ଭୁବନେଶ୍ୱର, ୧୮/୯: TMC ରେ ବିଭାଜନ ପରେ ନିର୍ବାଚନ କମିଶନଙ୍କ ବଡ଼ ନିଷ୍ପତ୍ତି ନେଇଛନ୍ତି । ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମିଳିଲା ନୂଆ ଦଳୀୟ ନାମ ଏବଂ ନିର୍ବାଚନୀ ଚିହ୍ନ । ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବିଦ୍ରୋହୀ ନେତା ଋତବ୍ରତ ବାନାର୍ଜୀଙ୍କ ଦୁଇ ଭିନ୍ନ ଗୋଷ୍ଠୀ ପାଇଁ ନୂଆ ଦଳୀୟ ନାମ ଏବଂ ନିର୍ବାଚନୀ ଚିହ୍ନ ଘୋଷଣା ହୋଇଛି । ମମତା ବାନାର୍ଜୀଙ୍କ ଗୋଷ୍ଠୀକୁ ‘ମମତା ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’ ନାମ ଏବଂ ‘ଫୁଟବଲ ଖେଳାଳି’ (Football Player) ନିର୍ବାଚନ ଚିହ୍ନ ମିଳିଛି।
ଅନ୍ୟପଟେ, ଋତବ୍ରତ ବାନାର୍ଜୀଙ୍କ ଗୋଷ୍ଠୀକୁ ‘ଡେମୋକ୍ରାଟିକ ତୃଣମୂଳ କଂଗ୍ରେସ’ ନାମ ଦିଆଯାଇଥିବା ବେଳେ ‘ଲଫାପା/ଖାମ’ (Envelope) ନିର୍ବାଚନ ଚିହ୍ନ ପ୍ରଦାନ କରାଯାଇଛି।
ବଙ୍ଗଳା ବିଧାନସଭା ନିର୍ବାଚନରେ ପରାଜୟ ପରେ ତୃଣମୂଳ କଂଗ୍ରେସ (TMC) ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା। ଦୁଇ ଗୋଷ୍ଠୀ ଦଳୀୟ ନାମ ଓ ଚିହ୍ନ ଉପରେ ନିଜର ଅଧିକାର ଦାବି କରିବାରୁ ମାମଲା ନିର୍ବାଚନ ଆୟୋଗଙ୍କ ପାଖରେ ପହଞ୍ଚିଥିଲା।
ଆୟୋଗ ଏକ ଅନ୍ତରୀଣ ଆଦେଶ ଜାରି କରି ମୂଳ ଦଳର ନାମ ‘ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’ ଏବଂ ଏହାର ପାରମ୍ପରିକ ‘ଯୋଡ଼ା ଫୁଲ ଓ ଘାସ’ ଚିହ୍ନର ବ୍ୟବହାର ଉପରେ ରୋକ ଲଗାଇଥିଲେ। ଆୟୋଗ ଦୁଇ ଗୋଷ୍ଠୀଙ୍କୁ ନିଜ ପସନ୍ଦର ନୂଆ ନାମ ଓ ଉପଲବ୍ଧ ଚିହ୍ନ ମଧ୍ୟରୁ ବିକଳ୍ପ ବାଛିବାକୁ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତା ଅକ୍ଟୋବର ୬ ରେ ରେଜିନଗର ଏବଂ ନନ୍ଦୀଗ୍ରାମ ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନରେ ଦୁଇ ଗୋଷ୍ଠୀ ଏହି ନୂଆ ନାମ ଓ ନିର୍ବାଚନ ଚିହ୍ନ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ।













Leave a Reply