ଓଡ଼ିଶା ରାଜ୍ୟ ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡ଼ର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଭୁବନେଶ୍ଵର, ୭/୮ : ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାରଙ୍କ ତରଫରୁ ଓଡ଼ିଶା ରାଜ୍ୟ ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡ଼ର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଶୁକ୍ରବାର ଭୁବନେଶ୍ବର ଲୋକସେବା ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ତଥା ରାଜ୍ୟ ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡ଼ର ଅଧ୍ୟକ୍ଷ ନିତ୍ୟାନନ୍ଦ ଗଣ୍ଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀ, ଟିଟିଲାଗଡ଼ର ଉପଜିଲ୍ଲାପାଳ ଯୋଗ ଦେଇଥିଲେ । ଏଥିସହିତ କଲ୍ୟାଣ ବୋର୍ଡ଼ର ମନୋନୀତ ସଦସ୍ୟ ସୌମ୍ୟା ଦାସ, ଦିଶ୍ମୀରଞ୍ଜନ ମହାପାତ୍ର ଏବଂ ଟ୍ରାନ୍ସଜେଣ୍ଡର ପାଇଁ କାର୍ଯ୍ୟ କରୁଥିବା ସାମାଜିକ ସଂଗଠନ ଟିଜି ସୁରକ୍ଷା ଟ୍ରଷ୍ଟର ସଭାପତି ମେନକା ପରିଡ଼ା ଏବଂ ଚେତନା ଅର୍ଗାନାଇଜେସନର ସମ୍ପାଦିକା ଚିନ୍ମୟୀ ବେହେରା ଉପସ୍ଥିତ ଥିଲେ ।

ଏହି ବୈଠକରେ ଟ୍ରାନ୍ସଜେଣ୍ଡରମାନଙ୍କ ସୁରକ୍ଷା ପାଇଁ ପ୍ରୋଟେକ୍ସନ ସେଲ୍ ଗଠନ ଏବଂ ସଠିକ ସକ୍ରିୟ ସଞ୍ଚାଳନ, ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ଓ ଶିକ୍ଷାନୁଷ୍ଠାନମାନଙ୍କରେ ଜେଣ୍ଡର ନ୍ୟୁଟ୍ରାଲ ଶୌଚାଳୟ ସ୍ଥାପନ କରିବା, ଆଗାମୀ ବଜେଟ୍‌ରେ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ସ୍ବତନ୍ତ୍ର ପାଣ୍ଠିର ବ୍ୟବସ୍ଥା, ବସୁନ୍ଧରା/ ଜାଗା ମିଶନ ଯୋଜନାରେ ଟ୍ରାନ୍ସଜେଣ୍ଡରମାନଙ୍କୁ ଜାଗା ଯୋଗାଇ ଦେବା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା, ପ୍ରତ୍ୟେକ ଜିଲ୍ଲାରେ କମ୍ୟୁନିଟି ସେଣ୍ଟର ଗଠନ କରିବା, ଦକ୍ଷତା ବିକାଶ ଏବଂ ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ଯମରେ ବ୍ୟାଙ୍କ ଡି.ଆର.ଆଇ ଋଣ ପ୍ରଦାନ କରି ଟ୍ରାନ୍ସଜେଣ୍ଡରମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା, ମହିଳା ଓ ପୁରୁଷ ଟ୍ରାନ୍ସଜେଣ୍ଡରମାନଙ୍କ ପାଇଁ ହେଲପ୍ ଲାଇନ ନମ୍ବର ପ୍ରଚଳନ କରିବା, ପ୍ରତ୍ୟେକ ସରକାରୀ ମୁଖ୍ୟ ଚିକିତ୍ସାଳୟ ଏବଂ ମେଡ଼ିକାଲ କଲେଜମାନଙ୍କରେ ଟ୍ରାନ୍ସଜେଣ୍ଡରମାନଙ୍କ ପାଇଁ ସ୍ୱତନ୍ତ୍ର ଓ୍ବାର୍ଡ଼, ବେଡ଼ ଏବଂ ଶୌଚାଳୟ ସ୍ଥାପନ କରିବା, ସେସ୍କୁଆଲ ରିଆସାଇନମେଣ୍ଟ ସର୍ଜରୀକୁ ପ୍ରତ୍ୟେକ ମେଡ଼ିକାଲ କଲେଜରେ ମାଗଣାରେ ଉପଲବ୍ଧ କରିବା ସହିତ ଆୟୁଷ୍ମାନ ଭାରତ ଟିଜି ପ୍ଲସ ସ୍ବାସ୍ଥ୍ୟ କାର୍ଡ଼ରେ ସାମିଲ କରିବା ଏବଂ ହରମୋନ ଥେରାପି ଚିକିତ୍ସା, ମାନସିକ ସ୍ୱାସ୍ଥ୍ୟଗତ ଚିକିତ୍ସା ଯୋଗାଇ ଦେବା, ଟ୍ରାନ୍ସଜେଣ୍ଡର କଲ୍ୟାଣ ବୋର୍ଡ଼ର ସ୍ବତନ୍ତ୍ର କାର୍ଯ୍ୟାଳୟ, ସଦସ୍ୟମାନଙ୍କୁ ସ୍ୱତନ୍ତ୍ର ପରିଚୟ ପତ୍ର ପ୍ରଦାନ କରିବା ଓ ସରକାରଙ୍କ ବିଭିନ୍ନ ଯୋଜନାର ତଦାରଖ କରିବା, ଟ୍ରାନ୍ସଜେଣ୍ଡରମାନଙ୍କୁ ଖାଦ୍ୟ ସୁରକ୍ଷା ବିଭାଗ ତରଫରୁ ଅନ୍ତୋଦ୍ଵୟ ଯୋଜନାରେ ୩୫ କେଜି ଚାଉଳ ଯୋଗାଇଦେବା, ଯାତ୍ରା ଓ ସୋସିଆଲ ମିଡ଼ିଆ ( ଇନଷ୍ଟାଗ୍ରାମ ରିଲ୍ସ , ୟୁଟୁବ, ଫେସବୁକ) ମାନଙ୍କରେ ଟ୍ରାନ୍ସଜେଣ୍ଡରମାନଙ୍କ ଚରିତ୍ରକୁ ଆକ୍ଷେପ କରୁଥିବା ଏବଂ ଅପଶବ୍ଦ ବ୍ୟବହାର କରି ଚିତ୍ରଣ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆଦି ବିଷୟରେ ଆଲୋଚନା ହୋଇଥିଲା ।

Leave a Reply

Your email address will not be published. Required fields are marked *