ଭୁବନେଶ୍ୱର, ୧୮/୭ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣା ଓ ଆଶୀର୍ବାଦରୁ ଶେଷରେ ସବୁ ବାଧାବିଘ୍ନ ଦୂର ହୋଇଛି। ଆସନ୍ତା ରଥଯାତ୍ରା ପରେ ବହୁ ପ୍ରତୀକ୍ଷିତ ଆନିମେସନ୍ ଫିଲ୍ମ ‘ମହାପ୍ରଭୁ ଜଗନ୍ନାଥ’ ରିଲିଜ୍ ହେବା ନେଇ ସର୍ବୋଚ୍ଚ ନ୍ୟାୟାଳୟ ସବୁଜ ସଙ୍କେତ ଦେଇଛନ୍ତି। ସ୍ୱଳ୍ପ ବିବାଦ ଓ ଆଇନଗତ ଲଢ଼େଇ ପରେ, ପ୍ରଡକ୍ସନ ହାଉସ୍ ସପକ୍ଷରେ ସୁପ୍ରିମକୋର୍ଟ ଏକ ସକାରାତ୍ମକ ରାୟ ଶୁଣାଇଛନ୍ତି। ସୁପ୍ରିମକୋର୍ଟ ରଥଯାତ୍ରା ଶେଷ ପରେ ଅର୍ଥାତ ଜୁଲାଇ ୨୮ରୁ ସାରା ଦେଶରେ ଫିଲ୍ମ ମୁକ୍ତି ପାଇଁ ଅନୁମତି ଦେଇଛନ୍ତି।
ବିଚାରପତି ନିଜ ରାୟରେ ଏକ ସ୍ପଷ୍ଟ ବାର୍ତ୍ତା ଦେଇ କହିଛନ୍ତି ଯେ, “ଆନିମେସନ୍ କେବେବି ଲୋକଙ୍କ ଭକ୍ତିଭାବକୁ କ୍ଷୁର୍ଣ୍ଣ କରିପାରିବ ନାହିଁ।” ଏହି ରାୟ କେବଳ ପ୍ରଡକ୍ସନ ହାଉସ୍ ପାଇଁ ଏକ ବଡ଼ ଆଶ୍ୱସ୍ତି ଆଣିଦେଇ ନାହିଁ, ବରଂ ଓଡ଼ିଶାର କଳା,ସଂସ୍କୃତି ଓ ପ୍ରଭୁ ଜଗନ୍ନାଥଙ୍କ ଭକ୍ତି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି।
ପ୍ରଭୁଙ୍କ ଅଲୌକିକ ଲୀଳା ଓ ଗାଥାକୁ ଆଧୁନିକ ଜ୍ଞାନକୌଶଳ ମାଧ୍ୟମରେ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ଏଲି ଆନିମେସନ୍ସ ଯେଉଁ ମହତ ପ୍ରୟାସ କରିଥିଲା, ତାହା ଶେଷରେ ପ୍ରଭୁଙ୍କ ଆଶୀର୍ବାଦରୁ ସଫଳତାର ସ୍ପର୍ଶ ପାଇଛି। ଜଗନ୍ନାଥ ସଂସ୍କୃତିକୁ କୋମଳମତି ପିଲା ତଥା ଯୁବପିଢ଼ିଙ୍କ ନିକଟରେ ସହଜରେ ପହଞ୍ଚାଇବା ପାଇଁ ଆନିମେସନ୍ ଏକ ପ୍ରଭାବଶାଳୀ ମାଧ୍ୟମ। କିଛି ସମାଲୋଚନା ଓ ପ୍ରତିବନ୍ଧକ ସତ୍ତ୍ୱେ ନିର୍ମାଣ ସଂସ୍ଥାର ଧୈର୍ଯ୍ୟ ଏବଂ କାଳିଆ ସାଆନ୍ତଙ୍କ ଉପରେ ଥିବା ଅତୁଟ ବିଶ୍ୱାସ ଆଜି ବିଜୟୀ ହୋଇଛି।
ସତରେ ଯେମିତି ପ୍ରଭୁ ନିଜେ ତାଙ୍କ ଲୀଳାର ପ୍ରଚାର ଓ ପ୍ରସାର ପାଇଁ ମାର୍ଗ ପ୍ରଶସ୍ତ କରିଦେଇଛନ୍ତି। ରଥଯାତ୍ରା ପରେ ବିଶ୍ୱବାସୀ ଏହି ଆନିମେସନ୍ ଚଳଚ୍ଚିତ୍ର ମାଧ୍ୟମରେ ଶ୍ରୀଜୀଉଙ୍କ ଭକ୍ତିର ଦିବ୍ୟ ଅନୁଭୂତି ଲାଭ କରିବେ ଏବଂ ଏହା ନିଶ୍ଚିତ ରୂପେ ଓଡ଼ିଆ ଅସ୍ମିତାକୁ ଆହୁରି ଗୌରବାନ୍ୱିତ କରିବ।
ମହାପ୍ରଭୁ ଜଗନ୍ନାଥଙ୍କ ଇଚ୍ଛା ବିନା ଏ ସଂସାରରେ କିଛି ବି ଘଟେ ନାହିଁ। ଅନେକ ସମୟରେ ପରୀକ୍ଷା ଓ ପ୍ରତିବନ୍ଧକ ହିଁ ବଡ଼ ସଫଳତାର ପଥ ପ୍ରସ୍ତୁତ କରେ। ମହାପ୍ରଭୁ ଜଗନ୍ନାଥ ଆନିମେସନ୍ ଚଳଚ୍ଚିତ୍ରକୁ ନେଇ ସୃଷ୍ଟି ହୋଇଥିବା ଚର୍ଚ୍ଚା ଆଜି ଦେଶବ୍ୟାପୀ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏହାକୁ ଅନେକ ଭକ୍ତ ମହାପ୍ରଭୁଙ୍କ ଅପାର ଲୀଳା ବୋଲି ଦେଖୁଛନ୍ତି। ସମୟ ଆସିଲେ ତାଙ୍କ ଆଶୀର୍ବାଦରେ ଏହି ଚଳଚ୍ଚିତ୍ର ମାଧ୍ୟମରେ ଜଗନ୍ନାଥ ସଂସ୍କୃତି, ଭକ୍ତି ଓ ମାନବତାର ବାର୍ତ୍ତା ବିଶ୍ୱର କୋଣ ଅନୁକୋଣରେ ପହଞ୍ଚିବ ବୋଲି ଏଲି ଆନିମେସନ୍ସ ତରଫରୁ କୁହ ଯାଇଛି ।













Leave a Reply