ବଢ଼ିଲା ବର୍ଷାର ପ୍ରକୋପ, ୪ ଜିଲ୍ଲାକୁ ରେଡ୍, ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି 

ଭୁବନେଶ୍ଵର, ୨୨/୯: ଓଡ଼ିଶାରେ ବଢ଼ିଲା ବର୍ଷାର ପ୍ରକୋପ। ଆଜିଠାରୁ ଦୁଇ ଦିନ ଛେଚିବ ବର୍ଷା। ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ନେଇ ୪ ଜିଲ୍ଲାକୁ ରେଡ୍, ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପଗ ବିଭାଗ ।ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଏବେ ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇଛି। ଫଳରେ ପବନ ସହ ବିଜୁଳି, ଘଡ଼ଘଡ଼ି ଆଶଙ୍କା ରହିଛି । ବାତ୍ୟାର ଆଶଙ୍କା ନଥିଲେ ମଧ୍ୟ ଗଭୀର ଅବପାତ ପ୍ରଭାବରେ ଆସନ୍ତା ଦୁଇ ଦିନ ରାଜ୍ୟରେ ବର୍ଷାର ତୀବ୍ରତା ଜାରି ରହିବ। ବିଶେଷକରି ଦକ୍ଷିଣ ଓଡ଼ିଶାରେ ଅତି ପ୍ରବଳ ବର୍ଷା ସହ ପବନ ଓ ବିଜୁଳି, ଘଡ଼ଘଡ଼ି ଆଶଙ୍କା ରହିଛି ।

ବର୍ତ୍ତମାନ ଗୋପାଳପୁରଠାରୁ ପ୍ରାୟ ୧୮୦ କିଲୋମିଟର ଏବଂ ପୁରୀଠାରୁ ୨୦୦ କିଲୋମିଟର ଦୂରରେ ରହିଛି ଅବପାତ। ଆସନ୍ତା ୧୨ ଘଣ୍ଟାରେ ଏହା ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ୨୩ ତାରିଖ ରାତିରୁ ୨୪ ତାରିଖ ଭୋର୍‌ ମଧ୍ୟରେ, ବିଶାଖାପାଟଣାରୁ ଗୋପାଳପୁର ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିପାରେ। ଉପକୂଳ ଅତିକ୍ରମ ବେଳେ ପବନର ବେଗ ଘଣ୍ଟାପ୍ରତି ୫୫ରୁ ୬୫ କିଲୋମିଟର ରହିବା ଆଶଙ୍କା ରହିଛି।

ଗଞ୍ଜାମ, ଗଜପତି, ରାୟଗଡ଼ା ଓ କୋରାପୁଟକୁ ରେଡ୍ ଆଲର୍ଟ ଜାରି ହୋଇଛି। ଏହି ଜିଲ୍ଲାଗୁଡ଼ିକରେ ଅତି ପ୍ରବଳ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ଏବଂ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ଆଶଙ୍କା ରହିଛି। ପୁରୀ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଓ ମାଲକାନଗିରିକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଅନ୍ୟପଟେ, ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ରହିଛି। ଆସନ୍ତାକାଲି ମଧ୍ୟ ବର୍ଷାର ପ୍ରକୋପ ଅଧିକ ରହିବ। ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ ଓ ମାଲକାନଗିରିରେ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି। ଏହାସହ ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ସୋନପୁର, ନୂଆପଡ଼ା ଓ ରାୟଗଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରିଛନ୍ତି ରାଜ୍ୟ ସରକାର।

Leave a Reply

Your email address will not be published. Required fields are marked *