ବାୟୁସେନାର ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି

ଭୁବନେଶ୍ୱର,୩/୮ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ବାୟୁସେନାର ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ତାଙ୍କୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ସ୍ୱାଗତ ଜଣାଇଥିଲେ । ଏହି ଅବସରରେ ବରିଷ୍ଠ ପ୍ରଶାସନିକ ଓ ପୁଲିସ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଲୋକଭବନରେ କିଛି ସମୟ ବିତାଇବା ପରେ ସଡ଼କ ପଥରେ କଟକ ଜିଲ୍ଲା ଡମପଡ଼ା ତହସିଲ ଅନ୍ତର୍ଗତ ବାଆଁରା ନିକଟସ୍ଥ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗଦେବେ । ସେଠାରୁ ଫେରିବା ପରେ ଲୋକଭବନରେ ରାତ୍ର ରହଣି କରିବେ। ମଙ୍ଗଳବାର ଓ ବୁଧବାର ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ ମହାମହିମ।

୪ ତାରିଖ ସକାଳେ ଭୁବନେଶ୍ୱର ରେଳଷ୍ଟେସନରୁ ସ୍ବତନ୍ତ୍ର ଟ୍ରେନ ଯୋଗେ ବ୍ରହ୍ମପୁର ଯିବେ । ପୂର୍ବାହ୍ନ ୧୧ଟା ୩୦ରେ ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚିବା ପରେ ସେଠାରୁ ସଡ଼କପଥରେ ତପ୍ତପାଣି ଯିବେ। ରାଷ୍ଟ୍ରପତି ୪ ନଂ ପ୍ଲାଟଫର୍ମରୁ ବାହାରି ଗୋସାଇଁନୂଆଗାଁ, ଅନ୍ଧପସରାରୋଡ୍‌, ହରିଡ଼ାଖଣ୍ଡି, ଦିଗପହଣ୍ଡି ରୋଡ୍‌ ହୋଇ ତପ୍ତପାଣିରେ ପହଞ୍ଚିବେ। ତପ୍ତପାଣି ଉଷ୍ମପ୍ରସ୍ରବଣ ପରିଦର୍ଶନ ପରେ ରାଷ୍ଟ୍ରପତି ଏହି ରାସ୍ତାରେ ପୁଣି ବ୍ରହ୍ମପୁର ​ଫେରି ଗୋଳାବନ୍ଧ ଆର୍ମି ଏୟାର ଡିଫେନ୍ସ କଲେଜରେ ରାତ୍ରିଯାପନ କରିବେ।

ରାଷ୍ଟପତିଙ୍କ ଗସ୍ତ ପାଇଁ ଗଞ୍ଜାମ ଓ ବ୍ରହ୍ମପୁର ପୁଲିସ ତଥା ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଷ୍ଟ୍ରପତି ଯେଉଁ ସଡ଼କପଥରେ ଯାତ୍ରା କରିବେ ଏବଂ ଯେଉଁ ଅଞ୍ଚଳରେ ରହିବେ, ସେହି ସମସ୍ତ ଅଞ୍ଚଳକୁ ‘ନୋ-ଫ୍ଲାଇଂ-ଜୋନ୍‌ ଓ ନୋ-ଡ୍ରୋନ-ଜୋନ୍‌’ ଘୋଷଣା କରାଯାଇଛି। ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତିଭାସନ ଏହି ମର୍ମରେ ନିର୍ଦେଶନାମା ଜାରି କରିଛନ୍ତି। ୫ ତାରିଖରେ ରାଷ୍ଟ୍ରପତି ବ୍ରହ୍ମପୁରରୁ ରେଳ ଯୋଗେ ଭୁବନେଶ୍ୱରରେ ପହଞ୍ଚି ବାୟୁସେନା ବିମାନ ଯୋଗେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *