ପୁଣି ଉପାସରେ ପ୍ରଭୁ ଲିଙ୍ଗରାଜ

ଭୁବନେଶ୍ୱର, ୧୮/୯: ପୁଣି ଉପାସରେ ରହିଲେ ପ୍ରଭୁ ଲିଙ୍ଗରାଜ। ସେବାୟତଙ୍କ ବିବାଦ ଯୋଗୁଁ ଗତକାଲି ରାତିରୁ ନୀତିକାନ୍ତି ବନ୍ଦ ରହିଛି, ଫଳରେ ନୀତିକାନ୍ତିରେ ବିଭ୍ରାନ୍ତ ଘଟିଛି । ସେବାୟତଙ୍କ ଅନ୍ତର୍ଦ୍ୱନ୍ଦ୍ୱ ଓ ପରସ୍ପର ମଧ୍ୟରେ ଉପୁଜିଥିବା ବିବାଦ ପୁଣି ଦେଖାଦେଇଛି | ଗତକାଲି ରାତି ୧୧ଟାରୁ ସମସ୍ତ ପୂଜାର୍ଚ୍ଚନା ଓ ନୀତି ବନ୍ଦ ରହିଛି । ପୂଜା ପଣ୍ଡା ଓ ସୁଆର ସେବାୟତଙ୍କ ମଧ୍ୟରେ ପୂଜାକୁ ନେଇ ବିବାଦ ଦେଖାଦେଇଛି ।ଗତକାଲି ରାତି ୧୧ଟାରୁ ଠାକୁରଙ୍କ ନୀତିକାନ୍ତି ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ରିପୋର୍ଟ ଅନୁଯାୟୀ ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗ ମଧ୍ୟରେ ବଡ଼ ଶୃଙ୍ଗାର ଓ ଶୟନ ଠାକୁର (ପଞ୍ଚବକ୍ତ୍ର)ଙ୍କ ରାତ୍ର ପ୍ରକ୍ରିୟା ଅଧିକାରକୁ ନେଇ ବିବାଦ ହୋଇଥିଲା।

ଏହି ଖବର ଶୁଣି କିଛି ଶ୍ରଦ୍ଧାଳୁ କ୍ଷୋଭ କରିବା ସହ ସେବାୟତଙ୍କ ଏପରି କାର୍ଯ୍ୟକୁ ଦୃଢ଼ ନିନ୍ଦା କରିଛନ୍ତି । ଶ୍ରଦ୍ଧାଳୁମାନେ କହିଛନ୍ତି, ସଂକ୍ରାନ୍ତି ପରିକା ଦିନରେ ଏଭଳି କରିବା ଅଶୋଭନୀୟ । ସେବାୟତମାନେ ବିଶେଷ କରି ସ୍ୱତନ୍ତ୍ର ଦିନ ମାନଙ୍କରେ ହିଁ ଅଧିକତଃ ନୀତି ବିଭ୍ରାଟ ପରିକା କୁକାର୍ଯ୍ୟ କରୁଛନ୍ତି । ଯାହା ପୂରାପୂରି ଭାବେ ଅକ୍ଷମଣୀୟ ତ୍ରୁଟି । ନିଜ ସ୍ଵାର୍ଥ ପାଇଁ ବିବାଦ କରି ଠାକୁରଙ୍କୁ ଭୋକ, ଉପାସ ଆଉ ଅନିଦ୍ରା ରଖିବାକୁ ଏମାନେ ପଛାଉ ନାହାନ୍ତି ।

ସୂଚନାଯୋଗ୍ୟ, ବାରମ୍ବାର ଏଭଳି ସମସ୍ୟା ଦେଖାଦେଉଥିବା ବେଳେ, ୨୦୧୨ରେ ହାଇକୋର୍ଟ ନିର୍ଦ୍ଦେଶ ଅନୁଯାୟୀ କେହି ନୀତି ବନ୍ଦ କରିପାରିବେ ନାହିଁ, ତଥାପି ବିବାଦ ଲାଗି ରହିଛି।

Leave a Reply

Your email address will not be published. Required fields are marked *