ସର୍ବାଧିକ ୨୮ କୋଟି ୫୦ ଲକ୍ଷ ୫ଜି ଉପଭୋକ୍ତାଙ୍କ ସହିତ ୫ଜି ନେଟୱର୍କରେ ଜିଓର ଦବଦବା

ମୁମ୍ୱାଇ,୧୭/୭ : ୫ଜି ଏବଂ ଡିଜିଟାଲ୍ କନେକ୍ଟିଭିଟି ବଳରେ ଜିଓ ଏହାର ନେତୃତ୍ୱ ସ୍ଥାନକୁ ଆହୁରି ସୁଦୃଢ଼ କରିଛି। ଏହି ଧାରା ରିଲାଏନ୍ସର ତ୍ରୈମାସିକ ଫଳାଫଳରେ ସ୍ପଷ୍ଟ ଭାବରେ ପ୍ରତିଫଳିତ ହୋଇଛି। ଜିଓର ମୋଟ ଉପଭୋକ୍ତା ସଂଖ୍ୟା ଜୁନ ମାସ ଶେଷ ସୁଦ୍ଧା ୫୩ କୋଟି ୩୩ ଲକ୍ଷକୁ ବୃଦ୍ଧି ପାଇଥିବାବେଳେ ଜିଓ ଟ୍ରୁ ୫ଜି ଉପଭୋକ୍ତା ସଂଖ୍ୟା ୨୮ କୋଟି ୫୦ ଲକ୍ଷ ଅତିକ୍ରମ କରିଛି। ଗତ ୧୨ ମାସ ମଧ୍ୟରେ, ଜିଓର ୫ଜି ଉପଭୋକ୍ତା ସଂଖ୍ୟା ୭ କୋଟି ୩୦ ଲକ୍ଷ ବୃଦ୍ଧି ପାଇଛି। କେବଳ ୫ଜି ଉପଭୋକ୍ତାଙ୍କ ସଂଖ୍ୟା ବୃଦ୍ଧି ପାଇଛି ତାହା ନୁହେଁ; ଜିଓ ନେଟୱାର୍କରେ ୫ଜି ଡାଟା ଟ୍ରାଫିକ୍ ଏବେ ୪ଜି ଡାଟା ଟ୍ରାଫିକ୍ ତୁଳନାରେ ପ୍ରାୟ ଦେଢ଼ ଗୁଣ ହୋଇଛି। କମ୍ପାନୀର ତ୍ରୈମାସିକ ଆର୍ଥିକ ଫଳାଫଳରେ ଆହୁରି ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ତଥ୍ୟ ଜଣାପଡିଛି। ଜିଓ ନେଟୱାର୍କରେ ପ୍ରତି ଗ୍ରାହକଙ୍କ ପିଛା ମାସିକ ଡାଟା ବ୍ୟବହାର ୪୩.୭ ଜିବିକୁ ବୃଦ୍ଧି ପାଇଥିବା ବେଳେ ଏହି ତ୍ରୈମାସିକରେ ଜିଓ ନେଟୱର୍କରେ ମୋଟ ଡାଟା ଟ୍ରାଫିକ୍ ୨୬.୯ ପ୍ରତିଶତ ବୃଦ୍ଧି ପାଇ ୬୯.୪ ବିଲିୟନ ଜିବିରେ ପହଞ୍ଚିଛି। ଏହା ସୂଚାଉଛି ଯେ ଜିଓ ଭାରତରେ ପରବର୍ତ୍ତୀ ପିଢ଼ିର ମୋବାଇଲ୍ ନେଟୱାର୍କ ଉପରେ ଜିଓ ଦ୍ରୁତ ଗତିରେ ନିଜର ପ୍ରାଧାନ୍ୟକୁ ଆହୁରି ଦୃଢ କରୁଛି।

ମୋବାଇଲ୍ ସଂଯୋଗ କ୍ଷେତ୍ରରେ ମଧ୍ୟ ଜିଓ ତାର ଗତି ବଜାୟ ରଖିଛି। ଏହି ତ୍ରୈମାସିକରେ ଜିଓ ମୋଟ ୮୯ ଲକ୍ଷ ଗ୍ରାହକ ଯୋଡିବା ସହିତ ଜୁନ୍ ୨୦୨୬ ସୁଦ୍ଧା କମ୍ପାନୀର ମୋଟ ଗ୍ରାହକ ସଂଖ୍ୟା ୫୩ କୋଟି ୩୦ ଲକ୍ଷରେ ପହଞ୍ଚିଛି। ଗ୍ରାହକ ସଂଖ୍ୟାରେ ଏହି ବୃଦ୍ଧି ଏପରି ଏକ ସମୟରେ ଆସିଛି ଯେତେବେଳେ କମ୍ପାନୀ ଏହାର ୫ଜି ନେଟୱାର୍କର ବ୍ୟବହାର ଏବଂ ଡାଟା ବ୍ୟବହାର ଉଭୟରେ ଦ୍ରୁତ ଗତିର ଅଭିବୃଦ୍ଧି ପ୍ରଦର୍ଶନ କରୁଛି। ବ୍ରଡବ୍ୟାଣ୍ଡ କ୍ଷେତ୍ରରେ ମଧ୍ୟ ଜିଓ ଏହାର ସ୍ଥିତିକୁ ଆହୁରି ମଜବୁତ କରିଛି। ଜୁନ୍ ୨୦୨୬ ସୁଦ୍ଧା ମୋଟ ଫିକ୍ସଡ଼ ବ୍ରଡବ୍ୟାଣ୍ଡ ଗ୍ରାହକଙ୍କ ସଂଖ୍ୟା ୨ କୋଟି ୮୬ ଲକ୍ଷରେ ପହଞ୍ଚିଛି। ଗତ ୧୨ ମାସ ମଧ୍ୟରେ ପ୍ରାୟ ୮୬ ଲକ୍ଷ ନୂଆ ଗ୍ରାହକ ଯୋଡି ହେବା ସହିତ, ଏହି କ୍ଷେତ୍ରରେ ଜିଓର ବଜାର ଅଂଶ ୪୩ ପ୍ରତିଶତରୁ ଅଧିକ ହୋଇଛି। ଜିଓଏୟାରଫାଇବରର ମୋଟ ଗ୍ରାହକ ସଂଖ୍ୟା ଏକ କୋଟି ୪୦ ଲକ୍ଷ ଅତିକ୍ରମ କରିଛି, ଯାହା ଏହି ୧୨ ମାସର ଅବଧି ମଧ୍ୟରେ ଯୋଡି ହୋଇଥିବା ମୋଟ ଫିକ୍ସଡ଼ ବ୍ରଡବ୍ୟାଣ୍ଡ ଗ୍ରାହକଙ୍କ ୭୫ ପ୍ରତିଶତରୁ ଅଧିକ ରହିଛି।

ଜିଓ ପ୍ଲାଟଫର୍ମସର ତ୍ରୈମାସିକ ପ୍ରଦର୍ଶନ ମଧ୍ୟ ଦୃଢ ରହିଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ, ଜିଓ ପ୍ଲାଟଫର୍ମ ୨୦,୮୬୫ କୋଟି ଟଙ୍କାର ଇ.ବି.ଆଇ.ଟି.ଡି.ଏ ରେକର୍ଡ କରିଛି, ଯାହା ଗତ ବର୍ଷ ସମାନ ସମୟ ତୁଳନାରେ ୧୫.୧ ପ୍ରତିଶତ ବୃଦ୍ଧି ପାଇଛି। କମ୍ପାନୀର ଇ.ବି.ଆଇ.ଟି.ଡି.ଏ ମାର୍ଜିନ୍ ୫୩.୩ ପ୍ରତିଶତ ରହିଛି। ଏହି ଅବଧିରେ ଜିଓର ନେଟ୍ ଲାଭ ଗତବର୍ଷ ସମାନ ସମୟ ତୁଳନାରେ ୯.୨ ପ୍ରତିଶତ ବୃଦ୍ଧି ପାଇ ୭,୭୬୪ କୋଟି ଟଙ୍କାରେ ପହଞ୍ଚିଛି।

ମୋବାଇଲ୍ ୫ଜି, ଡାଟା ବ୍ୟବହାର ଏବଂ ହୋମ୍ ବ୍ରଡବ୍ୟାଣ୍ଡରେ ଅଭିବୃଦ୍ଧି ଦର୍ଶାଉଛି ଯେ ଜିଓ କେବଳ ଗ୍ରାହକ ସଂଖ୍ୟା ଦୃଷ୍ଟିରୁ ନୁହେଁ ବରଂ ପରବର୍ତ୍ତୀ ପିଢ଼ିର ଡିଜିଟାଲ୍ ସଂଯୋଗର ବାସ୍ତବ ରୂପାୟନ କ୍ଷେତ୍ରରେ ମଧ୍ୟ ନିଜର ସ୍ଥିତିକୁ ମଜବୁତ କରୁଛି।

Leave a Reply

Your email address will not be published. Required fields are marked *