ଭୁବନେଶ୍ବର,୨୨/୬ : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ପିଲା ଚୋରି ସନ୍ଦେହରେ ରାଜ୍ୟ ବାହାର ଯୁବକ-ଯୁବତୀଙ୍କୁ ଆକ୍ରମଣ ଘଟଣାକୁ ଗୁରୁତର ସହ ନେଇଛି ଓଡ଼ିଶା ପୁଲିସ। ମାମଲା ସମ୍ବେଦନଶୀଳ ଥିବାରୁ ରେଡ୍ ଫ୍ଲାଗ୍ ଶ୍ରେଣୀଭୁକ୍ତ କରିବାକୁ କ୍ରାଇମ୍ବ୍ରାଞ୍ଚର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା (ସିଏଡବ୍ଲ୍ୟୁ ଆଣ୍ଡ ସିଡବ୍ଲ୍ୟୁ)କୁ ପୁଲିସ ମହାନିର୍ଦେଶକ (ଡିଜିପି) ୱାଇ.ବି. ଖୁରାନିଆ ନିର୍ଦେଶ ଦେଇଛନ୍ତି। ସିଏଡବ୍ଲ୍ୟୁ ଆଣ୍ଡ ସିଡବ୍ଲ୍ୟୁର ଏଡିଜି ଏସ୍. ସାଇନି ମାମଲାକୁ ନିରୀକ୍ଷଣ କରିବେ। ତାଙ୍କ ନେତୃତ୍ବରେ ଏକ ଦଳ ରାୟଗଡ଼ା ଅଭିମୁଖେ ଯାଇ ଏସ୍ପିଙ୍କ ସହ ଆଲୋଚନା କରିବେ। ଆକ୍ରମଣର ଶିକାର ଯୁବକ-ଯୁବତୀଙ୍କ ବୟାନ ରେକର୍ଡ ସରିଛି। ଆବଶ୍ୟକ ପଡ଼ିଲେ ପୁଲିସ ଉଭୟଙ୍କୁ ଆଉ ଥରେ ପଚରାଉଚରା କରିବ। ଏକ ଦଳ ଦିଲ୍ଲୀ ଅଭିମୁଖେ ଯାଇ ତଦନ୍ତ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି।
ଅନୁରୂପ ଭାବେ ଗିରଫଦାରୀ ଭୟରେ କଲ୍ୟାଣସିଂହପୁରର କାନ୍ଦୁଲଗୁଡ଼ା ଗାଁ ପୁରୁଷଶୂନ୍ୟ ହୋଇଯାଇଛି। ଏହି ମାମଲାରେ ଏବେ ସୁଦ୍ଧା ୨୩ ଜଣଙ୍କୁ ଗିରଫ କରାଯାଇଛି। ଆଗକୁ ଗିରଫଦାରୀ ବଢ଼ିବାର ସମ୍ଭାବନା ରହିଛି। ୩ଟି ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି। ତଦନ୍ତରେ କ୍ରାଇମବ୍ରାଞ୍ଚ ମଧ୍ୟ ଜିଲା ପୁଲିସକୁ ସହଯୋଗ କରୁଛି। ଘଟଣାର ଭିଡିଓ ପ୍ରଘଟ କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ ପାଇଁ ଉଦ୍ୟମ ଚାଲିଛି। ସୂଚନାଯୋଗ୍ୟ, ଗ୍ରାମ ବିକାଶ ସଂଗଠନ ପାଇଁ କାର୍ଯ୍ୟ କରୁଥିବା ଗୁଜରାଟର ଯୁବତୀ ଓ ଦିଲ୍ଲୀର ଯୁବକ ଧୁମୁଣିପଙ୍ଗା ପଞ୍ଚାୟତ କାନ୍ଦୁଲଗଡ଼ା ଗାଁ ପାଖେର ଲୋକଙ୍କୁ ରାସ୍ତା ପଚାରି ଥିଲେ। ଦୁଇ ସ୍ବେଚ୍ଛାସେବୀ ଗାଁକୁ ଆସି ପିଲାଙ୍କ ସହ ରଜଦୋଳି ଖେଳି ବିସ୍କୁଟ ବଣ୍ଟନ କରିଥିଲେ। ଉଭୟଙ୍କୁ ପିଲାଚୋର ସନ୍ଦେହରେ ଗାଁ ଲୋକେ ଆକ୍ରମଣ କରିଥିଲେ।













Leave a Reply