୍ଠାନର ସଭାପତି ଓ ପ୍ରତିନିଧିଙ୍କ ସମେତ ସମବାୟ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ସଭାରେ ୨୦୨୫-୨୬ବର୍ଷର ଆୟ-ବ୍ୟୟ ଅଟକଳ ଏବଂ ୨୦୨୬-୨୭ବର୍ଷ ପାଇଁ ଆୟ-ବ୍ୟୟ ଅଟକଳ ଉପସ୍ଥାପନ କରାଯାଇଥିଲା। ଏହା ଉପରେ ବିସ୍ତୃତ ଆଲୋଚନା ପରେ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା। ଏଥିସହିତ ୟୁନିଅନ୍ର ବାର୍ଷିକ ବିବରଣୀ ଉପସ୍ଥାପନ କରାଯାଇ ଗତବର୍ଷ ଓ ଚଳିତ ବର୍ଷର ବିଭିନ୍ନ କାର୍ଯ୍ୟକ୍ରମ ଓ କାର୍ଯ୍ୟଧାରା ସମ୍ପର୍କରେ ସଦସ୍ୟମାନଙ୍କୁ ଅବଗତ କରାଯାଇଥିଲା । ସଭାପତି ପ୍ରଭାସିନୀ ଷଡ଼ଙ୍ଗୀ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ରାଜ୍ୟରେ ସମବାୟ ଆନ୍ଦୋଳନକୁ ଅଧିକ ସୁଦୃଢ଼, ସକ୍ରିୟ ଓ ଗତିଶୀଳ କରିବା ସହିତ ୟୁନିଅନ୍ର କାର୍ଯ୍ୟଧାରାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ସମସ୍ତ ସମବାୟ ନେତୃବୃନ୍ଦ, ସଦସ୍ୟ ଓ ପ୍ରତିନିଧିଙ୍କ ସହଯୋଗ ଆବଶ୍ୟକ। ସମବାୟର ମୂଳ ଲକ୍ଷ୍ୟକୁ ଆଗରେ ରଖି ସମସ୍ତଙ୍କୁ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ।
ୟୁନିଅନ୍ର ସମ୍ପାଦକ ସୁନୀତା ପତି ଶିକ୍ଷା ଓ ତାଲିମ କାର୍ଯ୍ୟକ୍ରମ, ସମବାୟ ସମ୍ପର୍କିତ ପ୍ରଚାର-ପ୍ରସାର, ବିଭିନ୍ନ କାର୍ଯ୍ୟକ୍ରମ ଓ ଭବିଷ୍ୟତ କାର୍ଯ୍ୟଯୋଜନା ସମ୍ପର୍କରେ ସଭାକୁ ଅବଗତ କରାଇଥିଲେ। ବୈଠକରେ ପରିଚାଳନା ପରିଷଦର ବରିଷ୍ଠ ସଦସ୍ୟ ରଞ୍ଜନ କୁମାର ଦାସ ରାଜ୍ୟ ସମବାୟ ୟୁନିଅନ୍ ଦ୍ୱାରା ନିଆଯାଉଥିବା ବିଭିନ୍ନ ପଦକ୍ଷେପ, ସମବାୟ ଶିକ୍ଷା ଓ ପ୍ରଶିକ୍ଷଣର ବିସ୍ତାର ଏବଂ ଭବିଷ୍ୟତ କାର୍ଯ୍ୟଯୋଜନା ସମ୍ପର୍କରେ ସଦସ୍ୟମାନଙ୍କୁ ସ୍ପଷ୍ଟ ଭାବେ ଅବଗତ କରାଇଥିଲେ। ସଭାରେ ଉପସ୍ଥିତ ବିଭିନ୍ନ ସମବାୟ ଅନୁଷ୍ଠାନର ପ୍ରତିନିଧିମାନେ ରାଜ୍ୟରେ ଏକ ସୁଦୃଢ଼, ସ୍ୱଚ୍ଛ ଓ ସକ୍ରିୟ ସମବାୟ ଆନ୍ଦୋଳନ ଗଢ଼ି ତୋଳିବା ସହିତ ସମସ୍ତ ସମବାୟ ଅନୁଷ୍ଠାନର ସାମଗ୍ରିକ ବିକାଶ ସମ୍ପର୍କରେ ନିଜ ନିଜର ମତାମତ ରଖିଥିଲେ।
୨୦ଟି ପ୍ରସ୍ତାବରେ ସର୍ବସମ୍ମତି
ସାଧାରଣ ସଭାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଭାବେ ମୋଟ ୨୦ଟି ପ୍ରସ୍ତାବ ଉପସ୍ଥାପିତ ହୋଇଥିଲା। ପ୍ରସ୍ତାବ ଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା ପରେ ସେଗୁଡ଼ିକ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା। ଏହି ପ୍ରସ୍ତାବଗୁଡ଼ିକ ରାଜ୍ୟରେ ସମବାୟ କ୍ଷେତ୍ରର ବିକାଶ, ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବୃଦ୍ଧି, ସଦସ୍ୟ ସ୍ୱାର୍ଥର ସୁରକ୍ଷା ଏବଂ ସମବାୟ ଆନ୍ଦୋଳନକୁ ଅଧିକ ଶକ୍ତିଶାଳୀ ଓ ଜନମୁଖୀ କରିବା ଦିଗରେ ଗୁରୁତ୍ୱ ବହନ କରିବ ବୋଲି ସଭାପତି ଶ୍ରୀମତୀ ପ୍ରଭାସିନୀ ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି।
ଏହି ସାଧାରଣ ସଭାରେ ଓଡ଼ିଶା ସମବାୟ ନିବନ୍ଧକଙ୍କ ପ୍ରତିନିଧି ଭାବେ ସ୍ୱାତିବାଳା ମହାପାତ୍ର, ମାର୍କଫେଡ୍ ସଭାପତି କବିତା ମଞ୍ଜରୀ ପରିଡ଼ା, ମହିଳା ନିଗମ ସଭାପତି ସ୍ୱାଧୀନବାଳା ଦାସ, ସେରିଫେଡ୍ ସଭାପତି ଶ୍ରୀଯୁକ୍ତ ଭାଗୀରଥୀ ନନ୍ଦ, ଓପେଲଫେଡ୍ ସଭାପତି ଭୋଳେଶ୍ୱର ସ୍ୱାଇଁ, ଉତ୍କଳିକା ସଭାପତି ଦେବସ୍ମିତା ସାହୁ, ଟିଡିସିସି ସଭାପତି ଚାମେଲି ଓରାମ, ପୁରୀ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି କିଶୋର ଛୋଟରାୟ, ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ସୁବାସ ଚନ୍ଦ୍ର ପାଢ଼ୀଙ୍କ ସମେତ ବହୁ ସମବାୟ ନେତୃବୃନ୍ଦ, ପ୍ରତିନିଧି ଓ ଅଧିକାରୀ ଯୋଗଦେଇଥିଲେ। ସମଗ୍ର ସାଧାରଣ ସଭାଟି ଶୃଙ୍ଖଳିତ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ ପରିଚାଳିତ ହୋଇଥିବା ବେଳେ, ସମବାୟ ଆନ୍ଦୋଳନର ଆଗାମୀ ଦିନର ବିକାଶ ପାଇଁ ଏକତା, ସହଯୋଗ ଓ ସାମୂହିକ ଦାୟିତ୍ୱର ବାର୍ତ୍ତା ଦେଇଛି। ଶେଷରେ ରାଜ୍ୟ ସମବାୟ ୟୁନିଅନ୍ର ଉପସଭାପତି ବିରୋସେନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।














Leave a Reply