ଭୂବନେଶ୍ବର : ଦୁଗ୍ଧ ଚାଷୀଙ୍କୁ ପୂଜା ଭେଟି ଦେଇଛି ଓମ୍ଫେଡ | ଲିଟର ପିଛା ଦୁଇ ଟଙ୍କା ଦର ବୃଦ୍ଧି କରିଛି | ରାଜ୍ୟର ଦୁଗ୍ଧଚାଷୀମାନଙ୍କ ଜୀବିକା, ଆୟ ଓ ସ୍ବାର୍ଥକୁ ପ୍ରାଥମିକତା ଦେଇ ଓମ୍ଫେଡ୍ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଓମ୍ଫେଡ୍ ପ୍ରାଥମିକ ସମବାୟ ସେପ୍ଟେମ୍ବର ୧୧ରୁ ଦୁଗ୍ଧ ଚାଷୀଙ୍କ ପାଖରୁ କ୍ଷୀର ଲିଟର ପିଛା ୨ ଟଙ୍କା ବର୍ଦ୍ଧିତ ଦରରେ କିଣିବ ଓମ୍ଫେଡ୍। ବିଭିନ୍ନ ମାନର କ୍ଷୀର ଲିଟର ପିଛା ୩୪ରୁ ୩୮ ଟଙ୍କାରେ କିଣୁଥିବା ଓମ୍ଫେଡ୍ ଏବେ ଏହି ଦରଠାରୁ ୨ଟଙ୍କା ଅଧିକ ଦରରେ କିଣିବ ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି | ଏହି ନିଷ୍ପତ୍ତି ରାଜ୍ୟର ପ୍ରାୟ ୩ ଲକ୍ଷରୁ ଊର୍ଦ୍ଧ୍ୱ ଦୁଗ୍ଧଚାଷୀଙ୍କ ପାଇଁ ଏକ ଆଶ୍ୱସ୍ତିକର ପଦକ୍ଷେପ ହେବା ସହ ସେମାନଙ୍କ ଆୟ ବୃଦ୍ଧିରେ ସହାୟକ ହେବ ବୋଲି ଓମ୍ଫେଡ୍ ପକ୍ଷରୁ କୁହାଯାଇଛି।
ଓମ୍ଫେଡ୍ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି, ବିଭିନ୍ନ ସମୟରେ ପ୍ରାଥମିକ ଦୁଗ୍ଧ ସମବାୟ ସମିତି ମାଧ୍ୟମରେ ଓମ୍ଫେଡ୍ ଦୁଗ୍ଧ ଚାଷୀଙ୍କ ପାଖରୁ କ୍ଷୀର କିଣୁଛି। କ୍ଷୀର ଦର ବୃଦ୍ଧି କରିବାକୁ ପ୍ରାଥମିକ ସମବାୟ ସମିତି ସଙ୍ଗଠନଗୁଡ଼ିକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଦାବି କରି ଆସୁଥିଲେ। ମୁଖ୍ୟମନ୍ତ୍ରୀ ସେମାନଙ୍କ ଦାବିକୁ ଗୁୁରୁତ୍ବର ସହ ବିଚାର କରି କ୍ଷୀର ଲିଟର ପିଛା ଆଉ ଦୁଇ ଟଙ୍କା ଅଧିକ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସେପ୍ଟେମ୍ବର ୧୧ରୁ କ୍ଷୀର ଲିଟର ପିଛା ୨ଟଙ୍କା ଅଧିକ ଦେବ ଓମ୍ଫେଡ୍। ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟର ପ୍ରାୟ ୩ ଲକ୍ଷରୁ ଊର୍ଦ୍ଧ୍ୱ ଦୁଗ୍ଧ ଚାଷୀ ଉପକୃତ ହେବେ। ରାଜ୍ୟର ଦୁଗ୍ଧ ଚାଷୀଙ୍କ ଜୀବିକା, ଆୟ ଓ ସ୍ବାର୍ଥକୁ ସର୍ବାଧିକ ପ୍ରାଥମିକତା ଦେଇ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି।
ନିକଟରେ ମୁମ୍ବଇରେ କ୍ଷୀର ଲିଟର ପିଛା ୯ଟଙ୍କା ଓ ତାମିଲନାଡୁରେ ଲିଟର ପିଛା ୪ଟଙ୍କା ବୃଦ୍ଧି କରାଯାଇଛି। ଫଳରେ ଚାଷୀମାନେ ମୁମ୍ବଇରେ ଲିଟର ପିଛା ୧୦୧ ଟଙ୍କା ଓ ତାମିଲନାଡୁରେ ୪୪ଟଙ୍କା ପାଉଛନ୍ତି। ସେହି ତୁଳନାରେ ଓଡ଼ିଶାରେ ୪୦ ଟଙ୍କାରେ ଓମ୍ଫେଡ୍ କ୍ଷୀର କିଣିବ, ଏହା ବହୁତ କମ। ଖର୍ଚ୍ଚ ବୃଦ୍ଧି ଯୋଗୁ ଦୁଗ୍ଧ କ୍ରୟ ମୂଲ୍ୟରେ ଅନୁପାତିକ ବୃଦ୍ଧି କରାଯିବା ଜରୁରୀ। ନଚେତ୍ ଗୋପାଳନକୁ ମୁଖ୍ୟ ଜୀବିକା କରିଥିବା ଦୁଗ୍ଧଚାଷୀ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ହୃଦୟଙ୍ଗମକରି ଓମ୍ଫେଡ୍ ଏହି ନିଷ୍ପତ୍ତି ନେଇଥିବା କହିଛି। ଏହାବ୍ୟତୀତ, ବଜାରରେ ଗୋ-ଖାଦ୍ୟ ଓ ଔଷଧପତ୍ର ଦାମ୍ ମଧ୍ୟ ବଢ଼ି ଚାଲିଛି। ଗୋଖାଦ୍ୟ ଦରକୁ ସରକାର ନିୟନ୍ତ୍ରଣ କରିବା ଓ ପ୍ରାଣୀ ସମ୍ପଦର ଚିକିତ୍ସା ପାଇଁ ଏକ ଆୟୁଷ୍ମାନ ଯୋଜନା ପ୍ରଚଳନ କରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି।













Leave a Reply