ଗଞ୍ଜାମ, ଗଜପତି ଓ କନ୍ଧମାଳର ସବୁ ବ୍ଲକକୁ ମିଳିବ ସହାୟତା

ଭୁବନେଶ୍ବର,୧୧/୧୧ : ବାତ୍ୟା ‘ଅର୍ଣ୍ଣବ ଦ୍ୱାରା ପ୍ରଭାବିତ ପରିବାର ଗୁଡ଼ିକୁ ସହାୟତା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ରିଲିଫ୍ ପ୍ୟାକେଜକୁ ଆହୁରି ବ୍ୟାପକ କରାଯାଇଛି । ଗଞ୍ଜାମ, ଗଜପତି ଏବଂ କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକକୁ ରିଲିଫ୍ ସହାୟତା ଯୋଗାଇ ଦିଆଯିବ। ଏହି ତିନୋଟି ଜିଲ୍ଲାର ପ୍ରତ୍ୟେକ ବ୍ଲକର ପ୍ରତି ପରିବାରକୁ ୫୦ କିଲୋଗ୍ରାମ ଚାଉଳ ଏବଂ ୨,୫୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ।

ଗଞ୍ଜାମ, ଗଜପତି ଓ କନ୍ଧମାଳର ଜିଲ୍ଲାପାଳମାନେ ସମସ୍ତ ବ୍ଲକରେ ଯୋଗ୍ୟ ପରିବାରଗୁଡ଼ିକର ତାଲିକା ପ୍ରସ୍ତୁତ ଓ ଯାଞ୍ଚ ପ୍ରକ୍ରିୟା ତୁରନ୍ତ ଆରମ୍ଭ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।ଚାଉଳର ସୂଚାରୁ ବଣ୍ଟନ ପାଇଁ ଜିଲ୍ଲା ପ୍ରଶାସନ ସିଧାସଳଖ ଜିଲ୍ଲା ନାଗରିକ ଯୋଗାଣ ଅଧିକାରୀ (CSO) ଏବଂ ଓଡ଼ିଶା ରାଜ୍ୟ ନାଗରିକ ଯୋଗାଣ ନିଗମ (OSCSC) ସହ ସମନ୍ୱୟ ରକ୍ଷା କରି ଚାଉଳ ମହଜୁଦ ଆଣିବେ।

୨୫୦୦ ଟଙ୍କାର ଆର୍ଥିକ ସହାୟତା ପ୍ରାଥମିକ ଭାବେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡିବିଟି (DBT) ମାଧ୍ୟମରେ ପଠାଯିବ। ବ୍ୟାଙ୍କିଙ୍ଗ୍ ସେବା ବାଧାପ୍ରାପ୍ତ ହୋଇଥିବା ଅଞ୍ଚଳରେ ବିକଳ୍ପ ବ୍ୟବସ୍ଥାରେ ସହାୟତା ବଣ୍ଟାଯିବ ଏବଂ ଏହାର ସଠିକ୍ ରେକର୍ଡ ରଖାଯିବ।ପ୍ରତିଦିନ ସନ୍ଧ୍ୟା ୫ ଟା ସୁଦ୍ଧା ବ୍ଲକ୍ୱାରୀ ଚାଉଳ ଓ ଟଙ୍କା ବଣ୍ଟନର ରିପୋର୍ଟ ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର (SEOC) କୁ ଜିଲ୍ଲାପାଳ ପଠାଇବେ ।

Leave a Reply

Your email address will not be published. Required fields are marked *