ଭୁବନେଶ୍ୱର/ନୂଆଦିଲ୍ଲୀ, ୩/୧୦: ଏସୀୟ କ୍ରୀଡ଼ା ୨୦୨୬ରେ ସ୍ୱର୍ଣ୍ଣ ପଦକ ହାସଲ କରିଛି ଭାରତୀୟ ମହିଳା ହକି ଦଳ | ଫାଇନାଲରେ ପ୍ୟାରିସ୍ ଅଲିମ୍ପିକ୍ ରୌପ୍ୟ ବିଜେତା ଚୀନକୁ ୧-୦ ଗୋଲରେ ହରାଇ ଚମତ୍କାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛି | ଏହି ସଫଳତା ପାଇଁ ସାରା ଦେଶରୁ ଶୁଭେଚ୍ଛାର ସୁଅ ଛୁଟୁଥିବା ବେଳେ ଚାମ୍ପିଅନ ଦଳ ପାଇଁ ହକି ଇଣ୍ଡିଆ ପୁରସ୍କାର ରାଶି ଘୋଷଣା କରିଛି ।
ଦୀର୍ଘ ୪୪ ବର୍ଷ ଅପେକ୍ଷାର ଅନ୍ତ ଘଟାଇ ଭାରତୀୟ ମହିଳା ହକି ଦଳ ଏସିଆନ୍ସ ଗେମ୍ସରେ ଦେଶ ପାଇଁ ସ୍ୱର୍ଣ୍ଣ ଜିତିଛନ୍ତି । ବିଜେତା ଦଳର ପ୍ରତ୍ୟେକ ଖେଳାଳିଙ୍କୁ ୧୧ ଲକ୍ଷ ଟଙ୍କା ଏବଂ ସପୋର୍ଟ ଷ୍ଟାଫଙ୍କୁ ୫.୫ ଲକ୍ଷ ଟଙ୍କା ଦିଆଯିବ ।
ବୁଧବାର ଭାରତୀୟ ମହିଳା ହକି ଟିମ୍ ଦକ୍ଷିଣ କୋରିଆକୁ ୨-୦ରେ ହରାଇ ୮ ବର୍ଷ ପରେ ଫାଇନାଲରେ ସ୍ଥାନ ପକ୍କା କରିଥିଲା ଏବଂ ଶେଷରେ ଚୀନକୁ ୧-୦ରେ ହରାଇ ଚାମ୍ପିଅନ ହୋଇଛି । ଏହାପୂର୍ବରୁ ଭାରତୀୟ ମହିଳା ଟିମ୍ ୧୯୮୨ ମସିହାରେ ଦିଲ୍ଲୀ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିଲା | ସେହି ବର୍ଷ ପ୍ରଥମ ଥର ପାଇଁ ମହିଳା ହକିକୁ ଏହି କ୍ରୀଡ଼ାରେ ସାମିଲ କରାଯାଇଥିଲା । ତା’ପରଠାରୁ ଭାରତ ୧୯୯୮ ଏବଂ ୨୦୧୮ରେ ଫାଇନାଲରେ ପହଞ୍ଚିଥିଲେ ବି ଯଥାକ୍ରମେ ଦକ୍ଷିଣ କୋରିଆ ଓ ଜାପାନଠାରୁ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲା । ଗତବର୍ଷ ଖରାପ ଫର୍ମ ଦେଇ ଗତି କରୁଥିବା ଭାରତୀୟ ମହିଳା ହକି ଟିମ୍ ପାଇଁ ୨୦୨୬ ମସିହା ସ୍ମରଣୀୟ ରହିଛି ।













Leave a Reply