‘କାଲା ହିରଣ’ ପୋଷ୍ଟର୍‌ ଆଉଟ୍, ଏହି ଦିନ ରିଲିଜ ହେବ ଫିଲ୍ମ ଟିଜର

ମୁମ୍ୱାଇ,୩୧/୫ : ଦବଙ୍ଗ ସଲମାନ ଖାନ୍‌ଙ୍କ ସହ ଜଡ଼ିତ କଳା ହରିଣ ଶିକାର ମାମଲା ଉପରେ ଫିଲ୍ମ । ଟାଇଟଲ ‘କାଲା ହିରଣ’ । ଗତ ଶୁକ୍ରବାର ଫିଲ୍ମର ପୋଷ୍ଟର୍‌ ରିଲିଜ୍‌ ହୋଇଛି । ଫାର୍ଷ୍ଟଲୁକ୍‌ ଓ ଟିଜର୍‌ ଆସନ୍ତା ଜୁନ୍‌ ୨୦ରେ ରିଲିଜ୍‌ ହେବ । ଫିଲ୍ମରେ ସଲମାନ ଓ ଗ୍ୟାଙ୍ଗଷ୍ଟର ଲରେନ୍ସ ମଧ୍ୟରେ ବିବାଦ ପରଦାରେ ଦେଖିବାକୁ ମିଳିବ । ତେବେ ଏଥିରେ କିଏ ମୁଖ୍ୟ ଭୂମିକାରେ ଅଭିନୟ କରିବେ, ସେ ବିଷୟରେ ସ୍ପଷ୍ଟ ହୋଇନାହିଁ । ପୋଷ୍ଟର୍‌ରେ ଯେଉଁ ଅଭିନେତା ଅଛନ୍ତି, ସେ ପରିଚିତ ନୁହନ୍ତି ।

ଫିଲ୍ମ ବିଷୟରେ ପ୍ରଯୋଜକ ଅମିତ ଜାନୀ କହିଛନ୍ତି, ୧୯୯୮ରେ ଯୋଧପୁରର କାଂକାଣୀ ଗାଁରେ ସଲମାନ ଖାନ୍‌ଙ୍କ ବିରୋଧରେ କଳା ହରିଣ ଶିକାର ଅଭିଯୋଗ ହୋଇଥିଲା । ଏ ମାମଲାରେ କୋର୍ଟରୁମ୍‌ ଡ୍ରାମା, କ୍ରାଇମ୍‌, ଥ୍ରିଲର ଏବଂ ଲରେନ୍ସ ଓ ସଲମାନଙ୍କ ମଧ୍ୟରେ ଶତ୍ରୁତାକୁ ଫିଲ୍ମରେ ସ୍ଥାନୀତ କରାଯାଇଛି । ସମ୍ଭଲ, ମୁରାଦାବାଦ ଓ ଉତ୍ତରପ୍ରଦେଶର ଅନ୍ୟ ସହରରେ ଫିଲ୍ମର ସୁଟିଂ ହୋଇଛି । ୧୯୯୮ରେ ସଲମାନଙ୍କ କଳା ହରିଣ ଶିକାର ମାମଲା ଚର୍ଚ୍ଚାକୁ ଆସିଥିଲା । ସେତେବେଳେ ସେ ଯୋଧପୁରରେ ‘ହମ୍‌ ସାଥ୍‌-ସାଥ୍‌ ହୈ’ ଫିଲ୍ମର ସୁଟିଂ କରୁଥିଲେ । ତାଙ୍କ ବିରୋଧରେ ମୋଟ୍‌ ୪ ମାମଲା ରୁଜୁ ହୋଇଥିଲା ।

ତନ୍ମଧ୍ୟରେ ଦୁଇଟି ଚିଙ୍କାରା ଶିକାର ମାମଲା, ଗୋଟିଏ କାଂକାଣୀ କଳା ହରିଣ ଶିକାର ମାମଲା ଥିଲା । ବିଷ୍ଣୋଇ ସମୁଦାୟର ଅଭିଯୋଗ କ୍ରମେ ସଲମାନଙ୍କ ସମେତ ସୈଫ୍‌ ଅଲି ଖାନ୍‌, ତବୁ, ସୋନାଲି ବେନ୍ଦ୍ରେ ଓ ନୀଲମଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଥିଲା । ଏ ମାମଲାରେ ୧୨ ଅକ୍ଟୋବର, ୧୯୯୮ରେ ସଲମାନଙ୍କୁ ପ୍ରଥମ ଥର ଗିରଫ କରାଯାଇଥିଲା ।

Leave a Reply

Your email address will not be published. Required fields are marked *