ତୁରନ୍ତ ତ୍ରୁଟିଶୂନ୍ୟ ପାଠ୍ୟ ପୁସ୍ତକ ଯୋଗାଇ ଦିଆଯାଉ : ନବୀନ ପଟ୍ଟନାୟକ

ଭୁବନେଶ୍ବର,୧୭/୬ : ପ୍ରଥମରୁ ଅଷ୍ଟମ ଶ୍ରେଣୀ ଓଡ଼ିଆ ପାଠ୍ୟପୁସ୍ତକରେ ଶହଶହ ଭୁଲ ବାହାରିବା ଘଟଣାରେ ବିଜେପି ଉପରେ ବର୍ଷିଲେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେ ତାଙ୍କ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ଲେଖିଛନ୍ତି, ପ୍ରଥମରୁ ଅଷ୍ଟମ ଶ୍ରେଣୀ ଓଡ଼ିଆ ପାଠ୍ୟପୁସ୍ତକରେ ଶହଶହ ଭୁଲ ବାହାରିବା ବିଜେପି ସରକାରର ଅତ୍ୟନ୍ତ ଦାୟିତ୍ବହୀନ ତଥା ଖାମଖିଆଲି ମନୋଭାବକୁ ଦର୍ଶାଉଛି । ପିଲାମାନଙ୍କୁ ଏ ସରକାର ଠିକ ସମୟରେ ପାଠ୍ୟପୁସ୍ତକ ଯୋଗାଇ ପାରୁନଥିବା ବେଳେ, ମିଳିଥିବା ପାଠ୍ୟପୁସ୍ତକରେ ବି ଅନେକ ଭୁଲ ବାହାରିବା ପିଲାଙ୍କ ପାଠପଢ଼ା ଆଶାକୁ ଭାଙ୍ଗି ଦେଇଛି ।

ଶିକ୍ଷା ହେଉଛି ଜୀବନର ମେରୁଦଣ୍ଡ, ଶିକ୍ଷା ଫିଟାଇଥାଏ ସମୃଦ୍ଧିର ବାଟ। ହେଲେ ବିଜେପି ସରକାରରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ବିଜେପି ସରକାର ପିଲାଙ୍କ ଭବିଷ୍ୟତ ଏମିତି ଗଢ଼ିବାକୁ ଚାହୁଁଛି ? ମହାପୁରୁଷଙ୍କ ନାମକୁ କଦର୍ଥ କରିବା, ଗଞ୍ଜାମ ବଦଳରେ ବ୍ରହ୍ମପୁରକୁ ଜିଲ୍ଲା ଭାବେ ଅଭିହିତ କରିବା, ଭୁଲ ବନାନ ଲେଖାଯିବା ଛୋଟିଆ କଥା ନୁହେଁ। ‘ଓଡ଼ିଆ ଅସ୍ମିତା’ର ନାରା ଦେଇ ବିଜେପି କ୍ଷମତାକୁ ଆସିବା ପରେ ଓଡ଼ିଆ ଭାଷା ଓ ଲିପିକୁ ସର୍ବାଧିକ କଦର୍ଥ କରାଯାଇଛି।

ଶୈଶବରୁ ପିଲାମାନଙ୍କ ଶିକ୍ଷା ସହ ବିଜେପି ସରକାର କରୁଥିବା ସାଲିସ୍ କଦାପି କ୍ଷମଣୀୟ ନୁହେଁ । ତୁରନ୍ତ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବା ସହ ପିଲାମାନଙ୍କ ଉତ୍ତମ ଶିକ୍ଷା ସୁନିଶ୍ଚିତ କରାଯାଉ ।

Leave a Reply

Your email address will not be published. Required fields are marked *