ଭୁବନେଶ୍ବର,୨/୬ : ହଟିଆ-ପୁରୀ ତପସ୍ବିନୀ ଏକ୍ସପ୍ରେସ୍(୧୮୪୫୨)ରେ ବଡ଼ ଧରଣର ତ୍ରୁଟି ଦେଖିବାକୁ ମିଳିଛି । ରାତି ପ୍ରାୟ ସାଢ଼େ ୯ଟାରେ ଭୁବନେଶ୍ବର ଷ୍ଟେସନ ଛାଡ଼ିବାର ମାତ୍ର ୫୦୦ମିଟର ଦୂରରେ ଟ୍ରେନ୍ର ଦ୍ବିତୀୟ ଓ ତୃତୀୟ ବଗି ପରସ୍ପରଠାରୁ ବିଚ୍ଛିନ୍ନ ହୋଇଯାଇଥିଲେ । ଇଞ୍ଜିନ୍ ସହ ଦୁଇଟି ବଗି ଆଗକୁ ମାଡ଼ି ଚାଲିଥିବାବେଳେ ବାକି ସମସ୍ତ ବଗି ଗୁଡ଼ିକ ମାଳି ସାହି ନିକଟରେ ଅଟକି ରହିଥିଲେ। ଇଞ୍ଜିନ୍ ସହ ଲାଗିଥିବା ଦୁଇଟି ବଗି ମଞ୍ଚେଶ୍ବର ରେଳଷ୍ଟେସନ ନିକଟରେ ପହଞ୍ଚିବା ପରେ ଜଣାପଡ଼ିଥିଲା ଯେ ପଛରେ ଥିବା ବଗି ଗୁଡ଼ିକ ନାହିଁ। ଏହାକୁ ନେଇ ଲୋକ ପାଇଲଟ୍ଙ୍କ ସମେତ ରେଳ କର୍ମଚାରୀଙ୍କ ମଧ୍ୟରେ ଭାଳେଣି ପଡ଼ିଯାଇଥିଲା ।
ସେପଟେ ଟ୍ରେନ୍ରେ ଇଞ୍ଜିନ୍ ନ ଥିବାରୁ ଅଧା ବାଟରେ ଅଟକି ରହିଥିବା ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଯାଇଥିଲା । ହଠାତ୍ ଅଧା ରାସ୍ତାରେ କାହିଁକି ଏଭଳି ହେଲା ସେ ନେଇ ଯାତ୍ରୀମାନେ ପରସ୍ପର ମଧ୍ୟରେ ଆଲୋଚନା କରିଥିଲେ । ତେବେ ଇଞ୍ଜିନ୍ ସହ ବଗି ପଳାଇଥିବାରୁ ଏଭଳି ସମସ୍ୟା ହୋଇଥିବା ଜଣାପଡ଼ିବା ପରେ ଯାତ୍ରୀମାନେ ଟିକିଏ ଆଶ୍ବସ୍ତ ଅନୁଭବ କରିଥିଲେ। ଏହାରି ଭିତରେ ରେଳ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ଆଗକୁ ପଳାଇ ଯାଇଥିବା ଇଞ୍ଜିନ୍ ଓ ବଗିଗୁଡ଼ିକ ପୁଣିଥରେ ପୂର୍ବ ସ୍ଥାନକୁ ଫେରିବା ସହ ସମସ୍ତ ବଗି ସହ ରାତି ୧୦ଟା ୨୦ ମିନିଟ୍ରେ ପୁଣି ଥରେ ଆଗକୁ ବଢ଼ିଥିଲା।












Leave a Reply