କଳିଙ୍ଗ ଷ୍ଟୁଡିଓ : ଫିଲ୍ମ ସୁଟିଂ ପାଇଁ ଷ୍ଟୁଡିଓ ନା ସ୍ନୋ-ହାଉସ୍ ?

ଭୁବନେଶ୍ବର,୬/୧୦ : କଳିଙ୍ଗ ଷ୍ଟୁଡିଓ ସୁଟିଂ ପାଇଁ ନା ସ୍ନୋ-ହାଉସ୍ ? ଏହି ପ୍ରଶ୍ନ ଏବେ ସିନେମା ଇଣ୍ଡଷ୍ଟ୍ରିର ଲୋକଙ୍କଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ମନରେ ଉଙ୍କି ମାରୁଛନ୍ତି । ସୋମବାର ଏହାର ଉଦଘାଟନ ହୋଇଛି । ଏହାପରେ ସୁଟିଂର ବ୍ୟବସ୍ଥାକୁ ନେଇ ଯେତେମାତ୍ରାରେ ଚର୍ଚ୍ଚା ହେବା କଥା ତା’ ବଦଳରେ ସ୍ନୋ-ହାଉସ୍ ପାଇଁ ଅଧିକ ଚର୍ଚ୍ଚା ହେଉଥିବା ଦେଖାଯାଉଛି । ଓଡ଼ିଶାର ଫିଲ୍ମ ଇଣ୍ଡଷ୍ଟ୍ରିକୁ ନୂଆ ଦିଗ ଦେବା ପାଇଁ ବର୍ଷ ବର୍ଷ ଧରି କଳିଙ୍ଗ ଷ୍ଟୁଡିଓକୁ ନେଇ ଅନେକ ଆଶା ରହିଛି। କିନ୍ତୁ ଏବେ ଚର୍ଚ୍ଚା ଅନ୍ୟ ଏକ ପ୍ରସଙ୍ଗକୁ ନେଇ । କଳିଙ୍ଗ ଷ୍ଟୁଡିଓରେ ଫିଲ୍ମ ସୁଟିଂ ପାଇଁ ଆବଶ୍ୟକ ସୁବିଧା କେତେ ଅଛି ? ଫିଲ୍ମ ସୁଟିଂ ପାଇଁ ଷ୍ଟୁଡିଓ, ନା କେବଳ ମନୋରଞ୍ଜନ ପାଇଁ ପାର୍କ ନିର୍ମାଣ ହୋଇଛି ।

କଳିଙ୍ଗ ଷ୍ଟୁଡିଓ ପରିସରରେ ବିଭିନ୍ନ ଆଧୁନିକ ସୁବିଧା ଓ ଆକର୍ଷଣ ଯୋଡ଼ାଯାଉଥିବାବେଳେ, ଏବେ ଏକ ବଡ଼ ପ୍ରଶ୍ନ ସାମ୍ନାକୁ ଆସୁଛି । ଫିଲ୍ମ ସୁଟିଂକୁ ପ୍ରାଥମିକତା ଦିଆଯାଇଛି ତ, ନା ଷ୍ଟୁଡିଓ ପରିସରକୁ ଏକ ପର୍ଯ୍ୟଟନ ଓ ମନୋରଞ୍ଜନ କେନ୍ଦ୍ର ଭାବେ ଅଧିକ ଗୁରୁତ୍ୱ ଦିଆଯାଇଛି । ବିଶେଷ କରି ସ୍ନୋ ହାଉସକୁ ନେଇ ଏବେ ଚର୍ଚ୍ଚା ବଢ଼ିଛି । ଯେଉଁଠାରେ ଲୋକଙ୍କ ପାଇଁ ମନୋରଞ୍ଜନର ବ୍ୟବସ୍ଥା ଥିବା କଥା କୁହାଯାଉଛି, ସେଠାରେ ଫିଲ୍ମ ନିର୍ମାତା ଓ ଟେକ୍ନିସିଆନମାନଙ୍କ ପାଇଁ ଆବଶ୍ୟକ ସୁଟିଂ ଇନଫ୍ରାଷ୍ଟ୍ରକ୍ଚର୍ କେତେ ଉପଲବ୍ଧ ସେହି ପ୍ରଶ୍ନ ହିଁ ଏବେ ମୁଖ୍ୟ ହୋଇଛି ।

ସବୁଠାରୁ ବଡ଼ ପ୍ରଶ୍ନ ହେଉଛି କଳିଙ୍ଗ ଷ୍ଟୁଡିଓ କାହା ପାଇଁ । ଫିଲ୍ମ ନିର୍ମାତାଙ୍କ ପାଇଁ ନା ସାଧାରଣ ଲୋକଙ୍କ ମନୋରଞ୍ଜନ ପାଇଁ । ଆଜି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ବଡ଼ ସ୍ୱପ୍ନ ଦେଖୁଛି । ଓଡ଼ିଆ ସିନେମାକୁ ଜାତୀୟ ଓ ଅନ୍ତର୍ଜାତୀୟ ମଞ୍ଚକୁ ନେବାର ଚେଷ୍ଟା ହେଉଛି । କିନ୍ତୁ ଭଲ ଫିଲ୍ମ ତିଆରି ପାଇଁ କେବଳ ପ୍ରତିଭା ଯଥେଷ୍ଟ ନୁହେଁ । ଦରକାର ଭଲ ଇନଫ୍ରାଷ୍ଟ୍ରକ୍ଚର୍ । ଟେକ୍ନିସିଆନ୍ ଓ କଳାକାରଙ୍କ ପାଇଁ ଉପଯୁକ୍ତ ସୁବିଧା ଦରକାର । ଯଦି ଏହି ସୁବିଧା ଓଡ଼ିଶାରେ ଉପଲବ୍ଧ ନ ହୁଏ, ତେବେ ପ୍ରଡକ୍ସନ୍ ହାଉସ୍‌ ଗୁଡ଼ିକୁ ଅନ୍ୟ ରାଜ୍ୟ ଆଡ଼କୁ ଯିବାକୁ ପଡ଼ିପାରେ । ଏହାର ପ୍ରଭାବ କେବଳ ଫିଲ୍ମ ଉପରେ ନୁହେଁ, ଏହାସହ ଜଡ଼ିତ ଶହଶହ କଳାକାର, ଟେକ୍ନିସିଆନ୍ ଓ ପ୍ରଡ଼କ୍ସନ୍ କର୍ମଚାରୀଙ୍କ ଉପରେ ମଧ୍ୟ ପଡ଼ିବ ।

କିଛି ଜଣ ମଧ୍ୟ ଗଣାମଧ୍ୟମ ସାମ୍ନାରେ ଖୋଲାଖୋଲି କହିଛନ୍ତି ଏଠାରେ ପର୍ଯ୍ୟାପ୍ତ ପରିମାଣର ସୁବିଧା ନାହିଁ । ଦ୍ବିତୀୟ ପର୍ଯ୍ୟାୟରେ ସେ ସବୁ କାର୍ଯ୍ୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଆମକୁ ଆଶ୍ବାସନା ଦେଇଛନ୍ତି । ଏହା ଏବେ ଜଣେ ସାଧାରଣ ଲୋକ ପାଇଁ ମନୋରଞ୍ଜନର ଖୋରାକ ଯୋଗାଇବ । ସୁଟିଂ ପାଇଁ ଏଠାରେ ବିଶେଷ କିଛି ବ୍ୟବସ୍ଥା ନାହିଁ ବୋଲି ଅଭିଯୋଗ ମଧ୍ୟ କରିଛନ୍ତି । ଯାହା ସାଧାରଣରେ କଳିଙ୍ଗ ଷ୍ଟୁଡିଓ ଉଦଘାଟନକୁ ନେଇ ପ୍ରଶ୍ନ ଛିଡ଼ା କରିଛି ।

ସୂଚନାଯୋଗ୍ୟ ଯେ, ନବକଳେବର ପ୍ରାପ୍ତ ଅତ୍ୟାଧୁନିକ ‘କଳିଙ୍ଗ ଷ୍ଟୁଡ଼ିଓ’ର ସୋମବାର ଭବ୍ୟ ଲୋକାର୍ପଣ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପୁନର୍ବିକଶିତ ଓ ନବୀକୃତ ବିଶ୍ୱସ୍ତରୀୟ ଷ୍ଟୁଡ଼ିଓକୁ ଲୋକାର୍ପିତ କରିଛନ୍ତି । ଏହା ସହିତ ସିନେମା ଐତିହ୍ୟର ସୁରକ୍ଷା ପାଇଁ କଳିଙ୍ଗ ଷ୍ଟୁଡିଓରେ ନିର୍ମିତ ସ୍ୱତନ୍ତ୍ର ଆର୍କାଇଭ୍ ଓ ମ୍ୟୁଜିୟମର ମଧ୍ୟ ଶୁଭାରମ୍ଭ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏଣିକି ଓଡ଼ିଆ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ବୈଷୟିକ କାର୍ଯ୍ୟ ପାଇଁ ଆଉ ଅନ୍ୟ ରାଜ୍ୟମୁହାଁ ହେବାକୁ ପଡ଼ିବ ନାହିଁ। ଏଥିରେ ଅନେକ ବିଶ୍ୱସ୍ତରୀୟ ସୁବିଧା ଉପଲବ୍ଧ କରାଯାଇଛି । ଆଗାମୀ ଦିନରେ ଆହୁରି ଅନେକ ଅତ୍ୟାଧୁନିକ ସୁବିଧାର ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *