ପରିବେଶ ସୁରକ୍ଷା ପାଇଁ ଓଡ଼ିଆ ଝିଅ ମୋକ୍ଷାଙ୍କୁ “ପ୍ରାଇଡ୍ ଅଫ୍ ଇଣ୍ଡିଆ ୨୦୨୬” ସମ୍ମାନ

ଭୁବନେଶ୍ୱର,୫/୮ : ଗ୍ରୀନ୍ ଉଦ୍ୟୋଗ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ନିଜର ଅସାଧାରଣ ଯୋଗଦାନ ପାଇଁ ଓଡ଼ିଶାର ୧୩ ବର୍ଷୀୟା ଜଳବାୟୁ କର୍ମୀ ମୋକ୍ଷା ଧୃତି ପାଣିଗ୍ରାହୀଙ୍କୁ ପ୍ରସିଦ୍ଧ “ପ୍ରାଇଡ୍ ଅଫ୍ ଇଣ୍ଡିଆ ୨୦୨୬” ସମ୍ମାନରେ ସମ୍ମାନିତ କରାଯାଇଛି। ‘ଗ୍ରୀନ୍ ଷ୍ଟାର୍ଟ-ଅପ୍’ ବର୍ଗରେ ତାଙ୍କୁ ଏହି ସମ୍ମାନ ମିଳିଛି। ନୂଆଦିଲ୍ଲୀଠାରେ ଆୟୋଜିତ ‘ପ୍ରାଇଡ୍ ଅଫ୍ ଭାରତ ଲିଡରସିପ୍ ସମିଟ୍ ୨୦୨୬’ ଅବସରରେ କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଶ୍ରୀ ଜିତନ ରାମ ମାଞ୍ଝୀ, ଅନ୍ୟାନ୍ୟ କେନ୍ଦ୍ରମନ୍ତ୍ରୀ, ସାଂସଦ ଏବଂ ସେସେଲ୍ସର ହାଇକମିଶନରଙ୍କ ଉପସ୍ଥିତିରେ ମୋକ୍ଷାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ପ୍ରକାଶଥାଉ କି, ମୋକ୍ଷା ହେଉଛନ୍ତି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ମାନ୍ୟବର ବିଧାୟକ ଶ୍ରୀ ରୂପେଶ କୁମାର ପାଣିଗ୍ରାହୀ ଏବଂ ହାଇଟେକ୍ ମେଡିକାଲ୍ କଲେଜ ଓ ହସପିଟାଲ୍‌ର ନିର୍ଦ୍ଦେଶିକା ଏବଂ ଟ୍ରଷ୍ଟି ଶ୍ରୀମତୀ ମଧୁସ୍ମିତା ତ୍ରିପାଠୀଙ୍କ ଜ୍ୟେଷ୍ଠା କନ୍ୟା।

୨୦୧୮ ମସିହାରେ ଗ୍ରାମାଞ୍ଚଳରେ ହୋଇଥିବା ଏକ ଜଳବାୟୁ ଆନ୍ଦୋଳନରୁ ମୋକ୍ଷା ନିଜର ଏହି ଯାତ୍ରା ଆରମ୍ଭ କରିଥିଲେ। ଅଳ୍ପ ବୟସରୁ ପରିବେଶ ସୁରକ୍ଷା ଓ ଜଳବାୟୁ ନ୍ୟାୟ ପାଇଁ ସେ ନିରନ୍ତର ସ୍ୱର ଉତ୍ତୋଳନ କରିଆସୁଛନ୍ତି। ବର୍ତ୍ତମାନ ସେ ‘ଅର୍ଥ ଆଗେନ୍ ମୁଭମେଣ୍ଟ’ ‘ଦି ଚାଇଲ୍ଡ ମୁଭମେଣ୍ଟ’ ଏବଂ ‘ସିଟିବିଟିଓ ୟୁଥ୍ ଗ୍ରୁପ୍’ ର ଜଣେ ସକ୍ରିୟ ସଦସ୍ୟା ଭାବେ କାର‌୍ୟ୍ୟ କରି ସାରା ଦେଶରେ ପରିବେଶ ସଚେତନତା ସୃଷ୍ଟି କରୁଛନ୍ତି। କେବଳ ସଚେତନତା ସୃଷ୍ଟି ନୁହେଁ, ବରଂ ବାସ୍ତବ କ୍ଷେତ୍ରରେ କାର‌୍ୟ୍ୟ କରି ସେ ଏକ ବିଶାଳ ପରିବର୍ତ୍ତନ ଆଣିଛନ୍ତି। \’ହା‌ଇ-ଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲ’କୁ ପୂର୍ବ ଭାରତର ପ୍ରଥମ ସୌରଚାଳିତ ହସ୍ପିଟାଲରେ ପରିଣତ କରିବାରେ ତାଙ୍କର ନେତୃତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ଏହା ସହିତ ବ୍ୟାପକ ବୃକ୍ଷରୋପଣ, ବର୍ଜ୍ୟବସ୍ତୁ ପୁନରୁଦ୍ଧାର ଏବଂ ଅକ୍ଷୟ ଶକ୍ତିର ବ୍ୟବହାରକୁ ପ୍ରୋତ୍ସାହିତ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

“ମୋକ୍ଷାଙ୍କର ଏହି ଜାତୀୟ ସ୍ତରର ମାନ୍ୟତା ସମଗ୍ର ଓଡ଼ିଶା ପାଇଁ ଗୌରବ ଆଣିଦେବା ସହ ଏକ ସୁସ୍ଥ, ସବୁଜ ଓ ସ୍ଥାୟୀ ଭବିଷ୍ୟତ ଗଠନ ଦିଗରେ ଯୁବପିଢ଼ିଙ୍କୁ ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବ ବୋଲି ହାଇଟେକ୍ ଗ୍ରୁପ୍‌ର ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ ଓ ମ୍ୟାନେଜିଂ ଟ୍ରଷ୍ଟି ସୁରେଶ ପାଣିଗ୍ରାହୀ, ନିର୍ଦ୍ଦେଶକ ଡାକ୍ତର ରାକେଶ ପାଣିଗ୍ରାହୀ କହିଛନ୍ତି।

 

Leave a Reply

Your email address will not be published. Required fields are marked *