ଭୁବନେଶ୍ୱର,୩/୮ : ଜାତୀୟ ସ୍ତରର ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ଓଡ଼ିଶା ପୋଲିସର କ୍ରୀଡାବିତମାନଙ୍କ ଚମକ ପୁଣିଥରେ ଦେଖିବାକୁ ମିଳିଛି । ସର୍ବ ଭାରତୀୟ ସ୍ତରର ବିଭିନ୍ନ ପ୍ରତିଯୋଗିତାରେ ୧୨ଜଣ କ୍ରୀଡାବିତ ଉଲ୍ଲେଖନୀୟ ସଫଳତା ହାସଲ କରି ଓଡିଶା ପୋଲିସ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଏହି ଅବସରରେ ଭୁବନେଶ୍ୱରସ୍ଥିତ କମିଶନରେଟ୍ ପୋଲିସ ମୁଖ୍ୟାଳୟଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଉତ୍ସବରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ କୃତୀ ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଜୁଲାଇ ୨୩ ରୁ ୩୦ପର୍ଯ୍ୟନ୍ତ ହାଇଦ୍ରାବାଦସ୍ଥିତ ଗଛିବୋଉଲି ଇନଡୋର ଷ୍ଟାଡିୟମଠାରେ ଅନୁଷ୍ଠିତ ୧୧ତମ ସର୍ବ ଭାରତୀୟ ପୋଲିସ ଜୁଡୋ କ୍ଲଷ୍ଟର (୨୦୨୬-୨୭) ଏବଂ ଜୁଲାଇ ୦୮ ରୁ ୧୧ ପର୍ଯ୍ୟନ୍ତ ମହାରାଷ୍ଟ୍ରର ପୁଣେଠାରେ ଆୟୋଜିତ ୫ମ ସିନିୟର ନ୍ୟାସନାଲ ଇଣ୍ଡିଆ ତାଇକୋଣ୍ଡୋ ପୁମସେ ଚାମ୍ପିୟନସିପ୍-୨୦୨୬ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଓଡ଼ିଶା ପୋଲିସର ଉଷୁ, ତାଇକୋଣ୍ଡୋ, କରାଟେ ଏବଂ ପେନକାକ ସିଲଟ ଦଳ ଭାଗ ନେଇ କ୍ରୀଡାବିତମାନେ ବିଭିନ୍ନ ବିଭାଗରେ ଭାଗ ନେଇ ପଦକ ହାସଲ କରିଛନ୍ତି। କ୍ରୀଡାବିତମାନଙ୍କ ଏହି ସଫଳତା ପାଇଁ ଡିଜିପି ସମସ୍ତ ପଦକ ବିଜେତାଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଅସାଧାରଣ ପ୍ରତିଭା ଓ ନିଷ୍ଠାର ଭୂୟସୀ ପ୍ରଶଂସା କରିଛନ୍ତି। କ୍ରୀଡ଼ାବିତଙ୍କ ଏହି ସଫଳତା ଓଡ଼ିଶା ପୋଲିସ ବାହିନୀ ସହ ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଛି ବୋଲି ଡିଜିପି ମତବ୍ୟକ୍ତ କରିଛନ୍ତି। ଆଗାମୀ ଦିନରେ ମଧ୍ୟ କ୍ରୀଡାବିତମାନେ ଓଡ଼ିଶା ପୋଲିସର ସୁନାମ ବୃଦ୍ଧି କରିବେ ବୋଲି ଡିଜିପି ଆଶାବ୍ୟକ୍ତ କରିଛନ୍ତି । ଏହି ଅବସରରେ ରୌପ୍ୟ ପଦକ ବିଜେତାଙ୍କୁ ୪ ହଜାର ଟଙ୍କା ଓ ବ୍ରୋଞ୍ଜ ପଦକ ବିଜେତାଙ୍କୁ ୩ହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ ରାଶି ଡିଜିପି ପ୍ରଦାନ କରିଥିଲେ ।
ପଦକ ହାସଲ କରିଥିବା ପ୍ରମୁଖ କ୍ରୀଡ଼ାବିତ:
- WC/୨୭ ସାଶ୍ୱତୀ ନାୟକ (ତାଇକୋଣ୍ଡୋ) :
୧୧ତମ ସର୍ବ ଭାରତୀୟ ପୋଲିସ ଜୁଡୋ କ୍ଲଷ୍ଟରରେ ରୌପ୍ୟ ଏବଂ ୫ମ ସିନିୟର ନ୍ୟାସନାଲ ତାଇକୋଣ୍ଡୋରେ କାଂସ୍ୟ ପଦକ।
- C/୪୫ ସତ୍ୟପ୍ରକାଶ ମହାନ୍ତି (ତାଇକୋଣ୍ଡୋ): ୧୧ତମ ସର୍ବ ଭାରତୀୟ ପୋଲିସ ଜୁଡୋ କ୍ଲଷ୍ଟର ଏବଂ ୫ମ ସିନିୟର ନ୍ୟାସନାଲ ତାଇକୋଣ୍ଡୋ ଉଭୟ ପ୍ରତିଯୋଗିତାରେ କାଂସ୍ୟ ପଦକ।
- କରାଟେ (୧୧ତମ ସର୍ବ ଭାରତୀୟ ପୋଲିସ ଜୁଡୋ କ୍ଲଷ୍ଟର) :
- ରୌପ୍ୟ ପଦକ : WC/୯୬୮ ବ୍ରତତୀ ବିଶ୍ୱପ୍ରଭା ପତି (ବ୍ୟକ୍ତିଗତ ମହିଳା କୁମତି), C/୧୩୬ ରଜନୀ ବିଶି (ବ୍ୟକ୍ତିଗତ ପୁରୁଷ କୁମତି), C/୧୫୯ ଡି. ଭଗବାନ ରେଡ୍ଡୀ (ବ୍ୟକ୍ତିଗତ ପୁରୁଷ କୁମତି) ଏବଂ ସି/୧୩୫ ରୀତେଶ ରାୟ (ବ୍ୟକ୍ତିଗତ ପୁରୁଷ କୁମତି)।
- କାଂସ୍ୟ ପଦକ (ବ୍ୟକ୍ତିଗତ) : ଏଏସଆଇ(A) ଯୋଗେଶ ବରିହା (ପୁରୁଷ କାଟା) ଏବଂ WC//୯୬୮ ବ୍ରତତୀ ବିଶ୍ୱପ୍ରଭା ପତି (ବ୍ୟକ୍ତିଗତ ମହିଳା କୁମତି)।
କାଂସ୍ୟ ପଦକ (ଦଳଗତ) :
ମହିଳା ଟିମ୍ କୁମତି : WC//୯୬୮ ବ୍ରତତୀ ବିଶ୍ୱପ୍ରଭା ପତି , WC//୩୯୭ ଅନୁପମା ସ୍ୱାଇଁ, WC//୧୬୮ ମୋନାଲି ସାହୁ ଏବଂ WC//୩୮୯ ସୁସ୍ମିନି ପଲଟାସିଂହ।
ମହିଳା ଟିମ୍ କାଟା: WC//୩୯୭ ଅନୁପମା ସ୍ୱାଇଁ, WC/୩୯୫ ସିନ୍ଧୁ ତନୟା ଖୁଣ୍ଟିଆ ଏବଂ WC/୨୩୮ ଅନୁରାଧା ପାତ୍ର ।
ଆଜିର ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ପୋଲିସ କମିଶନର (କଟକ-ଭୁବନେଶ୍ଵର) ଡଃ ଦେବଦତ୍ତ ସିଂ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଓଡିଶା ପୋଲିସର କ୍ରୀଡା ଅଧିକାରୀ ନୀଳମାଧବ ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।













Leave a Reply