ଭୁବନେଶ୍ବର,୬/୧୧ : ଶୁଭାଶିଷ ଶର୍ମା ତଥା ମଣ୍ଟୁ । ଓଲିଉଡ଼ର ପରିଚିତ ଚେହେରା । ଚକୋଲେଟ୍ ବୟ ଭାବେ ବେଶ୍ ଜଣାଶୁଣା । ସେ ଏବେ କିନ୍ତୁ ଏକ ଭିନ୍ନ ଚରିତ୍ରରେ ନଜର ଆସିବାକୁ ଯାଉଛନ୍ତି । ତାଙ୍କ ଫ୍ୟାନ୍ସଙ୍କ ପାଇଁ ଏହା ସରପ୍ରାଇଜ୍ କହିଲେ ଅତ୍ୟୁକ୍ତି ହେବ ନାହିଁ । ଆଗାମୀ ଫିଲ୍ମ ‘ଦେବକନ୍ୟା’ରେ ତାଙ୍କ ଚରିତ୍ରକୁ ନେଇ ଏବେ ସେ ବେଶ୍ ଚର୍ଚ୍ଚାରେ । ମଣ୍ଟୁଙ୍କୁ ବି ଏଭଳି ଏକ ଲୁକରେ ଦେଖି ତାଙ୍କ ଫ୍ୟାନ୍ସ ବି ବେଶ୍ ଉତ୍ସାହିତ ହୋଇପଡ଼ିଛନ୍ତି । ‘ଜାଡ଼ିକି ଜାଡ଼ା’ ଗୀତ ଏବେ ଟ୍ରେଣ୍ଡିଂରେ ରହିଛି । ଗୀତରେ ତାଙ୍କର ଠୁମକା ଦେଖି ଦିଓ୍ବାନା ହୋଇଛନ୍ତି ତାଙ୍କ ଫ୍ୟାନ୍ସ ।

ଆସନ୍ତା ନଭେମ୍ବର ୨୦ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ର ‘ଦେବକନ୍ୟା’ । ସୁପ୍ରିମ୍ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ‘ଦେବକନ୍ୟା’ର ପ୍ରଯୋଜନା କରିଛନ୍ତି ସୁରେଶ କୁମାର ସାହୁ ଏବଂ ଭାର୍ଗବୀ ତ୍ରିପାଠୀ। ବିଶିଷ୍ଟ ନାଟ୍ୟକାର ଶଙ୍କର ପ୍ରସାଦ ତ୍ରିପାଠୀ ସିନେମାର କାହାଣୀ, ସଂଳାପ ଓ ଚିତ୍ରନାଟ୍ୟ ଲେଖିଥିବାବେଳେ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜ୍ଞ ରାଶେଷ ମହାନ୍ତି (ସିଲୁ) ।

ବାପି ବାବୁ ଚିତ୍ରତ୍ତୋଳନ ଭାର ସମ୍ଭାଳିଥିବାବେଳେ ଚନ୍ଦ୍ରଶେଖର ମିଶ୍ର ସମ୍ପାଦନା କରିଛନ୍ତି। ଓଲିଉଡ଼ରେ ଲଭର୍ ତଥା ଚକୋଲେଟ୍ ବୟ ଚରିତ୍ରରେ ପରିଚିତ ଶୁଭାଶିଷ ଶର୍ମା (ମଣ୍ଟୁ) ନୂଆ କାହାଣୀ ସହ ଉଭୟ ଦେବ ଏବଂ କନ୍ୟା ଚରିତ୍ରରେ ନଜର ଆସିବେ।

କାହାଣୀ କଥା ଯଦି ଆମେ କହିବା ତେବେ ପୁରୀ ମାଟିର ଏକ ପାରମ୍ପରିକ ଘୋଡ଼ାନାଚକୁ ନେଇ କାହାଣୀ ଗତିଶୀଳ ହୋଇଛି। ଘୋଡ଼ାନାଚରେ ଝିଅ ବେଶ ହୋଇ ନାଚୁଥିବା ଜଣେ ପୁଅର କାହାଣୀ ଦେଖିବାକୁ ମିଳିବ ସିନେମାରେ । ଫିଲ୍ମର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଓଡ଼ିଶାର ସଂସ୍କୃତି, ପରମ୍ପରାର ଝଲକ୍ ରହିଛି । ବିଭିନ୍ନ ଭୂମିକାରେ ମଣ୍ଡୁଙ୍କ ସମେତ ଭେଟେରାନ୍ କୁନା ତ୍ରିପାଠୀ ଓ ଅଶ୍ରୁମୋଚନଙ୍କ ଭଳି କଳାକାର ରହିଛନ୍ତି । ନାୟିକା ଭାବରେ ସୁଶ୍ରୀ ମିଶ୍ରଙ୍କ ଡେବ୍ୟୁ ହୋଇଛି ।

ସିନେମାର ସଙ୍ଗୀତ ବିକାଶ ଦାସ ଦେଇଥିବାବେଳେ ଗୀତ ଲେଖିଛନ୍ତି ବିରଞ୍ଚି ନାରାୟଣ ଏବଂ ବିଜିଏମ୍ ଦେଇଛତି ଦୀପ୍ତିମାନ ଷଡ଼ଙ୍ଗୀ I ବିତରଣ ରାଜଶ୍ରୀ ଫିଲ୍ମସ ଏବଂ ସଙ୍ଗୀତ ରାଇଟ୍ସ ନେଇଛି ଆମର ମ୍ୟୁଜିକ୍ । ସିନେମା ରିଲିଜ୍ ପରେ ଜଣାପଡ଼ିବ ଏହା ଦର୍ଶକଙ୍କୁ କେତେମାତ୍ରାରେ ଛୁଇଁବ ।













Leave a Reply