ଜମ୍ମୁ-କଶ୍ମୀରର ମାଉଣ୍ଟ ମଚୋଇ-୨ ପର୍ବତ ଶିଖରରେ ଓଡ଼ିଆ ପୁଅ ଆଶୀର୍ବାଦ ମହାପାତ୍ର

ଭୁବନେଶ୍ୱର, ୩୦/୯: ଓଡ଼ିଆ ପୁଅର ସଫଳତା | ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ କୁଲିତା ଟୁକୁରା ଗ୍ରାମର ପର୍ବତାରୋହୀ ଆଶୀର୍ବାଦ ମହାପାତ୍ର ଓରଫ ଅନୁପ, କୃଷକ ପରିବାରର ପୁଅ ଆଣିଲେ ଗୌରବ | ପ୍ରାୟ ୫,୧୩୦ ମିଟର(୧୬,୮୩୦ ଫୁଟ) ଉଚ୍ଚତାବିଶିଷ୍ଟ ଜମ୍ମୁ-କଶ୍ମୀରର ମାଉଣ୍ଟ ମଚୋଇ-୨ ପର୍ବତ ଶିଖରକୁ ରବିବାର ସକାଳ ୬ଟା ୯ ମିନିଟ୍‌ରେ ସଫଳତାର ସହ ଆରୋହଣ କରିଛନ୍ତି | ସେଠାରେ ସେ ଦେଶମାତୃକାର ଜାତୀୟ ପତାକା ତ୍ରିରଙ୍ଗା ଉଡ଼ାଇ ଥିଲେ।

ଏହାସହିତ ମାଁ ସମଲେଶ୍ୱରୀଙ୍କ ପ୍ରତିଛବି ଧରି ଛିଡ଼ା ହୋଇଥିବାବେଳେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରର ପତାକାକୁ ମଧ୍ୟ ସେ ସେଠାରେ ଉଡ଼ାଇ ଥିଲେ। ଜମ୍ମୁ-କଶ୍ମୀରର ପହଲଗାମ୍‌ସ୍ଥିତ ଜବାହର ପର୍ବତାରୋହଣ ଓ ଶୀତକାଳୀନ କ୍ରୀଡ଼ା ପ୍ରତିଷ୍ଠାନ ଅଧୀନରେ ଆୟୋଜିତ ଉନ୍ନତ ପର୍ବତାରୋହଣ ପ୍ରଶିକ୍ଷଣ, ୫୫ତମ ବ୍ୟାଚ୍‌ରେ ସେ ଅଂଶଗ୍ରହଣ କରିଥିଲେ। ଗତ ୬ତାରିଖରୁ ଏହି ପ୍ରଶିକ୍ଷଣ ଆରମ୍ଭ ହୋଇଥିବାବେଳେ ୨୭ ତାରିଖରେ ଉପରୋକ୍ତ ପର୍ବତ ଶିଖରରେ ସେ ତ୍ରିରଙ୍ଗା ଉଡ଼ାଇଥିଲେ। ମାଉଣ୍ଟ ମଚୋଇ-୨ ଏକ ଉଚ୍ଚତାରେ ଅତ୍ୟନ୍ତ କଠିନ ଓ ପ୍ରାକ୍ତିକ ଦକ୍ଷତା ଆବଶ୍ୟକ କରୁଥିବା ପର୍ବତାରୋହଣ ଲକ୍ଷ୍ୟ। ହିମନଦୀ, ବରଫ ଫାଟ, ଖଡ଼ା ବରଫ ଓ ତୁଷାର ଅଞ୍ଚଳ, ପାଣିପାଗର ଦ୍ରୁତ ପରିବର୍ତ୍ତନ ଏବଂ ଉଚ୍ଚତାଜନିତ ଚ୍ୟାଲେଞ୍ଜ ଯୋଗୁ ଏହି ଆରୋହଣ ଅଧିକ କଠିନ ହୋଇଥାଏ। ତେବେ ଏହି ସଫଳତା ଆଶୀର୍ବାଦଙ୍କ ପର୍ବତାରୋହଣ ଯାତ୍ରାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଯୋଡ଼ି ଥିବାବେଳେ ଏହା ଓଡ଼ିଶା, ବରଗଡ଼ ଓ ସଂକଳ୍ପ ପରିବାର ପାଇଁ ଗୌରବର ମୁହୂର୍ତ୍ତ ପାଲଟିଛି ବୋଲି ମତପ୍ରକାଶ ପାଇଛି।

ଜମ୍ମୁ-କଶ୍ମୀର ଜୋଜିଲା ପାଖ ଦ୍ରାସ-ସୋନମାର୍ଗ ମଧ୍ୟରେ ମାଉଣ୍ଟ ମଚୋଇ-୨, ଉଚ୍ଚତା ୫,୧୪୦ ମିଟର, ପୂର୍ବରୁ ସେ ତାତାକୋଟି, ହରମୁଖ, ତ୍ରିଶୂଳ, ନୀଳକଣ୍ଠ ଏବଂ ଆଫ୍ରିକାର କିଲିମାଞ୍ଜାରୋ ୫,୮୯୫ ମିଟର ମଧ୍ୟ ଆରୋହଣ କରିଛନ୍ତି |

Leave a Reply

Your email address will not be published. Required fields are marked *