ଭୁବନେଶ୍ୱର, ୮/୧୦: MMDR ଆଇନ ବିରୋଧରେ ଆଜି କଂଗ୍ରେସ ଦେଇଛି ବନ୍ଦ ଡାକରା । ରାଜଧାନୀ ଭୁବନେଶ୍ୱରରୁ ଆରମ୍ଭ କରି କଟକ ପର୍ଯ୍ୟନ୍ତ ରାସ୍ତାରେ ଦେଖିବାକୁ ମିଳିଛି ବନ୍ଦର ପ୍ରଭାବ। ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ବନ୍ଦର ପ୍ରଭାବ । ବିକ୍ଷୋଭରେ ସାମିଲ ହୋଇଛନ୍ତି କଂଗ୍ରେସର ବରିଷ୍ଠ ନେତାମାନେ । ସେପଟେ ରାଜଧାନୀର ଫାୟାର ଷ୍ଟେସନ୍ ଛକରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି ।ଗାଡ଼ି ଅଟକାଇ ପ୍ରତିବାଦ କରିଛନ୍ତି ଆନ୍ଦୋଳନକାରୀ । ଫାୟାର ଷ୍ଟେସନ୍ ଛକରୁ ବରମୁଣ୍ଡା ଦିଗକୁ ଗାଡ଼ି ଅଟକି ରହିଥିବାରୁ ଯାତାୟାତ ପ୍ରଭାବିତ ହୋଇଛି ।
ସକାଳୁ ବରମୁଣ୍ଡା ବସଷ୍ଟାଣ୍ଡରୁ ବସ୍ ଚଳାଚଳ ସ୍ୱାଭାବିକ ଥିଲା । ଯାତ୍ରୀଙ୍କୁ ନେଇ ବସ୍ଗୁଡ଼ିକ ବାହାରିଥିଲେ। ହେଲେ ଫାୟାର ଷ୍ଟେସନ୍ ଛକରେ ପହଞ୍ଚିବା ପରେ ଅଟକି ରହିଛି ଗାଡ଼ି । ଫଳରେ ରାସ୍ତାରେ ଫସିଛନ୍ତି ଯାତ୍ରୀ। ଅନେକ ଯାତ୍ରୀଙ୍କୁ ଯାତାୟାତରେ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି ।
କେବଳ ଭୁବନେଶ୍ୱର ନୁହେଁ, କଟକ ବସଷ୍ଟାଣ୍ଡରୁ ମଧ୍ୟ ବସ୍ ଚଳାଚଳ ପ୍ରଭାବିତ ହୋଇଛି। ବସ୍ ନଗଡ଼ିବାରୁ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି । ସେପଟେ ମାଲକାନଗିରି, ଭଦ୍ରକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ମଧ୍ୟ ବନ୍ଦ ପାଳନର ଚିତ୍ର ସାମ୍ନାକୁ ଆସୁଛି । କେଉଁଠି ରାସ୍ତା ଅବରୋଧ କରାଯାଉଛି, ତ ଆଉ କେଉଁଠି ଗାଡ଼ି ଚଳାଚଳକୁ ବିରୋଧ କରାଯାଉଛି ।
ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ କରାଯାଉଛି। ଇଣ୍ଡିଆ ବ୍ଲକ୍ର ଆହ୍ୱାନରେ ଏହି ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହାକୁ ସଫଳ କରିବା ପାଇଁ କଂଗ୍ରେସ, ବାମ ଦଳ ସମେତ ମେଣ୍ଟର ବିଭିନ୍ନ ଦଳ ପକ୍ଷରୁ ରାଲି, ପିକେଟିଂ ଓ ବିକ୍ଷୋଭ କରାଯାଉଛି।ଚାରିଟି ପ୍ରମୁଖ ଦାବିକୁ ନେଇ ବିରୋଧୀ ମେଣ୍ଟ ଏହି ବନ୍ଦ ଡାକରା ଦେଇଛି।
ଏମ୍ଏମ୍ଡିଆର୍ ଆଇନ ୨୦୨୬ ପ୍ରତ୍ୟାହାର ସହ ଏସ୍ଆଇଆର୍ ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରାଯାଇଛି। ଏହାସହ ପାଠ୍ୟପୁସ୍ତକରେ ତ୍ରୁଟି ଅଭିଯୋଗକୁ ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଏବଂ ବନ୍ୟା ପ୍ରଭାବିତଙ୍କୁ ପର୍ଯ୍ୟାପ୍ତ ରିଲିଫ୍ ଓ ପୁନର୍ବାସ ଦେବାକୁ ଦାବି ରହିଛି।
ତେବେ ବନ୍ଦ ସମୟରେ ଜରୁରି ସେବାକୁ ବନ୍ଦରୁ ବାଦ୍ ଦିଆଯାଇଛି। ପରୀକ୍ଷା, ଆମ୍ବୁଲାନ୍ସ, ଅଗ୍ନିଶମ ଓ ଉଦ୍ଧାର କାର୍ଯ୍ୟ, ଔଷଧ ଦୋକାନ, ଦୁଗ୍ଧ ଯୋଗାଣ ସମେତ ଅନ୍ୟାନ୍ୟ ଜରୁରି ସେବା ଜାରି ରହିଛି ।












Leave a Reply