ରିଲିଜ ହେଲା ‘ହାବସପୁରୀ ୱିଭିଂ: ଦ ସେକେଣ୍ଡ ଆଣ୍ଡ ଲାଷ୍ଟ ଡେଥ୍’ର ପ୍ରଥମ ପୋଷ୍ଟର

ଭୁବନେଶ୍ୱର,୧୩/୮ : ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ଚଳଚ୍ଚିତ୍ର ମାଧ୍ୟମରେ ବିଶ୍ୱ ଦରବାରରେ ପହଞ୍ଚାଇବାରେ ‘ରିତୁପ୍ରିୟା ପ୍ରଡକ୍ସନ୍ସ’ ଏବଂ ପ୍ରସିଦ୍ଧ ଚଳଚ୍ଚିତ୍ର ପ୍ରଯୋଜକ ଅତିଶ କୁମାର ରାଉତ ସଦାସର୍ବଦା ଅଗ୍ରଣୀ ଭୂମିକା ଗ୍ରହଣ କରି ଆସିଛନ୍ତି । ଏହିକ୍ରମରେ, ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ଐତିହ୍ୟକୁ ନେଇ ନିର୍ମିତ ହେଉଥିବା ବହୁପ୍ରତୀକ୍ଷିତ ଓଡ଼ିଆ ବୃତ୍ତଚିତ୍ର “ହାବସପୁରୀ ୱିଭିଂ: ଦ ସେକେଣ୍ଡ ଏଣ୍ଡ ଲାଷ୍ଟ ଡେଥ୍‌”ର ସ୍ୱତନ୍ତ୍ର ପୋଷ୍ଟର ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଆନୁଷ୍ଠାନିକ ଭାବେ ରିଲିଜ ହୋଇଛି। ‘ହାବସପୁରୀ ୱିଭିଂ’ କଳାହାଣ୍ଡି ଜିଲ୍ଲାର ପ୍ରସିଦ୍ଧ ତଥା ଲୁପ୍ତପ୍ରାୟ ହାବସପୁରୀ ହସ୍ତତନ୍ତ ପରମ୍ପରା, ଏହାର ଇତିହାସ, ବର୍ତ୍ତମାନର ସଂଘର୍ଷ ଏବଂ ଏହାର ପୁନରୁଦ୍ଧାର ସମ୍ଭାବନାକୁ ନେଇ ନିର୍ମିତ ହୋଇଛି । ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ପ୍ରଯୋଜକ ଅତିଶ କୁମାର ରାଉତ ଏହାର ପ୍ରଯୋଜନା ଭାର ସମ୍ଭାଳିଥିବାବେଳେ, ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ବିଶ୍ୱନାଥ ରଥ ଏବଂ ମୟୂର ମହାପାତ୍ର ଏହାର ଯୁଗ୍ମ ନିର୍ଦ୍ଦେଶନା ଦେଉଛନ୍ତି।

ଏହି ବୃତ୍ତଚିତ୍ରଟି ବିଶ୍ୱନାଥ ରଥଙ୍କ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ଚଳଚ୍ଚିତ୍ର ‘କୋଟପାଡ଼ ୱିଭିଂ: ଦ ଷ୍ଟୋରୀ ଅଫ୍ ଆ ରେସ୍ ଏଗେନ୍‌ଷ୍ଟ ଟାଇମ୍’ (DD-PSBT ଦ୍ୱାରା ପ୍ରଯୋଜିତ)ର ଅନ୍ୟ ଏକ ପରିକଳ୍ପନା, ଯାହା ୬୦ଟି ପୁରସ୍କାର ଓ ସମ୍ମାନ ହାସଲ କରିବା ସହ ୧୧ଟି ଦେଶରେ ପ୍ରଦର୍ଶିତ ହୋଇସାରିଛି ଏବଂ କୋଟପାଡ଼ ହସ୍ତତନ୍ତ ପ୍ରତି ବିଶ୍ୱସ୍ତରୀୟ ଧ୍ୟାନ ଓ ସ୍ୱୀକୃତି ଆଣିବାରେ ସଫଳ ହୋଇଛନ୍ତି ପ୍ରଯୋଜକ ଅତିଶ କୁମାର ରାଉତ। ଏହି ଚଳଚ୍ଚିତ୍ରଟି ପୂର୍ବରୁ ଆନ୍ତର୍ଜାତୀୟ ସ୍ତରରେ ଦୃଷ୍ଟି ଆକର୍ଷଣ କରିସାରିଛି, ଘୠଊଉ ଫିଲ୍ମ ବଜାର ଡକ୍ୟୁମେଣ୍ଟାରୀ କୋ-ପ୍ରଡକ୍ସନ୍ ମାର୍କେଟ୍ ୨୦୨୩ରେ ୯୮ଟି ଆନ୍ତର୍ଜାତୀୟ ପ୍ରବେଶ ମଧ୍ୟରୁ ଚୂଡ଼ାନ୍ତ ୧୨ଟି ଡକ୍ୟୁମେଣ୍ଟାରୀ ପ୍ରୋଜେକ୍ଟ ପ୍ରସ୍ତାବ ମଧ୍ୟରୁ ଗୋଟିଏ ଭାବରେ ମନୋନୀତ ହୋଇସାରିଛି।

ଏହି ଗୌରବମୟ ଯାତ୍ରାରେ ଆଉ ଏକ ଫର୍ଦ୍ଦ ଯୋଡ଼ି, ୭୭ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ‘ହାବସପୁରୀ ୱିଭିଂ’ ର ପ୍ରଥମ ପୋଷ୍ଟର ରିଲିଜ ହୋଇଥିଲା, ଯେଉଁଠାରେ ଚଳଚ୍ଚିତ୍ର ନିର୍ମାତା ବିଶ୍ୱନାଥ ରଥ ବିଶ୍ୱ ଦରବାରରେ ଓଡ଼ିଶାର ହସ୍ତତନ୍ତ ଐତିହ୍ୟକୁ ପ୍ରଦର୍ଶିତ କରି ଇତିହାସ ରଚନା କରିଥିଲେ ଯାହା ବିଶ୍ୱ ସାଂସ୍କୃତିକ ପରିସରରେ ଓଡ଼ିଶାର ଉପସ୍ଥିତିକୁ ଆହୁରି ସୁଦୃଢ଼ କରିଛି। ୨୦୧୯ ରୁ ୨୦୨୪ ମଧ୍ୟରେ ଏକାଧିକ ପର୍ୟ୍ୟା ୟରେ ଏହି ଡକ୍ୟୁମେଣ୍ଟାରୀ ପାଇଁ ଗବେଷଣା କାର୍ୟ୍ୟକ କରାଯାଇଥିଲା। ଚଳଚ୍ଚିତ୍ର ନିର୍ମାତା ବିଶ୍ୱନାଥ ରଥ, ଟେକ୍ସଟାଇଲ୍ ଡିଜାଇନର ଅନୁପ୍ରିୟା ମୃଧା ଏବଂ ଆମେରିକାର ଲାଇବ୍ରେରୀ ନିର୍ଦ୍ଦେଶିକା କୋରିନ୍ ଫ୍ଲାହର୍ଟିଙ୍କ ନେତୃତ୍ୱରେ ଅଗଷ୍ଟ ୨୦୧୯ରେ ପ୍ରାରମ୍ଭିକ ଗବେଷଣା ଆରମ୍ଭ ହୋଇଥିଲା। କୋଭିଡ-୧୯ ମହାମାରୀ ହେତୁ ଏହା କିଛି ସମୟ ପାଇଁ ସ୍ଥଗିତ ରହିଥିଲା। ଅଗଷ୍ଟ ୨୦୨୩ରେ ବିଶ୍ୱନାଥଙ୍କ ମାର୍ଗଦର୍ଶନରେ ମୟୂର ମହାପାତ୍ର, ସିଦ୍ଧାନ୍ତ ସ୍ୱରୂପ ଏବଂ ଦେବାଶିଷ ପ୍ରତିହାରୀଙ୍କ ଯୋଗଦାନ ସହ ଗବେଷଣା ପୁନର୍ବାର ଆରମ୍ଭ ହୋଇଥିଲା। ଏହି ବ୍ୟାପକ ଗବେଷଣା ହିଁ ଡକ୍ୟୁମେଣ୍ଟାରୀର ମୌଳିକତାର ମୁଖ୍ୟ ଆଧାର।

ସୁପ୍ରିୟା ରାଉତଙ୍କ ଦ୍ୱାରା ସହ-ପ୍ରଯୋଜିତ ଏହି ଫିଲ୍ମର ସୃଜନଶୀଳ ଦଳରେ ମୁଖ୍ୟ ସହକାରୀ ନିର୍ଦ୍ଦେଶକ ଭାବେ ସିଦ୍ଧାନ୍ତ ସ୍ୱରୂପ, ସହକାରୀ ନିର୍ଦ୍ଦେଶକ ଭାବେ ଦେବାଶିଷ ପ୍ରତିହାରୀ, ସିନେମାଟୋଗ୍ରାଫର (DOP) ଭାବେ ମୟୂର ମହାପାତ୍ର ଏବଂ ସାଉଣ୍ଡ ଡିଜାଇନର ଭାବେ ଦିଲେଶ୍ୱର ପ୍ରଧାନ ଅଛନ୍ତି। ଅଜିତ ନାରାୟଣ ଦାସ ଏଡିଟିଂ ଓ ଡିଆଇ (DI) ସମ୍ଭାଳିଥିବା ବେଳେ ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ପ୍ରିୟବ୍ରତ ପାଣିଗ୍ରାହୀ ଏହାର ପୃଷ୍ଠଭୂମି ସଙ୍ଗୀତ ସଂଯୋଜନା କରୁଛନ୍ତି। ‘କୋଟପାଡ଼ ୱିଭିଂ’ର ସଫଳତା ପରେ, ଏହି ଡକ୍ୟୁମେଣ୍ଟାରୀଟି ଟିଭି, ଓଟିଟି (OTT) ଏବଂ ଡିଜିଟାଲ ପ୍ଲାଟଫର୍ମରେ ସାଧାରଣ ଜନତାଙ୍କ ପାଇଁ ମୁକ୍ତିଲାଭ କରିବା ପୂର୍ବରୁ ଭାରତ ଓ ବିଦେଶର ବିଭିନ୍ନ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ। ଏହାର ପୁରସ୍କାରପ୍ରାପ୍ତ ପ୍ରକଳ୍ପ ଏବଂ ବୈଶ୍ୱିକ ଫେଷ୍ଟିଭାଲ ଉପସ୍ଥିତି ପାଇଁ ଜଣାଶୁଣା ‘ବିଏନ୍ଆର ଫିଲ୍ମସ’ଏହି ଫିଲ୍ମର ଆନ୍ତର୍ଜାତୀୟ ଫେଷ୍ଟିଭାଲ ରଣନୀତି ଏବଂ ଡିଜିଟାଲ ବଣ୍ଟନର ତଦାରଖ କରିବ।

ପ୍ରଯୋଜକ ଅତିଶ କୁମାର ରାଉତ କହିଛନ୍ତି – 

“ଓଡ଼ିଆ ମଧ୍ୟମ ଦୈର୍ଘ୍ୟର କାହାଣୀ ଫିଲ୍ମ ‘ଚାରିକାନ୍ଧ’ର ଚମତ୍କାର ସଫଳତା ପରେ ବିଶ୍ୱନାଥଙ୍କ ସହ ଏହି ଡକ୍ୟୁମେଣ୍ଟାରୀ ମୋର ଦ୍ୱିତୀୟ ସହଯୋଗ। କଳାହାଣ୍ଡି ଅଞ୍ଚଳର ଓଡ଼ିଶାର ଅନ୍ୟତମ ଅନନ୍ୟ ତଥା ଲୁପ୍ତପ୍ରାୟ ବସ୍ତ୍ର ପରମ୍ପରାର ପୁନରୁଦ୍ଧାର ପାଇଁ ଉଦ୍ଦିଷ୍ଟ ଏକ ପ୍ରକଳ୍ପର ଅଂଶବିଶେଷ ହୋଇଥିବାରୁ ମୁଁ ଗୌରବାନ୍ୱିତ। ‘ରିତୁପ୍ରିୟା ପ୍ରଡକ୍ସନ’ରେ ଲକ୍ଷ୍ୟ ହେଉଛି ସଦାସର୍ବଦା ଆଞ୍ଚଳିକ କାହାଣୀକୁ ବିଶ୍ୱସ୍ତରୀୟ ଆଦୃତି ଦେବା। ଏହି ଡକ୍ୟୁମେଣ୍ଟାରୀ ମାଧ୍ୟମରେ ଆମେ ସାରା ବିଶ୍ୱର ଦର୍ଶକଙ୍କ ନିକଟରେ ଓଡ଼ିଶା ଏବଂ ଭାରତର ସାଂସ୍କୃତିକ ସମୃଦ୍ଧିକୁ ପ୍ରଦର୍ଶିତ କରିବାକୁ ଲକ୍ଷ୍ୟ ରଖିଛୁ।”

ନିର୍ଦ୍ଦେଶକ ବିଶ୍ୱନାଥ ରଥ କହିଛନ୍ତି –

“୨୦୧୯ରେ ଏହାର ଶୁଭାରମ୍ଭ ପରଠାରୁ, ଏହି ଡକ୍ୟୁମେଣ୍ଟାରୀଟି ଆମ ଟିମ୍ ପାଇଁ ଏକ ହୃଦୟସ୍ପର୍ଶୀ ସ୍ୱପ୍ନର ପ୍ରକଳ୍ପ ହୋଇରହିଛି । କଳାହାଣ୍ଡିର ସୁନ୍ଦର ତଥା ଅଳ୍ପଜଣା ‘ହାବସପୁରୀ ହସ୍ତତନ୍ତ ପରମ୍ପରା’ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହା ଆମର ଏକ ବିନମ୍ର ପ୍ରୟାସ ଏକ କଳା ରୂପ ଯାହା ପୁନରୁଦ୍ଧାର, ସ୍ୱୀକୃତି ଏବଂ ସମ୍ମାନ ପାଇବାକୁ ଯୋଗ୍ୟ। ପ୍ରଭୁ ଜଗନ୍ନାଥଙ୍କ କୃପାରୁ, ଏହାର ପୋଷ୍ଟର ଆମ ଦର୍ଶକ ଏବଂ ପ୍ରଶଂସକଙ୍କଠାରୁ ଅପୂର୍ବ ପ୍ରତିକ୍ରିୟା ପାଇଛି। ଆମେ ଆଶା କରୁଛୁ ଯେ ଏହି ଫିଲ୍ମଟି ମନୋରମ ହାବସପୁରୀ ହସ୍ତତନ୍ତ ପରମ୍ପରା ବିଷୟରେ ଅର୍ଥପୂର୍ଣ୍ଣ ସଚେତନତା ସୃଷ୍ଟି କରିବାରେ ସଫଳ ହେବ, ଯାହାଦ୍ୱାରା ଏହାର ପୁନରୁଦ୍ଧାର ଏବଂ ଦୀର୍ଘକାଳୀନ ସଂରକ୍ଷଣ ପାଇଁ ନୂତନ ପଥ ଉନ୍ମୋଚନ କରିବାରେ ସାହାଯ୍ୟ କରିବ।”

ନିର୍ଦ୍ଦେଶକ ମୟୂର ମହାପାତ୍ର କହିଛନ୍ତି –

“ପୋଷ୍ଟରଟି ଦର୍ଶକଙ୍କ ସହ ଅର୍ଥପୂର୍ଣ୍ଣ ସମ୍ପର୍କ ଯୋଡ଼ିପାରିଛି, ତାହା ଦେଖି ଆମେ ପ୍ରକୃତରେ ଆନନ୍ଦିତ। ଆମର ଏହି ଫିଲ୍ମ ଓଡ଼ିଶାର ଅନ୍ୟତମ ବିସ୍ମୃତ ବୁଣାକାର ସମୂହର ହୃଦୟକୁ ଛୁଇଁବ। ଦ୍ରୁତ ଶିଳ୍ପାୟନ, ଆର୍ଥିକ ସହାୟତାର ଅଭାବ ଏବଂ ବଦଳୁଥିବା ସମୟ କିପରି ହାବସପୁରୀ ବୁଣାକାରଙ୍କ ପ୍ରସିଦ୍ଧ ହସ୍ତତନ୍ତକୁ ଚିରଦିନ ପାଇଁ ନୀରବ କରିଦେବାକୁ ବାଧ୍ୟ କରୁଛି, ତାହା ଏଥିରେ ଦର୍ଶାଯାଇଛି।”

‘ହାବସପୁରୀ ୱିଭିଂ: ଦି ସେକେଣ୍ଡ ଆଣ୍ଡ ଲାଷ୍ଟ ଡେଥ୍’ର ଆନୁଷ୍ଠାନିକ ପୋଷ୍ଟରର ରିଲିଜ ଓଡ଼ିଶାର ବସ୍ତ୍ର ଐତିହ୍ୟର ସଂରକ୍ଷଣ ଏବଂ ହାବସପୁରୀ ହସ୍ତତନ୍ତ ପରମ୍ପରା ପ୍ରତି ବିଶ୍ୱର ଧ୍ୟାନ ଆକର୍ଷଣ କରିବା ଦିଗରେ ଏକ ଶକ୍ତିଶାଳୀ ପଦକ୍ଷେପ। ଏକ ମଜବୁତ ସୃଜନଶୀଳ ଟିମ୍, ବ୍ୟାପକ ଗବେଷଣା ଏବଂ ତିନୋଟି ଶ୍ରଦ୍ଧେୟ ପ୍ରଯୋଜନା ସଂସ୍ଥାର ସହଯୋଗ ସହିତ, ଏହି ଡକ୍ୟୁମେଣ୍ଟାରୀ ଭାରତର ସାଂସ୍କୃତିକ ସିନେମା ଜଗତରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବାର ପ୍ରତିଶ୍ରୁତି ଦିଏ।

ପ୍ରଯୋଜକ ଅତିଶ କୁମାର ରାଉତଙ୍କ ଦ୍ୱାରା ପ୍ରତିଷ୍ଠିତ ‘ରିତୁପ୍ରିୟା ପ୍ରୋଡକ୍ସନ୍ସ’ (ସାମାଜିକ ପ୍ରାସଙ୍ଗିକତା ଏବଂ ସାଂସ୍କୃତିକ ଦୃଷ୍ଟିରୁ ସମୃଦ୍ଧ ଫିଲ୍ମ ଯଥା ‘ଚାରିକାନ୍ଧ’ (ବିଶ୍ୱନାଥଙ୍କ ଦ୍ୱାରା ଲିଖିତ-ନିର୍ଦ୍ଦେଶିତ), ‘ଭଉଁରୀ’, ‘ଡାଲଚିନି’, ‘ପ୍ରତିବାଦ’ ଏବଂ ଆଦୃତ ୨୦୨୪ ଓଡ଼ିଆ ଫିଲ୍ମ ‘ଭୋଟ୍’ ପାଇଁ ଜଣାଶୁଣା। ପୁରସ୍କାରପ୍ରାପ୍ତ ଫିଲ୍ମ ନିର୍ମାତା ବିଶ୍ୱନାଥ ରଥଙ୍କ ଦ୍ୱାରା ପ୍ରତିଷ୍ଠିତ ‘ବିଏନ୍ଆର ଫିଲ୍ମସ’ ଏକ ଦଶନ୍ଧିରୁ ଅଧିକ ସମୟ ଧରି ବିଶ୍ୱ ଚଳଚ୍ଚିତ୍ର ମହୋତ୍ସବରେ ଓଡ଼ିଶା/ଭାରତର ପ୍ରତିନିଧିତ୍ୱ କରିଆସୁଛି, ଯାହାର ପ୍ରକଳ୍ପଗୁଡ଼ିକ ୬୪୦ରୁ ଅଧିକ ଆନ୍ତର୍ଜାତୀୟ ପୁରସ୍କାର ହାସଲ କରିଛି। ନିର୍ଦ୍ଦେଶକ ମୟୂର ମହାପାତ୍ରଙ୍କ ନେତୃତ୍ୱାଧୀନ ‘ଏମଏନଏମ ଏଣ୍ଟରଟେନମେଣ୍ଟ’ ଏହାର ସୁଦୃଢ଼ ସିନେମାଟିକ୍ ଦୃଷ୍ଟିକୋଣ ଏବଂ ‘ବଇଦ’ ସମେତ ପ୍ରଶଂସିତ କାର୍ଯ୍ୟ ପାଇଁ ପରିଚିତ।

Leave a Reply

Your email address will not be published. Required fields are marked *