ଭୁବନେଶ୍ବର,୧୧/୭ : ଓଡ଼ିଶାର ବିଭିନ୍ନ ସହରରେ ୫ ଟଙ୍କାରେ ଗରିବ ଲୋକମାନଙ୍କୁ ଖାଇବାକୁ ଯୋଗାଇ ଦିଆଯାଇଥାଏ ଆହାର । ଏହି ଯୋଜନା ୨୦୧୫ ଏପ୍ରିଲ ପହିଲାରୁ ଆରମ୍ଭ ହୋଇଥିଲା । ପ୍ରଥମେ ଓଡ଼ିଶାର ପ୍ରମୁଖ ୫ଟି ସହର ତଥା ଭୁବନେଶ୍ୱର, କଟକ, ସମ୍ବଲପୁର, ବ୍ରହ୍ମପୁର ଓ ରାଉରକେଲାରେ ଆରମ୍ଭ କରାଯାଇଥିଲା । ଲକ୍ଷ୍ୟ ଥିଲା ବିଭିନ୍ନ କାର୍ଯ୍ୟରେ ବଡ଼ ବଡ଼ ସହରମାନଙ୍କୁ ଆସୁଥିବା ଗରିବ ଲୋକମାନଙ୍କୁ ସୁଲଭ ମୂଲ୍ୟରେ ଖାଦ୍ୟ ଯୋଗାଇଦେବା । ଏହାକୁ ଦୃଷ୍ଟିରେ ରଖି ବସଷ୍ଟାଣ୍ଡ, ରେଳ ଷ୍ଟେସନ, ହସ୍ପିଟାଲ ଆଦି ଜନଗହଳି ପୂର୍ଣ୍ଣ ସ୍ଥାନମାନଙ୍କରେ ୫ ଟଙ୍କାରେ ଭାତ ଡାଲମା ଆକାରରେ ସୁସ୍ୱାଦୁ ମଧ୍ୟାହ୍ନ ଭୋଜନ ଦିଆଯାଇଥିଲା । ବିଭିନ୍ନ ମ୍ୟୁନିସିପାଲିଟିର ସ୍ୱାସ୍ଥ୍ୟ ନିରୀକ୍ଷକ ଏହାର ମାନ ପରୀକ୍ଷା କରିବେ ବୋଲି ଯୋଜନାର ଅନ୍ତର୍ଭୁକ୍ତ ଥିଲା ।
ମାତ୍ର ଏବେ ଏହାର ଭିନ୍ନ ଚିତ୍ର ସାମ୍ନାକୁ ଆସିଛି । ଯାହାକୁ ନିଜେ ନ ଦେଖିଲେ ବିଶ୍ବାସ କରିପାରିବେନି । ଖାଇବାକୁ ତ ଯିବେ ସତ କଥା କିନ୍ତୁ ଫେରିବା ବେଳକୁ ଆପଣଙ୍କ ମୁହଁର ଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଥିବ । ପେଟ ପୂରିବ ସତ କିନ୍ତୁ ମନ ଅଶାନ୍ତି ହୋଇଯାଇଥିବ । ଆଜି ଆମେ ଭାତ ହାଣ୍ଡିରୁ ଗୋଟିଏ ଚାଉଳ ଚିପିବା ଭଳି ଗୋଟିଏ ଉଦାହରଣ ଦେଉଛୁ ।
ରାଜଧାନୀର ଛାତି ଉପରେ ଥିବା ଆହାରକେନ୍ଦ୍ରର ଚିତ୍ର ଆଜି ଏ ଯୋଜନା ଉପରେ ପ୍ରଶ୍ନବାଚୀ ଠିଆ କରିଛି । ଭୁବନେଶ୍ବର କଳ୍ପନା ଛକ ସ୍ଥିତ ଥିବା ଆହାର କେନ୍ଦ୍ର ଦୃଶ୍ୟ ଚକିତ କରିଛି । ୫ଟଙ୍କା ଦେଇ ଭିତରକୁ ଗଲା ପରେ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ ଥିଲା । ଚଟାଣ ଓଦା ସରସର ହୋଇ ରହିଥିଲା । ତଳେ ବସି ଲୋକେ ଖାଉଥିଲେ। ସେଠାରେ ସେହିଭଳି ଭାବେ ସୁରକ୍ଷା କର୍ମୀ ସବୁ ଦେଖି ନ ଦେଖିବା ଭଳି ଠିଆ ହୋଇଥିଲେ । ଯିଏ ଯେଉଁଠି ପାରିଲା ଠିଆ ହୋଇଥାନ୍ତି ଆଉ ବସିଥାନ୍ତି । ଫ୍ୟାନ୍ ପବନ ଧିରେ ଧିରେ ବାଜୁଥିଲା । ଫଳରେ ଗରମରେ ଲୋକେ ନାହିଁ ନଥିବା ଅସୁବିଧା ଭୋଗ କରୁଥିବା ଚିତ୍ର ଦେଖାଯାଇଥିଲା । ଗୋଟିଏ ହାତରେ ଖାଉଥିଲେ, ଆଉ ଗୋଟିଏ ହାତରେ ଝାଳ ପୋଛୁଥିଲେ । ଏହି ଦୃଶ୍ୟ ଦେଖି ମନକୁ ପ୍ରଶ୍ନ ଆସିଥିଲା କି ଏହି ଯୋଜନା କ’ଣ ପାଇଁ । ଯଦି ଗୋଟିଏ ଲୋକ ମନ ଶାନ୍ତିରେ ଖାଇପାରିବ ନାହିଁ ତେବେ କ’ଣ ପାଇଁ ଖୋଲାଯାଇଛି । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଖାଇବା ପରେ ଯେଉଁ ଥାଳିକୁ ଥୁଆ ଯାଉଛି ତାହା ସଠିକ୍ ଭାବେ ଧୁଆ ଯାଉନାହିଁ । ଲୋକେ ନିଜେ ଏହି ଥାଳିକୁ ହାତ ମାରି ଧୋଉଥିବାର ଦୃଶ୍ୟ ଚକିତ କରିଛି । ଯାହାକୁ ନେଇ ପୁଣି ଥରେ ବ୍ୟବହାର କରାଯାଉଛି । ଫଳରେ ଏହା ସଠିକ୍ ଭାବେ ପରିସ୍କାର କରାଯାଉନଥିବା ଦୃଶ୍ୟ ସାମ୍ନାକୁ ଆସିଛି । ସିସିଟିଭି ବି ଖରାପ ହୋଇଥିବା ଦେଖିବାକୁ ମିଳିଛି ।
ଏଠି ଏ କଥା ଆମେ ଏଥିପାଇଁ ଉପସ୍ଥାପନ କଲୁ ସାଧାରଣ ଲୋକକୁ ଖାଇବାକୁ ଦେବାକୁ କହି ସରକାରଙ୍କ ଏ କି ଚିତ୍ର ? ୫ଟଙ୍କାରେ ଖାଅ କିନ୍ତୁ ପୋକମାଛି ଭଳି ବସି ଯେଉଁଠି ପାରୁଛ ଠିଆ ହୋଇ କି ବସିକି ଖାଅ । ଗୋଟିଏ ଯୋଜନା ଆରମ୍ଭ ହୋଇଥାଏ ଜନହିତକର କାର୍ଯ୍ୟ ପାଇଁ । ଯେତିକି ପୁରୁଣା ହୁଏ ସେହି ଯୋଜନା ସଫଳ ରୂପାୟନ ହୋଇଥାଏ । ମାତ୍ର ଏହି ଚିତ୍ର ଓଲଟା ବଖାଣୁଛି । ସଫଳ ଯାଗାରେ ବିଫଳ ରୂପାୟନର ଚିତ୍ର ବଖାଣୁଛି ଆଜି ଆହାର କେନ୍ଦ୍ରର ଚିତ୍ର । ଏବେ ମନରେ ପ୍ରଶ୍ନ ଉଠୁଛି କି ଯଦି ରାଜଧାନୀର ଛାତି ଉପରେ ଏଭଳି ଚିତ୍ର ତେବେ ରାଜ୍ୟର ଅନ୍ୟ ସ୍ଥାନରେ କେଉଁ ଚିତ୍ର ହୋଇଥିବ ତାହା ସ୍ପଷ୍ଟ ଅନୁମେୟ ।













Leave a Reply