ଭୁବନେଶ୍ୱର/ନୂଆଦିଲ୍ଲୀ, ୬/୧୦: ନିର୍ବାଚନ କମିଶନଙ୍କ ଘୋଷଣା ଅନୁସାରେ ଆଜି ଅକ୍ଟୋବର ୬ ତାରିଖରେ ୪ଟି ରାଜ୍ୟର ୬ଟି ଆସନରେ ଉପନିର୍ବାଚନ ହେଉଛି, ଭୋଟ ଗଣତି ଅକ୍ଟୋବର ୯ରେ।ସକାଳ ୭ଟାରୁ ଆରମ୍ଭ ହୋଇଯାଇଛି ଭୋଟ୍ ଗ୍ରହଣ ପକ୍ରିୟା | ଏହାର ଫଳାଫଳ ଆସନ୍ତା ୯ ଅକ୍ଟୋବର ୨୦୨୬ ରେ ପ୍ରକାଶ ପାଇବ । ଏହି ମହାସମରରେ ବିଜେପି, କଂଗ୍ରେସ, ଟିଏମସି, ଡିଏମକେ ଏବଂ ଟିଭିକେ ଭଳି ପ୍ରମୁଖ ଦଳ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି ।
ସବୁ ୬ଟି ଆସନ ୨୦୨୬ ଏପ୍ରିଲ-ମେ ନିର୍ବାଚନ ପରେ ଖାଲି ହୋଇଥିଲା – ନେତାମାନେ ୨ଟି ଆସନରୁ ଜିତି ଗୋଟିଏ ଛାଡ଼ିଥିଲେ। ଯେମିତି ନନ୍ଦିଗ୍ରାମ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଭବାନୀପୁର ରଖି ଛାଡ଼ିଥିଲେ। ଏଜେୟୁପି (AJUP) ନେତା ହୁମାୟୁନ କବୀର ନବଦା ଆସନ ରଖି ରେଜିନଗର ଆସନ ଛାଡିବା ଯୋଗୁଁ ଏଠାରେ ଭୋଟ୍ ଗ୍ରହଣ ହେଉଛି । ସେହିପରି ଆସାମର ନଗାଓଁ ଲୋକସଭା ଆସନ, ତାମିଲନାଡୁର ମଦୁରାନ୍ତକମ ଓ ଧାରାପୁରମ ବିଧାନସଭା ଆସନରେ ମତଦାନ ଚାଲିଛି । ଅନ୍ୟପଟେ ଦେଶର କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରର ଥଟ୍ଟାନଚାଭଡି ବିଧାନସଭା ଆସନରେ ବି ଆଜି ଭୋଟ୍ ଗ୍ରହଣ ହେଉଛି ।
ଆସାମ ନଗାଓଁରେ ତ୍ରିକୋଣୀୟ ପ୍ରତିଯୋଗିତା
ବିଜେପିରେ ଯୋଗଦେବା ପରେ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦ୍ୟୁତ ବୋରଦୋଲାଇଙ୍କ ଇସ୍ତଫା ଯୋଗୁଁ ଆସାମର ନଗାଓଁ ଲୋକସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସ ଏହି ଆସନ ଜିତିଥିଲା, କିନ୍ତୁ ଏହାର ସାଂସଦ ପ୍ରଦ୍ୟୁତ ବୋରଦୋଲୋଇ ଏପ୍ରିଲ ୨୦୨୬ ବିଧାନସଭା ନିର୍ବାଚନ ପୂର୍ବରୁ ହଠାତ୍ ବିଜେପିରେ ଯୋଗ ଦେଇଥିଲେ ଏବଂ ବର୍ତ୍ତମାନ ସେ ଜଣେ ବିଜେପି ବିଧାୟକ । ତାଙ୍କ ଇସ୍ତଫା ପରେ ଏଠାରେ ଉପନିର୍ବାଚନ ପାଇଁ ଭୋଟିଂ ହେଉଛି ।
ତେବେ ଶାସକ ଦଳ ବିଜେପି ନଗାଓଁ ଉପନିର୍ବାଚନ ଲାଗି ପୂର୍ବତନ ଆଇଏଏସ୍ ଅଧିକାରୀ ଦେବାଶିଷ ଶର୍ମାଙ୍କୁ ପ୍ରାର୍ଥୀ କରିଛି, ଯେତେବେଳେ କି କଂଗ୍ରେସ ପକ୍ଷରୁ ସିବାମୋନି ବୋରା ପ୍ରାର୍ଥୀ ଅଛନ୍ତି । ଅଲ୍ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ (AIUDF) ମହମ୍ମଦ ବଦରୁଦ୍ଦିନ୍ ଅଜମଲଙ୍କୁ ପ୍ରାର୍ଥୀ କରିଛି । ମହମ୍ମଦ ଏହି ପ୍ରତିଦ୍ଵନ୍ଦ୍ଵିତାରେ ପ୍ରବେଶ କରିବା ପରେ ଏହା ଏବେ ତ୍ରିକୋଣୀୟ ଲଢେଇରେ ପରିଣତ ହୋଇଛି । ୨୦୨୩ରେ ସୀମା ନିର୍ଦ୍ଧାରଣ ପରେ ଏହି ନିର୍ବାଚନମଣ୍ଡଳୀର ୧୯ ଲକ୍ଷ ଭୋଟରଙ୍କ ମଧ୍ୟରୁ ୫୫ରୁ ଅଧିକ ମୁସଲିମ । ପୂର୍ବରୁ ୧୯୯୯ରୁ ୨୦୧୪ ମଧ୍ୟରେ ବିଜେପି ଲଗାତାର ନଗାଓଁ ଆସନ ଜିତିଥିଲା ।
ପଶ୍ଚିମବଙ୍ଗର ଦୁଇଟି ଆସନ ନନ୍ଦିଗ୍ରାମ ଏବଂ ରେଜିନଗରରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ଉଭୟ ହାଇପ୍ରୋଫାଇଲ୍ ଆସନ । ୨୦୨୬ ବିଧାନସଭା ନିର୍ବାଚନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଭବାନୀପୁର ଏବଂ ନନ୍ଦିଗ୍ରାମ ଉଭୟରୁ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ନନ୍ଦିଗ୍ରାମ ଆସନ ଖାଲି କରିଥିଲେ, ଯାହା ଫଳରେ ଉପନିର୍ବାଚନ ଆବଶ୍ୟକ ପଡ଼ିଛି । ବିଜେପି ଏଠାରେ ହସିରାଣୀ ରଥଙ୍କୁ ପ୍ରାର୍ଥୀ କରିଛି, ଯେତେବେଳେ କି କଂଗ୍ରେସ ମିଲନ ପ୍ରଧାନଙ୍କୁ ମୈଦାନକୁ ଛାଡ଼ିଛି ।
ସେହିପରି ଅନ୍ୟ ଆସନ ରେଜିନଗରରେ ସମାନ ସ୍ଥିତି । ଆମ୍ ଜନତା ଉନ୍ନୟନ ପାର୍ଟି (AJUP) ମୁଖ୍ୟ ହୁମାୟୁନ କବୀର ରେଜିନଗର ସହିତ ନୌଦା ବିଧାନସଭା ଆସନରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ଏବେ ସେ ରେଜିନଗରରୁ ଇସ୍ତଫା ଦେବାପରେ ଏହି ଆସନ ଖାଲି ପଡ଼ିଥିଲା । ସେ ତାଙ୍କ ପୁଅ ଗୁଲାମ ନବୀ ଆଜାଦଙ୍କୁ ପ୍ରାର୍ଥୀ କରିଛନ୍ତି । ସେପଟେ ଶାସକ ଦଳ ବିଜେପି ଶଙ୍କରରାଓ ସରକାରଙ୍କୁ ପ୍ରାର୍ଥୀ କରିଛି ।
ତାମିଲନାଡୁର ମଦୁରନ୍ତକମ୍ ଏବଂ ଧରାପୁରମ୍ ସିଟ୍ରେ ଉପନିର୍ବାଚନ
ତାମିଲନାଡୁର ପ୍ରମୁଖ ଆଞ୍ଚଳିକ ଦଳ AIADMKର ଶୀର୍ଷ ନେତୃତ୍ଵ ତଥା ପୂର୍ବତନ ତାମିଲନାଡୁ ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀଙ୍କ ନେତୃତ୍ୱାଧୀନ ଏଆଇଏଡିଏମକେ ୨୦୨୬ ନିର୍ବାଚନରେ ତାମିଲନାଡୁର ମଦୁରନ୍ତକମ୍ ଏବଂ ଧରାପୁରମ୍ ଆସନ ଜିତିଥିଲା । ଉଭୟ ବିଧାୟକ ପରେ ଇସ୍ତଫା ଦେଇ ଅଭିନେତା ଥାଲାପଥି ବିଜୟଙ୍କ ଦଳ ତାମିଜାଗା ଭେଟ୍ରି କାଝାଗମ (ଟିଭିକେ)ରେ ଯୋଗ ଦେଇଥିଲେ, ଯାହା ଫଳରେ ଉପନିର୍ବାଚନ ଆବଶ୍ୟକ ପଡ଼ିଛି ।
କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ଥଟ୍ଟାନଚାୱାଡି ନିର୍ବାଚନମଣ୍ଡଳୀରେ ମଧ୍ୟ ଏକ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ମୁଖ୍ୟମନ୍ତ୍ରୀ ଏନ. ରଙ୍ଗାସାମୀ ଦୁଇଟି ଆସନ ମଙ୍ଗଳମ ଏବଂ ଥଟ୍ଟାନଚାୱାଡିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପରେ ସେ ଥଟ୍ଟାନଚାୱାଡିରୁ ଇସ୍ତଫା ଦେଇଥିଲେ, ଯାହା ଫଳରେ ଉପନିର୍ବାଚନ ଆବଶ୍ୟକ ପଡ଼ିଛି । ଏହି ଆସନରେ ଅଖିଳ ଭାରତୀୟ ଏନଆର କଂଗ୍ରେସ (AINRC) ଏବଂ କଂଗ୍ରେସ ସମର୍ଥିତ ମେଣ୍ଟ ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା ହେଉଛି ।












Leave a Reply