ରାଜ୍ୟ କ୍ୟାବିନେଟ୍‌ ବୈଠକ : ୧୧ଟି ବିଭାଗର ୧୬ଟି ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ୱର/ବ୍ୟୁରୋ ରିପୋର୍ଟ , ୧୪/୧୦: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଗତକାଲି ୪୮ତମ କ୍ୟାବିନେଟ୍ ବୈଠକରେ ୧୧ଟି ବିଭାଗର ୧୬ଟି ପ୍ରସ୍ତାବରେ ମୋହର ବାଜିଛି |

୧. ଦକ୍ଷତା ବିକାଶ ଯୋଜନା: ୪୫୦ କୋଟି ଟଙ୍କାରେ ୪.୨ ଲକ୍ଷ ଯୁବକଙ୍କୁ ସ୍କିଲ ଟ୍ରେନିଂ। କଲେଜରେ ସ୍କିଲ ହବ୍, ଜର୍ମାନ, ଜାପାନୀ ଭାଷା ଶିକ୍ଷା ଓ ବିଦେଶ ଚାକିରି ସୁଯୋଗ।
୨. ଡ୍ରେନେଜ ସମସ୍ୟା: ସହରାଞ୍ଚଳ ଜଳ ନିଷ୍କାସନ ପାଇଁ ୫୦୦ କୋଟିର USWDMIP ଯୋଜନା – ୨୦୨୬-୨୭ରୁ ୫ ବର୍ଷ।
୩. ମାଗଣା ବହି: ନବମ-ଦଶମ ପାଇଁ ମାଗଣା ବହି – ୨୮୪ କୋଟି ବ୍ୟ, ୨୮.୭ ଲକ୍ଷ ଛାତ୍ର ଉପକୃତ।୪. ମତ୍ସ୍ୟ ଉତ୍ପାଦନ: ମତ୍ସ୍ୟ କ୍ୟାଡର ପୁନର୍ଗଠନ, ଅସ୍ତରଙ୍ଗରେ ୧୩୦ କୋଟିର ଫିସିଂ ହାରବର, ୨୦୪୭ ସୁଦ୍ଧା ୫୧ ଲକ୍ଷ ଟନ୍ ମାଛ ଉତ୍ପାଦନ ଲକ୍ଷ୍ୟ।
୫. ଅନ୍ୟ: କେନ୍ଦୁଝରରେ ୧୭୬ କୋଟିର ଡାଟା ସେଣ୍ଟର, କଟକ ମହାନଦୀ ୱାଟରଫ୍ରଣ୍ଟ ପ୍ରକଳ୍ପ, ହିନ୍ଦୀ-ସଂସ୍କୃତ ଶିକ୍ଷକ ପଦୋନ୍ନତି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଲୋକସେବା ଭବନଠାରେ ରାଜ୍ୟ ମନ୍ତ୍ରିମଣ୍ଡଳ (କ୍ୟାବିନେଟ୍) ର ୪୮ତମ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିଗୁଡ଼ିକ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଥିଲେ, ରାଜ୍ୟରେ କୃଷକମାନଙ୍କୁ ଉନ୍ନତମାନର ବିହନ ଓ ସାର ଠିକ୍ ସମୟରେ ଉପଲବ୍ଧ କରାଇବା ପାଇଁ ଓଏସସିଏମଏଫ ଲି. ଏବଂ ଓଏସଏସସି ଲି. ପାଇଁ କର୍ପସ୍ ପାଣ୍ଠି ଯୋଜନାକୁ ଆଗାମୀ ୪ବର୍ଷ (ଆର୍ଥିକ ବର୍ଷ ୨୦୨୬-୨୭ ରୁ ୨୦୨୯-୩୦) ପାଇଁ କ୍ୟାବିନେଟ୍ ମଞ୍ଜୁରି ପ୍ରଦାନ କରିଛି। ଏଥିନିମନ୍ତେ ମୋଟ ୧୩୭୦ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା ବେଳେ ମାର୍କଫେଡ୍ (ଓଏସସିଏମଏଫ)କୁ ୯୭୦ କୋଟି ଏବଂ ଓଡ଼ିଶା ରାଜ୍ୟ ବିହନ ନିଗମକୁ ୪୦୦ କୋଟି ଟଙ୍କାର ରିଭଲଭିଂ କର୍ପସ୍ ପାଣ୍ଠି ପ୍ରଦାନ କରାଯିବ। ଏହା ମାଧ୍ୟମରେ କୃଷି ପାଇଁ ବିହନ ଓ ସାରର ଅଗ୍ରୀମ କ୍ରୟ ଏବଂ ମହଜୁଦ୍ ସମ୍ଭବ ହୋଇପାରିବ।
ସରକାର ଦକ୍ଷତା ବିକାଶ ଯୋଜନାରେ ୪.୨୦ ଲକ୍ଷ ଯୁବକ-ଯୁବତୀଙ୍କୁ ପ୍ରଶିକ୍ଷଣ ବ୍ୟବସ୍ଥା କରିଛନ୍ତି। ୪୫୦ କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ନୂତନ ‘ଦକ୍ଷତା ବିକାଶ ଯୋଜନା’ କୁ ମଞ୍ଜୁରି ମିଳିଛି। ଆଗାମୀ ତିନିବର୍ଷରେ ଏହି ଯୋଜନା ମାଧ୍ୟମରେ ଯୁବକ-ଯୁବତୀଙ୍କୁ କୃତ୍ରିମ ବୁଦ୍ଧିମତା, କ୍ଲାଉଡ୍ କମ୍ପ୍ୟୁଟିଂ, ଡାଟା ଆନାଲିଟିକ୍ସ ଏବଂ ସାଇବର ସୁରକ୍ଷା ଭଳି ଅତ୍ୟାଧୁନିକ କ୍ଷେତ୍ରରେ ଡିଜିଟାଲ୍ ପ୍ରଶିକ୍ଷଣ ଦିଆଯିବ। ରାଜ୍ୟର ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ‘ସ୍କିଲ୍ ହବ୍’ ସ୍ଥାପନ କରାଯିବ। ଏହି ଯୋଜନା ମାଧ୍ୟମରେ ମୋଟ ୧.୧୭ ଲକ୍ଷ ଯୁବକ-ଯୁବତୀଙ୍କୁ ନିଯୁକ୍ତି-ସମ୍ପୃକ୍ତ ସ୍ୱଳ୍ପମିଆଦୀ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଇଚ୍ଛୁକ ପ୍ରାର୍ଥୀମାନଙ୍କୁ ଜର୍ମାନ ଏବଂ ଜାପାନୀ ଭଳି ବିଦେଶୀ ଭାଷାର ପ୍ରଶିକ୍ଷଣ, ସାଂସ୍କୃତିକ ଅନୁକୂଳନ, ପ୍ରମାଣପତ୍ର ସହାୟତା, ଭିସା ସହାୟତା, ଯାତ୍ରା ସହଯୋଗ ଏବଂ ନିଯୁକ୍ତି ପରବର୍ତ୍ତୀ ସେବା ପ୍ରଦାନ କରାଯିବ।
ସେହିଭଳି ସହରାଞ୍ଚଳ ଜଳବନ୍ଦୀ ସମସ୍ୟାର ସମାଧାନ ଏବଂ ବର୍ଷାଜଳ ପରିଚାଳନାକୁ ସୁଦୃଢ଼ କରିବା ପାଇଁ ୫୦୦ କୋଟି ଟଙ୍କା ବ୍ୟୟବରାଦରେ “ସହରାଞ୍ଚଳ ବର୍ଷା ଜଳ ନିଷ୍କାସନ ପରିଚାଳନା ଏବଂ ଉନ୍ନୟନ କାର୍ଯ୍ୟକ୍ରମ” କୁ ଅନୁମୋଦନ କରାଯାଇଛି। ଅନ୍ୟ ଏକ ପ୍ରସ୍ତାବରେ, କଟକ ସହରରେ ମହାନଦୀ ଜଳତଟର ସମନ୍ୱିତ ବିକାଶ ତଥା ୫ବର୍ଷର ପରିଚାଳନା ପାଇଁ ଇପିସି ଚୁକ୍ତିକୁ ସରକାର ମଞ୍ଜୁରି ଦେଇଛନ୍ତି। ଏହି ପ୍ରକଳ୍ପରେ ନଦୀକୂଳ ଭ୍ରମଣ ପଥ (ପ୍ରୋମେନାଡ୍), ଲ୍ୟାଣ୍ଡସ୍କେପିଂ, ‘କଟକ ହାଟ’, ଆଙ୍କର ପାଭିଲିୟନ, ମୁକ୍ତାକାଶ ରଙ୍ଗମଞ୍ଚ ଏବଂ ଜଳାଶୟଗୁଡ଼ିକର ବିକାଶ କରାଯିବ। ସାମୁଦ୍ରିକ ଅର୍ଥନୀତିର ଉନ୍ନତି ପାଇଁ ପୁରୀ ଜିଲା ଅସ୍ତରଙ୍ଗ (ନୂଆଗଡ଼) ଠାରେ ଏକ ଆଧୁନିକ ମତ୍ସ୍ୟ ବନ୍ଦର ପର୍ଯ୍ୟାୟ-୨ର ନିର୍ମାଣ ନିମନ୍ତେ କ୍ୟାବିନେଟ୍ ଆର୍ଥିକ ବିଡ୍‌କୁ ଅନୁମୋଦନ ଦେଇଛି। ଏହାର ନିର୍ମାଣ ଖର୍ଚ୍ଚ ୧୯୩.୮୯ କୋଟି ଟଙ୍କା (ଜିଏସଟି ବ୍ୟତୀତ) ଆକଳନ କରାଯାଇଛି। ଆଇଆଇଟି ମାଡ୍ରାସର ବୈଷୟିକ ସହାୟତାରେ ଏହା ୨ ବର୍ଷରେ ଶେଷ ହେବ।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ “ନିଃଶୁଳ୍କ ପାଠ୍ୟପୁସ୍ତକ ଯୋଗାଣ” ଯୋଜନାକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। ଏହାଦ୍ୱାରା ରାଜ୍ୟର ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ମାଧ୍ୟମିକ ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀରେ ଅଧ୍ୟୟନରତ ସାଧାରଣ ବର୍ଗର ଛାତ୍ରଛାତ୍ରୀ (ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବ୍ୟତୀତ) ମାଗଣାରେ ପାଠ୍ୟପୁସ୍ତକ ପାଇବେ। ଏହି ଯୋଜନା ପାଇଁ ଆଗାମୀ ୫ ବର୍ଷ (୨୦୨୪-୨୫ ରୁ ୨୦୨୮-୨୯) ନିମନ୍ତେ ୧୮୪.୦୬ କୋଟି ଟଙ୍କାର ବ୍ୟୟ ଅଟକଳ ଧାର୍ଯ୍ୟ କରାଯାଇଛି। ବଲାଙ୍ଗୀର ଜିଲାରେ ଦୀର୍ଘକାଳୀନ ଜଳାଭାବ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସଇଁତଳା ବ୍ଲକ୍‌ ଅନ୍ତର୍ଗତ ତୁଷୁରା ଗ୍ରାମ ନିକଟରେ ତେଲ୍ ନଦୀର ଉପନଦୀ ଲାନ୍ଥ ନଦୀ ଉପରେ ଏକ ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ ନିର୍ମାଣ ପାଇଁ ୧୦୫.୬୨ କୋଟି ଟଙ୍କାର ଟେଣ୍ଡରକୁ ଅନୁମୋଦନ ଦିଆଯାଇଛି। ସେହିପରି ବିପର୍ଯ୍ୟୟ ସମୟରେ ରାଜ୍ୟ ସରକାରଙ୍କ ଡିଜିଟାଲ୍ ସେବାଗୁଡ଼ିକର ନିରବଚ୍ଛିନ୍ନ ଉପଲବ୍ଧତା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ କେନ୍ଦୁଝରଠାରେ (ଧରଣୀଧର ବିଶ୍ୱବିଦ୍ୟାଳୟର ଦକ୍ଷିଣ କ୍ୟାମ୍ପସରେ) ୧୭୬.୮୩ କୋଟି ଟଙ୍କା ବ୍ୟୟରେ ଏକ ବିପର୍ଯ୍ୟୟ ପୁନରୁଦ୍ଧାର-ସହ-ତଥ୍ୟ କେନ୍ଦ୍ର ପ୍ରତିଷ୍ଠା ପାଇଁ କ୍ୟାବିନେଟ୍ ମଞ୍ଜୁରି ପ୍ରଦାନ କରିଛି।

Leave a Reply

Your email address will not be published. Required fields are marked *