ଭୁବନେଶ୍ବର,୧୩/୮ : ସରକାର ତୁରନ୍ତ ପ୍ରାଥମିକତା ଭିତ୍ତିରେ ଜଳବନ୍ଦୀରେ ଲୋକଙ୍କୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦିଅନ୍ତୁ ବୋଲି ମତ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେ ସୋସିଆଲ ମିଡ଼ିଆରେ ଲେଖିଛନ୍ତି, ବର୍ଷା ପାଇଁ ସ୍ମାର୍ଟ ସିଟି ରାଉରକେଲାର ସହରାଞ୍ଚଳରେ ଦେଖାଦେଇଥିବା ଜଳବନ୍ଦୀ ସ୍ଥିତି ଗମ୍ଭୀର ଚିନ୍ତାର ବିଷୟ। ସହରବାସୀଙ୍କ ଧନଜୀବନ ପ୍ରତି ଏହା ବିପଦ ସୃଷ୍ଟି କରିଥିବାବେଳେ, ସରକାରଙ୍କ ଅପାରଗତା ଲୋକଙ୍କୁ ଅଧିକ ଭୟଭୀତ କରୁଛି । ସହରୀ ବନ୍ୟାରେ ଲୋକେ ଦୀର୍ଘ ଦିନ ଧରି ଜଳବନ୍ଦୀ ଜୀବନ ବଞ୍ଚୁଛନ୍ତି । ସରକାରୀ ସୁବିଧା ସେମାନଙ୍କ ନିକଟରେ ପହଞ୍ଚୁ ନଥିବାର ମଧ୍ୟ ଅଭିଯୋଗ ଆସୁଛି।
ଏପରି ଅସମୟରେ ଲୋକଙ୍କ ସାଥିରେ ସରକାର ଦୃଢ଼ ଭାବେ ଠିଆ ହେବା ବଦଳରେ ଲୋକଙ୍କ ହାତ ଛାଡ଼ି ଦେଇଥିବା ପରି ମନେ ହେଉଛି। ଲୋକଙ୍କ କଥା ନ ଶୁଣି, ଲୋକଙ୍କ ସମସ୍ୟା ସମାଧାନ ନ କରି ସରକାର ଖାଲି ଦିବା ସ୍ୱପ୍ନ ଦେଖାଉଛନ୍ତି। ହକି ବିଶ୍ୱକପ ଆୟୋଜନ କରି ଯେଉଁ ରାଉରକେଲା ସ୍ମାର୍ଟ ସିଟି ଗୌରବ ଆଣିଥିଲା, ଏବେ ସେହି ସହର ଜଳବନ୍ଦୀ ହୋଇ ଅପବାଦ ମୁଣ୍ଡାଉଛି । ପୂର୍ବରୁ ଏପରି ସ୍ଥିତି କେବେ ଦେଖା ଦେଇନଥିବା ବେଳେ ଏବେ ସ୍ମାର୍ଟ ସିଟିର ଡ୍ରେନେଜ୍ ଓ ସ୍ବେରେଜ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି।
ଦିନେ ବଡ଼ ବଡ଼ ପ୍ରାକୃତିକ ବିପର୍ଯ୍ୟୟର ଦୃଢ଼ ମୁକାବିଲା କରି ଓଡ଼ିଶା ସୁନାମ ସାଉଁଟୁଥିଲା, ହେଲେ ଏ ସରକାର ସହରାଞ୍ଚଳରେ ବର୍ଷା ଜଳ ପରିଚାଳନାରେ ମଧ୍ୟ ବିଫଳ ହେଉଛନ୍ତି । ପ୍ରତିଟି ଜୀବନ ମୂଲ୍ୟବାନ, ସରକାର ତୁରନ୍ତ ପ୍ରାଥମିକତା ଭିତ୍ତିରେ ଜଳବନ୍ଦୀରେ ଲୋକଙ୍କୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦିଅନ୍ତୁ ।












Leave a Reply