ଏଫପିଓ ମାଧ୍ୟମରେ ବଜାର ପ୍ରସାର, ବଢ଼ୁଛି ଚାଷୀଙ୍କ ଆୟ

ଭୁବନେଶ୍ବର,୨/୬ : ଓଡ଼ିଶାର କୃଷି କ୍ଷେତ୍ରରେ କୃଷକ ଉତ୍ପାଦକ ସଂଗଠନଗୁଡ଼ିକ ଚାଷୀଙ୍କ ଆର୍ଥିକ ସଶକ୍ତିକରଣ, ସାମୂହିକ ବିପଣନ ଓ ଆୟ ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛନ୍ତି । ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ରଣପୁର ବ୍ଲକ୍‌ରେ ୨୦୧୮ ମସିହାରେ ଗଠିତ ‘ରଙ୍କଦେଉଳି କୃଷକ ଉତ୍ପାଦକ କମ୍ପାନୀ ଲିମିଟେଡ୍‌’ ଏହାର ଜ୍ୱଳନ୍ତ ଉଦାହରଣ । ୧୦ ଜଣ ସଦସ୍ୟଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଏଫପିର ମୋଟ ସଦସ୍ୟ ବର୍ତ୍ତମାନରେ ପହଞ୍ଚିଛି । ୫୨ଟି ଗ୍ରାମ ମଧ୍ୟରେ ୧୭,୧୮୪ ଏକର ଅଞ୍ଚଳକୁ ବିସ୍ତାର କରିବାର ସମର୍ଥ ମଧ୍ୟ ହୋଇପାରିଛି । ଉନ୍ନତି ପଥରେ ଅଗ୍ରସର ହେଉଥିବା ଏହି କମ୍ପାନୀ ପ୍ରଥମ ବର୍ଷରେ ୧୨ ହଜାର ଟଙ୍କାର ଆର୍ଥିକ କାରବାର କରିଥିବାବେଳେ ବର୍ତ୍ତମାନ ସେଥିରେ ଅଭିବୃଦ୍ଧି ଘଟି ୧କୋଟି୧ ଲକ୍ଷ ଛୁଇଁ ସାରିଲାଣି ।

ଚାଷୀମାନଙ୍କୁ ଉଚିତ ମୂଲ୍ୟ ଓ ନିର୍ଭରଯୋଗ୍ୟ ବଜାର ଯୋଗାଇବା ପାଇଁ ଏହି ଏଫପିଓ ନିୟମିତ ଭାବେ ବାଇଗଣ, କାକୁଡ଼ି ଇତ୍ୟାଦି ସମେତ ବିଭିନ୍ନ ଋତୁକାଳୀନ ଫସଲର ସାମୂହିକ ବିପଣନ ବ୍ୟବସ୍ଥା କରୁଛି । ଖୋର୍ଦ୍ଧା ଓ ଭୁବନେଶ୍ୱର ବଜାରକୁ ୪୦-୫୦ କୁଇଣ୍ଟାଲ ପର୍ଯ୍ୟନ୍ତ ଉତ୍ପାଦ ନିୟମିତ ପଠାଯାଉଛି । ଫଳରେ ଚାଷୀମାନେ ମଧ୍ୟସ୍ଥଙ୍କ ଉପରେ ନିର୍ଭରଶୀଳତା କମାଇ ସିଧାସଳଖ ବଜାର ସହ ଯୋଡ଼ି ହୋଇପାରୁଛନ୍ତି । ବ୍ରାଣ୍ଡିଂ ଏବଂ ମୂଲ୍ୟ ବୃଦ୍ଧି ପାଇଁ ଦର୍ପନାରାୟଣପୁର ବଜାରରେ ସୋରିଷ ତେଲ ପ୍ରକ୍ରିୟାକରଣ ୟୁନିଟ୍ ପ୍ରତିଷ୍ଠା କରିଛି ଏହି ଏଫପିଓ । ଏହା ସହିତ ୩୦୦ ଜଣ ଅଂଶୀଦାରଙ୍କୁ ୩୫ ଟନ୍ ଐଣଠ ଧାନ ବିହନ ଇନ୍‌ପୁଟ୍ ଯୋଗାଇ ଉତ୍ପାଦନ ବୃଦ୍ଧିରେ ସହାୟତା କରିଛି । ଚାଷୀମାନଙ୍କୁ ଉନ୍ନତ କୃଷି ପ୍ରଯୁକ୍ତି ସହ ଯୋଡ଼ିବା ପାଇଁ ଏହି ଏଫପିଓ ବିଭିନ୍ନ ପନିପରିବା ଓ ଶସ୍ୟ ଫସଲ ଚାଷ ପ୍ରଣାଳୀ ଉପରେ ନିୟମିତ ତାଲିମ ପ୍ରଦାନ କରୁଛି । କେଭିକେ, ନୟାଗଡ଼, ଉଦ୍ୟାନ କୃଷି ବିଭାଗ ଏବଂ କୃଷି ଓ ମୃତ୍ତିକା ସଂରକ୍ଷଣ ବିଭାଗର ମିଳିତ ସହଯୋଗରେ ଡିଏସ୍‌ଆର୍ ଓ ଅନ୍ୟାନ୍ୟ ଆଧୁନିକ ଚାଷ ପଦ୍ଧତି ଉପରେ ପ୍ରଶିକ୍ଷଣ ଦିଆଯାଉଛି । ଏହି ଏଫପିଓର ଉଲ୍ଲେଖନୀୟ କାର୍ଯ୍ୟକଳାପ ପାଇଁ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ୬୨ତମ ପ୍ରତିଷ୍ଠା ଦିବସ ଅବସରରେ ସମ୍ମାନିତ କରାଯାଇଛି । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ‘ସେଣ୍ଟର ଅଫ ଏକ୍ସଲେନ୍ସ’ ମାଧ୍ୟମରେ ଏହି ଏଫପିଓ ପ୍ରଶିକ୍ଷଣ, କ୍ଷେତ୍ର ପରିଦର୍ଶନ ଭଳି ଅନେକ ପ୍ରକାର ସାହାଯ୍ୟ ସହଯୋଗ ମଧ୍ୟ ପାଇଛି ।

ସଫଳତାର ପଥରେ ଅଗ୍ରସର ହେଉଥିବା ସତ୍ତ୍ୱେ ଏଫପିଓ ଛୋଟ ଓ ସୀମାନ୍ତ ଚାଷୀମାନେ ପୁଞ୍ଜିର ଅଭାବ, ବଜାର ସୂଚନାର ଅଭାବ, ମୂଲ୍ୟ ଅସ୍ଥିରତା, ମଧ୍ୟସ୍ଥିଙ୍କ ଉପରେ ନିର୍ଭରତା, ପ୍ରକ୍ରିୟାକରଣ ଓ ମୂଲ୍ୟ ବୃଦ୍ଧି ସୁବିଧାରୁ ବଞ୍ଚିତ ଏବଂ ପରିବହନ ଜନିତ ସମସ୍ୟାର ସମ୍ମୁଖୀନ ହୋଇଛି । ଏହି ସବୁ ସମସ୍ୟାର ସମାଧାନ ସ୍ୱରୂପ ସାମୂହିକ ବିପଣନ , ସରକାରୀ ଯୋଜନା ମାଧ୍ୟମରେ ଇନପୁଟ୍ ଓ ଯନ୍ତ୍ରପାତି ସହାୟତା, ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଛି । ଆଗାମୀ ଦିନଗୁଡ଼ିକରେ ଅଧିକ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ (ଚାଉଳ, ଡାଲି, ମସଲା), ଡିଜିଟାଲ ମାର୍କେଟିଂ, ବ୍ରାଣ୍ଡିଂ ଓ ରାଜ୍ୟସ୍ତରୀୟ ବଜାର ସହ ସଂଯୋଗ ସ୍ଥାପନ ଏହି ଏଫପିଓର ପ୍ରମୁଖ ଲକ୍ଷ୍ୟ ରହିଛି ।

Leave a Reply

Your email address will not be published. Required fields are marked *