ଶିମିଳିପାଳରୁ କଳାବାଘର ମୃତଦେହ ଉଦ୍ଧାର ; ମୃତ୍ୟୁର କାରଣ ଅସ୍ପଷ୍ଟ

ଖୁଣ୍ଟା ,୯/୮ : ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଏକ ମାଈ ବାଘର ମୃତ୍ୟୁ ଘଟିଛି । ଶିମିଳିପାଳର ଦକ୍ଷିଣ ଡିଭିଜନ ଅଧୀନ ଉପର ବାରହା କାମୁଡ଼ା ରେଞ୍ଜରେ ପ୍ରାୟ ୫ବର୍ଷ ବୟସର ଏକ କଳା ବାଘୁ୍‌ଣୀ (ସ୍ୟୁଡୋ ମେଲାନିଷ୍ଟିକ) ମୃତଦେହ ଠାବ ହୋଇଛି । ପ୍ରାଥମିକ ତଦନ୍ତରୁ ବାଘୁଣୀ ମୃତ୍ୟୁର କାରଣ ଜଣା ପଡ଼ିନଥିବାବେଳେ, ଏହାର ନମୁନା ଭୁବନେଶ୍ବରସ୍ଥିତ ଓଡିଶା କୃଷି ଓ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟକୁ ପଠାଯାଇଛି । ଲାବୋରେଟୋରି ରିପୋର୍ଟ ଆସିବା ପରେ ହିଁ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡାକ୍ତର ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି ।

ଦକ୍ଷିଣ ବନଖଣ୍ଡ ଅଧୀନ ଉପର ବାରାହାକାମୁଡା ରେଞ୍ଜ ଅନ୍ତର୍ଗତ ଜଟିଆଣି କ୍ୟାମ୍ପର ଦେଓ ନଦୀ ନିକଟରେ ୫ ବର୍ଷ ବୟସର ଏକ କଳା ବାଘୁଣୀର ମୃତଦେହ ଠାବ କରାଯାଇଥିଲା । ଗତ ୬ ତାରିଖ ସନ୍ଧ୍ୟା ପ୍ରାୟ ୫ଟା ସମୟରେ ବନ ବିଭାଗ କର୍ମଚାରୀ ପାଟ୍ରୋଲିଂ କରୁଥିବା ସମୟରେ, କଳା ବାଘୁଣୀର ମୃତଦେହ ଚିହ୍ନଟ କରାଯାଇଥିଲା । ଜାତୀୟ ବ୍ୟାଘ୍ର ସଂରକ୍ଷଣ ନିୟମ ଅନୁସାରେ ଅଗଷ୍ଟ ୭ ତାରିଖ ବାଘୁଣୀର ପୋଷ୍ଟମର୍ଟମ୍ କରାଯାଇଥିଲା । ପୋଷ୍ଟମର୍ଟମ ସହିତ ମୃତଦେହକୁ ଦାହ କରିବା ପର୍ଯ୍ୟନ୍ତ ସମଗ୍ର ପ୍ରକ୍ରିୟାକୁ ନିର୍ଦ୍ଧାରିତ ପ୍ରୋଟୋକଲ ଅନୁଯାୟୀ ଭିଡିଓଗ୍ରାଫି ଓ ଫଟୋଗ୍ରାଫି କରାଯାଇଛି ।

ପ୍ରକାଶ ଚାନ୍ଦ ଗୋଗିନେନି କହିଛନ୍ତି ଯେ, ବ୍ୟବଚ୍ଛେଦ ସମୟରେ ଆବଶ୍ୟକ ସମସ୍ତ ଜୈବିକ ନମୁନା ସଂଗ୍ରହ କରାଯାଇଛି । ବିଷାକ୍ତତା ଏବଂ ରୋଗଗତ କାରଣ ସମେତ ଅନ୍ୟାନ୍ୟ ଆବଶ୍ୟକ ପରୀକ୍ଷା ପାଇଁ ନମୁନାକୁ ଭୁବନେଶ୍ବରର ‘ଓଡ଼ିଶା କୃଷି ଓ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ’ ବନ୍ୟପ୍ରାଣୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି । ବନ ବିଭାଗର ପ୍ରାଥମିକ ନିରୀକ୍ଷଣ ଅନୁସାରେ ମୃତ ବାଘୁଣୀର ଶରୀର ତାଜା ଥିଲା । ଶରୀରରେ କୌଣସି ସ୍ପଷ୍ଟ ଆଘାତ ଚିହ୍ନ କିମ୍ବା ବାହ୍ୟ ଆକ୍ରମଣର ପ୍ରମାଣ ମିଳିନଥିଲା । ପୋଷ୍ଟମର୍ଟମ୍ ପ୍ରକ୍ରିୟାରେ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟର କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନିଙ୍କ ସମେତ ବନ ବିଭାଗର ପ୍ରାଣୀ ଚିକିତ୍ସକ, ମୋବାଇଲ୍ ଭେଟେରିନାରୀ ୟୁନିଟ୍, ୱାଇଲ୍ଡ ଲାଇଫ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ ଏବଂ ଜାତୀୟ ବ୍ୟାଘ୍ର ସଂରକ୍ଷଣ ର ପ୍ରତିନିଧିମାନେ ସାମିଲ ହୋଇଥିଲେ। ଲାବୋରେଟୋରି ରିପୋର୍ଟ ଆସିବା ପରେ ବାଘୁଣୀର ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ । ସେ ପର୍ଯ୍ୟନ୍ତ ବିଷାକ୍ତତା କିମ୍ବା ସଂକ୍ରମଣ ଭଳି ସମ୍ଭାବନାକୁ ନେଇ ଯାଞ୍ଚ ଜାରି ରହିଛି ବୋଲି ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *