ଖୁଣ୍ଟା, ୯/୮ : ଦୁର୍ଘଟଣା ରୋକିବାକୁ ନେଇ ରାସ୍ତା ମରାମତି କଲେ ପୋଲିସ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ପୋଲିସ ଦ୍ୱାରା । ଯାହା ଏବେ ବେଶ ଚର୍ଚ୍ଚାର ବିଷୟ ହୋଇଛି । ସୂଚ଼ନା ଅନୁଯାୟୀ, ପୂର୍ତ୍ତ ବିଭାଗ ଅଧିନରେ ଥିବା ବାରିପଦା- ଖୁଣ୍ଟା – ଉଦଳା ୧୯ ନମ୍ବର ରାଜ୍ୟରାଜ ପଥରଟି ଆବଶ୍ୟକତା ଅନୁଯାୟୀ ମରାମତି ଅଭାବରୁ ଏବେ ମରଣଯନ୍ତା ପାଲଟିଛି ।
ପ୍ରକାଶ ଯେ, ଖୁଣ୍ଟା ଥାନା ଅଧୀନରେ ଥିବା ଖୁଣ୍ଟା- ଉଦଳା ରାସ୍ତାଟି ବ୍ୟସ୍ତ ବହୁଳ ରାସ୍ତା ଭାବେ ପରିଚିତ । ଉକ୍ତ ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ବଡ଼ ଖାଲ ମାନ ସୃଷ୍ଟି ହୋଇଥିବା କାରଣରୁ ମୁଖ୍ୟତଃ ରାତ୍ରୀ ସମୟରେ ଯାତ୍ରୀମାନଙ୍କୁ ଅନେକ ଦୁର୍ଘଟଣାରେ ସମ୍ମୁଖିନ ଦେଖିବାକୁ ପଡ଼ୁଥିବା ନଜିର ରହିଛି । ଏପରିକି, ଏହି ରାସ୍ତାରେ ମାତ୍ର କିଛଦିନ ବ୍ୟବଧାନରେ ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା ଘଟି ୧୦ରୁ ଊର୍ଦ୍ଧ୍ବ ବ୍ୟକ୍ତି ଗୁରୁତର ହୋଇଛନ୍ତି । ତେବେ, ରାସ୍ତାରେ ସୃଷ୍ଟି ହୋଇଥିବା ଖାଲଖମା ଯୋଗୁଁ ମୁଖ୍ୟତଃ ରାତ୍ରୀ ସମୟରେ ଉକ୍ତ ରାସ୍ତା ଦେଇ ଯାଉଥିବା ଯାତ୍ରୀମାନଙ୍କର ଧନଜୀବନ ଅସୁରକ୍ଷିତ ହୋଇ ପଡ଼ିଥିବା ଖୁଣ୍ଟା ପୋଲିସ ଜାଣିବାକୁ ପାଇ ଏହାର ମରାମତି ପାଇଁ ଖୁଣ୍ଟା ପୋଲିସ ଅଣ୍ଟା ଭିଡ଼ି ଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଖୁଣ୍ଟା ଥାନା ଆଇଆଇସି ଆଦିତ୍ୟ ପ୍ରସାଦ ଜେନା ଏବଂ ଏଏସ୍ଆଇ ରତିକାନ୍ତ ଦାସଙ୍କ ନେତୃତ୍ବରେ ଅନ୍ୟ ପୋଲିସ କର୍ମଚ଼ାରୀ ଶନିବାର ମଧ୍ୟାହ୍ନରେ ହାତରେ କୁଡ଼ି କୋଦାଳ ଧରି ଖାଲ ଖମା ଥିବା ସ୍ଥାନ ଗୁଡ଼ିକୁ ମରାମତି କରୁଥିବା ଦେଖିବାକୁ ମିଳିଥିଲା ।
ତେବେ ରାସ୍ତା ମରାମତି କରୁଥିବା ପୋଲିସ କର୍ମଚ଼ାରୀମାନଙ୍କ କହିବା ଅନୁଯାୟୀ, ଗତ କିଛିଦିନ ଧରି କଲେଜ ଛକ ଏବଂ ନବକିଶୋରପୁର, ହିରାପୁର ପଥରା ଛକ ଆଦି ରାସ୍ତାରେ କ୍ରମାଗତ ଭାବେ ଦୁର୍ଘଟଣା ବଢ଼ି ଚାଲିଛି । ତେଣୁ ଏହାର ମରାମତି ଦ୍ବାରା କିଛି ମାତ୍ରାରେ ଦୁର୍ଘଟଣାକୁ ରୋକା ଯାଇପାରିବ ବୋଲି ସୂଚାଇଥିଲେ । ଜନସାଧାରଣ ଯାତ୍ରା କରୁଥିବା ସମୟରେ ଦୃତଗତିରେ ଗାଡ଼ି ନଚଳାଇବା ପାଇଁ ମଧ୍ୟ ନିବେଦନ କରିଛନ୍ତି । ତେବେ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଖୁଣ୍ଟା ପୋଲିସ ପକ୍ଷରୁ ସ୍ବେଚ୍ଛାକୃତ ଭାବେ ନିଆଯାଇଥିବା ଏଭଳି ସେବା ମୂଳକ ପଦକ୍ଷେପକୁ ବିଭିନ୍ନ ମହଲ ସ୍ଵାଗତ କରାଯାଇଛି । ଲୋକମାଙ୍କ ଧନଜୀବନ ସୁରକ୍ଷାକୁ ଦୃଷ୍ଟିରେ ରଖି ଖୁଣ୍ଟା ଥାନା ଆଇଆଇସି ଆଦିତ୍ୟ ପ୍ରସାଦ ଜେନା, ଏଏସଆଇ ରତିକାନ୍ତ ଦାସଙ୍କ ସମେତ ଅନ୍ୟ ପୋଲିସ କର୍ମଚ଼ାରୀମାନେ ହାତରେ କୋଦାଳ, ସିମେଣ୍ଟ, ବାଲି ଧରି ରାଜପଥ ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ଖାଲ ଗୁଡ଼ିକୁ ମରାମତି କରୁଥିବା ଦେଖିବାକୁ ମିଳିଥିଲା ।















Leave a Reply