ଭୁବନେଶ୍ୱର,୧/୮ : ଓଡ଼ିଶାବାସୀଙ୍କୁ ଉନ୍ନତ ଓ ଆଧୁନିକ ମାନର ସୁପର-ସ୍ପେସିଆଲିଟି ସ୍ୱାସ୍ଥ୍ୟସେବା ଯୋଗାଇଦେବା ଦିଗରେ ହାଇଟେକ୍ ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲ୍ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି । ରୋଗୀସେବାକୁ ଆହୁରି ସୁଦୃଢ଼ ଓ ସହଜଲଭ୍ୟ କରିବା ଲକ୍ଷ୍ୟରେ ହସ୍ପିଟାଲ ପରିସରରେ ଏକାଧିକ ନୂତନ ଏବଂ ସମର୍ପିତ ସୁପର-ସ୍ପେସିଆଲିଟି ୱାର୍ଡର ଶୁଭ ଉଦ୍ଘାଟନ ହୋଇଛି ।

ଉଦ୍ଘାଟିତ ହୋଇଥିବା ନୂତନ ବିଭାଗ ଗୁଡ଼ିକ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଏବଂ ହେପାଟୋଲୋଜି ୱାର୍ଡ, ନ୍ୟୁରୋଲୋଜି ୱାର୍ଡ ନ୍ୟୁରୋସର୍ଜରୀ ୱାର୍ଡ, ଅଙ୍କୋଲୋଜି (କର୍କଟ ରୋଗ) ୱାର୍ଡ, ବର୍ଣ୍ଣ କେୟାର ୟୁନିଟ୍ (ପୋଡ଼ା ଜଳା ରୋଗୀଙ୍କ ସେବା) ପାଇଁ ସ୍ବତନ୍ତ୍ର ୱାର୍ଡ ଉଦ୍ଘାଟନ ହୋଇଛି। ଏହି ବର୍ଣ୍ଣାଢ଼୍ୟ ଉଦ୍ଘାଟନୀ ଉତ୍ସବରେ ହାଇଟେକ୍ ଗ୍ରୁପ୍ର ପ୍ରତିଷ୍ଠାତା ଚେୟାରମ୍ୟାନ୍ ଡକ୍ଟର ତିରୁପତି ପାଣିଗ୍ରାହୀ, ମ୍ୟାନେଜିଂ ଟ୍ରଷ୍ଟି ତଥା ଗ୍ରୁପ୍ ସିଇଓ ସୁରେଶ କୁମାର ପାଣିଗ୍ରାହୀ ଏବଂ ଡାଇରେକ୍ଟର ଆଡମିନିଷ୍ଟ୍ରେସନ୍ ତଥା ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର (ଡାକ୍ତର) ସୀତାରାମ ମହାପାତ୍ରଙ୍କ ସମେତ ବରିଷ୍ଠ ଡାକ୍ତର,ବିଭାଗୀୟ ମୁଖ୍ୟ,କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ୱାର୍ଡ ଉଦଘାଟନ କରି ଡକ୍ଟର ପାଣିଗ୍ରାହୀଙ୍କ କହିବା ହେଲା, ହାଇଟେକ୍ ମେଡିକାଲ୍ ସର୍ବଦା ରୋଗୀଙ୍କ ସେବା ପାଇଁ ଉତ୍ସର୍ଗୀକୃତ, ଏହି ନୂତନ ଓ ଅତ୍ୟାଧୂନିକ ୱାର୍ଡ ରୋଗୀମାନଙ୍କୁ ଅଧିକ ତଥା ଉନ୍ନତମାନର ସେବା ଯୋଗାଇଦେବାରେ କାର୍ୟ୍ୟ୍ କରିବ। ଏହି ନୂତନ ୱାର୍ଡଗୁଡ଼ିକ କାର୍ଯ୍ୟକ୍ଷମ ହେବା ଦ୍ୱାରା ଜଟିଳ ରୋଗରେ ପୀଡ଼ିତ ରୋଗୀମାନେ ଅଧିକ ଉନ୍ନତ ଓ ସ୍ୱତନ୍ତ୍ର ସେବା ପାଇପାରିବେ ବୋଲି ଗ୍ରୁପ୍ ସିଇଓ ତଥା ମ୍ୟାନେଜିଂ ଟ୍ରଷ୍ଟି ସୁରେଶ ପାଣିଗ୍ରାହୀ କହିଛନ୍ତି। ଏହି ଅବସରରେ ହସ୍ପିଟାଲର ବରିଷ୍ଠ ଡାକ୍ତର, ବିଶେଷଜ୍ଞ, ଫ୍ୟାକଲ୍ଟି ମେମ୍ବର, ସ୍ୱାସ୍ଥ୍ୟକର୍ମୀ ଏବଂ କର୍ମଚାରୀବୃନ୍ଦ ଉପସ୍ଥିତ ରହି ରୋଗୀସେବାରେ ଶ୍ରେଷ୍ଠତା ବଜାୟ ରଖିବାକୁ ନିଜର ପ୍ରତିଶ୍ରୁତି ଦୋହରାଇଥିଲେ।













Leave a Reply