ଭୁବନେଶ୍ୱର/ନୂଆଦିଲ୍ଲୀ, ୮/୧୦: ଚର୍ଚ୍ଚାରେ ପଶ୍ଚିମବଙ୍ଗର ବିଧାୟକ ହୁମାୟୁନ୍ କବୀର। ସକ୍ରିୟ ରାଜନୀତିରୁ ଅବସର ଘୋଷଣା କରିବା ସହ ବିଧାୟକ ପଦରୁ ଇସ୍ତଫା ଦେବାକୁ ଇଛା ପ୍ରକାଶ କରିଛନ୍ତି। କେବଳ ଏତିକି ନୁହେଁ, ସେ ଆଉ ବିଧାନସଭା ନଯିବାକୁ ମଧ୍ୟ ଘୋଷଣା କରିଛନ୍ତି । ଉଲ୍ଲେଖନୀୟ ଯେ, ରେଜିନଗର ଉପନିର୍ବାଚନ ସମୟରେ ପୋଲିସ ତାଙ୍କୁ ଅଟକ ରଖି ପ୍ରାୟ ୧୨ ଘଣ୍ଟା ପାଇଁ ହାଜତରେ ରଖିଥିଲା ।
ସୂଚନାଥାଉକି, ମଙ୍ଗଳବାର ଦିନ ମୁର୍ଶିଦାବାଦର ରେଜିନଗର ଉପନିର୍ବାଚନ ସମୟରେ “ଅପମାନିତ” ଏବଂ ପୋଲିସ “ଉତ୍ପୀଡ଼ନ”ର ଶିକାର ହୋଇଥିଲେ ଆମ ଜନତା ଉନ୍ନୟନ ପାର୍ଟି (AJUP) ନେତା ତଥା ବିଧାୟକ ହୁମାୟୁନ କବୀର ।
ହୁମାୟୁନ କବୀର ୨୦୨୬ ବିଧାନସଭା ନିର୍ବାଚନରେ ନୌଡା ଏବଂ ରେଜିନଗର ଉଭୟ ଆସନରେ ବିଜୟୀ ହୋଇଥିଲେ । ରେଜିନଗର ଆସନରୁ ହୁମାୟୁନଙ୍କ ଇସ୍ତଫା ପରେ ଗତକାଲି ଏକ ଉପନିର୍ବାଚନ ହୋଇଥିଲା । ରେଜିନଗର ଉପନିର୍ବାଚନ ଆରମ୍ଭ ହେବାର ଗୋଟିଏ ଘଣ୍ଟା ମଧ୍ୟରେ, ପୋଲିସ ତାଙ୍କୁ “ଆଇନ ଭଙ୍ଗ” ପାଇଁ ରେଜିନଗରର ଦଳୀୟ କାର୍ଯ୍ୟାଳୟ ସମ୍ମୁଖରେ ଅଟକ ରଖିଥିଲା । ପ୍ରାୟ ୧୨ ଘଣ୍ଟା ପୋଲିସ ହେପାଜତରେ ରହିବା ପରେ, ରାତି ୮ଟା ସମୟରେ ହୁମାୟୁନଙ୍କୁ ପୋଲିସ ହେପାଜତରୁ ମୁକ୍ତ କରାଯାଇଥିଲା। ହୁମାୟୁନ କବୀର ବୁଧବାର ଦିନ ତାଙ୍କର ନିଷ୍ପତ୍ତି ଘୋଷଣା କରିଥିଲେ। ସେ କହିଥିଲେ, “ମୁଁ ପ୍ରତିବାଦ କରିଥିଲି । ପୋଲିସ ମୋତେ ଜୋରଜବରଦସ୍ତ ଉଠାଇ ନେଇ ୧୨ ଘଣ୍ଟା ପାଇଁ ଅଟକ ରଖିଥିଲା, ମୋ ବିରୋଧରେ ମିଥ୍ୟା ଅଭିଯୋଗ ଆଣିଥିଲା।”
PTI ଅନୁଯାୟୀ, ହୁମାୟୁନ କବୀର ବୁଧବାର ଆଉ ଏକ ବଡ଼ ଘୋଷଣା କରି କହିଥିଲେ ଯେ ଯେପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ପଦବୀରେ ରହିବେ ସେ ବିଧାନସଭାରେ ଯୋଗଦେବେ ନାହିଁ । ହୁମାୟୁନ କବୀର ତାଙ୍କ ନିଷ୍ପତ୍ତି ପାଇଁ ନୌଡାର ଲୋକଙ୍କ ନିକଟରେ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ । ଲୁହଭରା ଆଖିରେ କବୀର କହିଥିଲେ, “ଯଦି ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ରୁହନ୍ତି, ତେବେ ମୁଁ ବିଧାନସଭାରେ ଯୋଗଦେବି ନାହିଁ । ମୁଁ ନୌଡାର ଲୋକଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବି ।
ପଶ୍ଚିମବଙ୍ଗର ଦୁଇଟି ବିଧାନସଭା ଆସନ ପାଇଁ ମଙ୍ଗଳବାର ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା ।













Leave a Reply