ଭୁବନେଶ୍ୱର/ନୂଆଦିଲ୍ଲୀ, ୯/୧୦: ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛର (Smit Machchhar) ଙ୍କ ଅଦମ୍ୟ ସାହସ ଏବଂ ବୀରତ୍ୱକୁ ନେଇ ସବୁଠି ଚର୍ଚ୍ଚା | ତେବେ ଏହାରି ମଧ୍ୟରେ ଇସ୍ରାଏଲ ତାଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଏନେଇ ଘୋଷଣା କରିଛନ୍ତି। ଆକାଶ ମାର୍ଗରେ ଏକ ବଡ଼ ଧରଣର ଆତଙ୍କବାଦୀ ଷଡ଼ଯନ୍ତ୍ରକୁ ପଣ୍ଡ କରିବା ସହ ବିମାନରେ ଥିବା ୧୭୪ ଜଣ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିବାରୁ ତାଙ୍କୁ ଇସ୍ରାଏଲର ‘ପ୍ରେସିଡେନ୍ସିଆଲ୍ ଆୱାର୍ଡ ଫର ସିଭିଲ ହିରୋଇଜମ୍’ (Presidential Award for Civil Heroism) ରେ ସମ୍ମାନିତ କରାଯିବ।
ଗତ ସେପ୍ଟେମ୍ବର ୩୦ରେ ଦୁବାଇରୁ ତେଲ୍ ଆଭିଭ୍ ଯାଉଥିବା ଫ୍ଲାଏଦୁବାଇ ବିମାନରେ ସହ-ପାଇଲଟ୍ ହଠାତ୍ ସ୍ମିତଙ୍କ ଉପରେ ଛୁରାମାଡ଼ କରିଥିଲା। ୩୦ ସେକେଣ୍ଡରେ ବିମାନ ୧୪,୦୦୦ ଫୁଟ ତଳକୁ ଖସି ଆସିଥିଲା। ରକ୍ତାକ୍ତ ଅବସ୍ଥାରେ ବି ସ୍ମିତ୍ କକପିଟ୍ ଦ୍ୱାର ଖୋଲି ଦେଇଥିଲେ, ଯାତ୍ରୀମାନେ ଆକ୍ରମଣକାରୀକୁ କାବୁ କଲେ ଓ ବିମାନ ତାବୁକରେ ସୁରକ୍ଷିତ ଅବତରଣ କଲା। ବିମାନରେ ୧୮୦ ଯାତ୍ରୀଙ୍କ ମଧ୍ୟରୁ ଅଧିକାଂଶ ଇସ୍ରାଏଲୀ ଥିଲେ।ନେତନ୍ୟାହୁ ଫୋନରେ ସ୍ମିତଙ୍କୁ “ଇସ୍ରାଏଲ, ଭାରତ ଓ ବିଶ୍ୱର ପ୍ରକୃତ ନାୟକ” ବୋଲି କହିଛନ୍ତି। ଆସନ୍ତା ବର୍ଷ ଇସ୍ରାଏଲ ସ୍ୱାଧୀନତା ଦିବସରେ ପବିତ୍ର ଅଗ୍ନିଶିଖା ପ୍ରଜ୍ଜ୍ୱଳନ ପାଇଁ ପିଏମ ମୋଦି ଓ ସ୍ମିତଙ୍କୁ ନିମନ୍ତ୍ରଣ କରିଛନ୍ତି।ଭାରତରେ ଇସ୍ରାଏଲ ରାଷ୍ଟ୍ରଦୂତ ରୁଭେନ ଆଜାର କହିଛନ୍ତି – “ଇସ୍ରାଏଲ କେବେ ତାକୁ ସାହାଯ୍ୟ କରିଥିବା ଲୋକଙ୍କୁ ଭୁଲେନା। ଆମେ ତାଙ୍କ ପାଖରେ ଋଣୀ।”
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ କ୍ୟାପଟେନ୍ ଙ୍କ ଅସାଧାରଣ ସାହସ ଏବଂ ବୁଦ୍ଧିମତାକୁ ପ୍ରଶଂସା କରିଛନ୍ତି। ମୁମ୍ବାଇର ବାସିନ୍ଦା ଥିବା ସ୍ମିତ୍ ମଚ୍ଛର ଙ୍କ ଏହି ଅଦମ୍ୟ ସାହସକୁ ସମ୍ମାନ ଜଣାଇ ମୁମ୍ବାଇସ୍ଥିତ ଇସ୍ରାଏଲ ଦୂତାବାସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ବିଶାଳ ହୋର୍ଡିଂ ଲଗାଯାଇ ତାଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି। ଭାରତରେ ଅବସ୍ଥାପିତ ଇସ୍ରାଏଲ ରାଷ୍ଟ୍ରଦୂତ ରୁଭେନ୍ ଆଜାର୍ ଏହି ଘଟଣାକୁ ଆତଙ୍କବାଦ ବିରୋଧୀ ଲଢ଼େଇରେ ଭାରତ-ଇସ୍ରାଏଲର ଶକ୍ତିଶାଳୀ ବନ୍ଧୁତାର ଏକ ଉତ୍କୃଷ୍ଟ ଉଦାହରଣ ବୋଲି କହିଛନ୍ତି। ବର୍ତ୍ତମାନ କ୍ୟାପଟେନ୍ ମଚ୍ଛର ଆବୁଧାବିରେ ଚିକିତ୍ସିତ ହେଉଛନ୍ତି।













Leave a Reply